ଦିନକୁ ତଣ୍ଡ ଗଣୁଛନ୍ତି ୫ ଶହ ଆଇନ ଉଲ୍ଲଂଘନକାରୀ

୩ ଶହରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ ସୁପାରିସ
ସ୍ବାଭାବିକ ହେଉଛି ଟ୍ରାଫିକ ସିଗନାଲ୍
ରାଜଧାନୀ ରାଜରାସ୍ତାରେ ଅସମ୍ଭାଳ ଭିଡ଼

ଭୁବନେଶ୍ବର : ବେଶ୍ କିଛି ଦିନର ବ୍ୟବଧାନ ପରେ ରାଜଧାନୀ ରାଜରାସ୍ତାରେ ଏବେ ଅସମ୍ଭାଳ ଭିଡ଼ ଜମିଲାଣି। ପୁଣି ସ୍ବାଭାବିକ ଅବସ୍ଥାକୁ ଫେରିଲାଣି ଟ୍ରାଫିକ୍‌। ଟ୍ରାଫିକ ସିଗନାଲ୍ ବି ଚଳଚଞ୍ଚଳ ହୋଇଗଲାଣି। ପ୍ରମୁଖ ଛକରେ ଶହଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିବା ଦେଖିଲେ ଏହା ବେଶ୍ ବାରି ହୋଇ ପଡ଼ୁଛି। ସପ୍ତାହାନ୍ତ ସଟଡାଉନକୁ ଛାଡ଼ିଦେଲେ ବାକି ଅନ୍ୟ ଦିନରେ ରାସ୍ତାରେ ଭିଡ଼ ଦେଖିବାକୁ ମିଳୁଛି।
ମିଳିଥିବା ସୂଚନା ଅନୁସାରେ, ପ୍ରାୟ ସପ୍ତାହେ ହେଲା ରାଜରାସ୍ତାରେ ଏଭଳି ଚିତ୍ର ଦେଖାଯାଉଛି। ସେହିପରି ଆଇନ ଉଲ୍ଲଂଘନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦିନକୁ ବିଭିନ୍ନ ଛକରେ ୪ଶହରୁ ୫ଶହ ପର୍ଯ୍ୟନ୍ତ ଆଇନ ଉଲ୍ଲଂଘନକାରୀ କେବଳ ଟ୍ରାଫିକ ପୁଲିସ ହାତରେ ଧରାପଡ଼ୁଛନ୍ତି। କିଏ ହେଲମେଟ୍ ପିନ୍ଧିନି ତ ଆଉ କେଉଁ ବାଇକ୍‌ରେ ତିନିଜଣ ବସି ଯାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ହାତରେ ଧରାପଡ଼ି ତଣ୍ଡ ଗଣୁଛନ୍ତି। ସେହିପରି ୩ଶହରୁ ଅଧିକ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓଙ୍କୁ ଟ୍ରାଫିକ ପୁଲିସ ପକ୍ଷରୁ ସୁପାରିସ୍‌ କରାଯାଇଛି।

ପୁଣି କର୍କଶ ଶବ୍ଦ କରି ବୁଲିଲେଣି ରୋଡ୍ ରୋମିଓ, ସପ୍ତାହରେ ଧରା ପଡ଼ିଲେଣି ୫୦ରୁ ଅଧିକ
କୋଭିଡ୍ ନିୟମରେ କିଛିଟା କୋହଳ ହେବା ପରେ ଆରମ୍ଭ ହୋଇଯାଇଛି ରୋଡ୍ ରୋମିଓଙ୍କ ଉତ୍ପାତ। କର୍କଶ ଶବ୍ଦ କରୁଥିବା ସାଇଲେନ୍ସର ଗାଡ଼ିରେ ଲଗାଇ ରାଜରାସ୍ତାରେ ଚକ୍କର କାଟିଲେଣି। କିନ୍ତୁ ଟ୍ରାଫିକ ପୁଲିସ ହାବୁଡ଼ରୁ ବର୍ତ୍ତି ପାରିନାହାନ୍ତି। ସପ୍ତାହକ ଭିତରେ ୫୦ରୁ ଅଧିକ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି। ସବୁଠୁ ଅଧିକ ବୁଲେଟ୍‌ରେ ଏଭଳି ସାଇଲେନ୍ସର ଲଗାଯାଉଥିବା ଦେଖିବାକୁ ମିଳିଛି। ପୁଲିସ ସେମାନଙ୍କଠାରୁ ଜରିମାନା ଆଦାୟ କରୁଥିବା ବେଳେ ସାଇଲେନ୍ସରକୁ ଘଟଣାସ୍ଥଳରେ ଖୋଲିଦେଇଛି। ସେହିପରି କାର୍‌ କାଚରେ ଲାଗିଥିବା କଳାଫିଲ୍ମକୁ ମଧ୍ୟ କଢ଼ାଯାଉଛି। ସପ୍ତାହକ ମଧ୍ୟରେ ପ୍ରାୟ ୨୦ଗାଡ଼ିରୁ କଳା ଫିଲ୍ମ କଢ଼ାଯିବା ସହ ଜରିମାନା କରାଯାଇଛି।

ସୋମବାରଠାରୁ ଚାଲାଣ କାଟିବେ ଗ୍ରାଜୁଏଟ୍ କନଷ୍ଟେବଳ, ଜାରି ହେଲା ଏସଓପି
ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ୫ତାରିଖ ସୋମବାରଠାରୁ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ କାଟିବେ ଗ୍ରାଜୁଏଟ୍ ହାବିଲଦାର ଓ କନଷ୍ଟେବଳ। ଏଥିପାଇଁ ଆଜି ୯ ସୂତ୍ରୀର ଏସଓପି ମଧ୍ୟ ଜାରି ହୋଇଛି। ଡ୍ୟୁଟି ସମୟରେ ଏମାନେ ସଫା ୟୁନିଫର୍ମ ପିନ୍ଧିବେ। ବଡି କ୍ୟାମେରା ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଯଦି କୌଣସି ଜରୁରିକାଳୀନ ପରିସ୍ଥିତି ଉପୁଜିଲା, ତାହେଲେ ତୁରନ୍ତ କଣ୍ଟ୍ରୋଲ ରୁମ୍ ଓ ବରିଷ୍ଠ ଅଧିକାରୀଙ୍କୁ ଜଣାଇବେ। ଡ୍ୟୁଟି ସମୟରେ ଏକ ଡାଏରି ଧରିବେ। ଏଥିରେ ଡ୍ୟୁଟି ସମୟର ବିବରଣୀ ଉଲ୍ଲେଖ ରହିବ। ଯଦି କେଉଁଠି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ନଜରକୁ ଆସେ, ତାହେଲେ ଷ୍ଟେସନ୍‌ ଡାଏରି କରାଯିବ। ସେହିପରି ଡ୍ୟୁଟି ସରିବା ପରେ ଡାଏରିରେ ଉଲ୍ଲେଖ କରାଯାଇଥିବା ବିବରଣୀ ତଳେ ଥାନା ଆଇଆଇସି ଦସ୍ତଖତ କରିବେ। ଟ୍ରାଫିକ୍‌ ଏସିପି ଓ ଆଇଆଇସି ଏମାନଙ୍କର କାର୍ଯ୍ୟକୁ ନିୟମିତ ତଦାରଖ କରିବେ। ସୂଚନାଯୋଗ୍ୟ, ପୂର୍ବରୁ ଟ୍ରାଫିକ ପୁଲିସରେ ଏଏସ୍ଆଇ ପାହ୍ୟାର ଅଧିକାରୀ ଚାଲାଣ କାଟୁଥିଲେ।

ସମ୍ବନ୍ଧିତ ଖବର