ମହାପ୍ରଭୁଙ୍କ ରତ୍ନ ସିଂହାସନ‌ରେ ହେବ ଲେଜର ସ୍କାନିଂ

ପୁରୀ : ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ କରାଯିବ। ଲେଜର ସ୍କାନିଂ ସହ ଏହାକୁ ରେକର୍ଡ କରି ସାଇତାଯିବ। ଏହି କାର୍ଯ୍ୟ ସମ୍ପାଦନ ପାଇଁ କେତେ ସମୟ ଲାଗିବ ଏବଂ କ’ଣ ଆହ୍ବାନ ରହିବ, ସେ ବିଷୟ ଆଲୋଚନା ହୋଇଛି। ରତ୍ନ ସିଂହାସନରୁ ପଥର ଗାଏବ ହେବା ନେଇ ଚର୍ଚ୍ଚା ହୋଇଥିବାବ‌େଳେ ଗତ ବର୍ଷ ଏହାକୁ ଗୁରୁତ୍ବର ‌ସହ ନେଇ ଏହାର ଡକ୍ୟୁମେଣ୍ଟେସନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଫଳସ୍ବରୂପ ଗତ ମାସରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ ବୈଠକ ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ମୁତାବକ, ଲେଜର ସ୍କାନିଂ ଓ ଡକ୍ୟୁମ‌େଣ୍ଟେସନ ପୂର୍ବରୁ ଏହାର ଉଦ୍ଦେଶ୍ୟ ଓ ଆବଶ୍ୟକତା ବାବଦରେ ଛତିଶା ନିଯୋଗର ସେବାୟତଙ୍କ ସହ ଆସନ୍ତା ବୈଠକରେ ଆଲୋଚନା କରାଯିବ। ମନ୍ଦିର ପ୍ରଶାସନର ଅନୁମତି ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଏକ ଦକ୍ଷ ଏଜେନ୍ସିକୁ ଏହି ଦାୟିତ୍ବ ଦିଆଯିବ। ସେବାୟତଙ୍କର ଗୋଟିଏ ଦଳ ପ୍ରଶାସନ ପକ୍ଷରୁ ଚୟନ କରାଯିବ। ସର୍ବେକ୍ଷଣ ଓ ମରାମତି ବେଳେ ଏହି ଦଳ ଉପସ୍ଥିତ ରହିବା ସହ ଯୋଗସୂତ୍ର ରକ୍ଷା କରିବେ।

ଏହାବ୍ୟତୀତ ଗର୍ଭଗୃହ ଓ ଜଗମୋହନ ମଧ୍ୟରେ ପାଣି ପ୍ରବେଶ କରୁଥିବାରୁ ଏହାର ସମାଧାନ ପାଇଁ ଏଏସ୍‌ଆଇ କାମ ଆରମ୍ଭ କରିବ। ଗର୍ଭଗୃହର ଚଟାଣ କାନ୍ଥ ଦୁର୍ବଳ ଥିବାନେଇ ଗତବର୍ଷ ନମୁନା ସଂଗ୍ରହ କରାଯାଇ ଲାବ୍‌କୁ ପଠାଯାଇଥିଲା। ମାତ୍ର ଏହି ରିପୋର୍ଟ ଏପର୍ଯ୍ୟନ୍ତ ଆସିପାରିନାହିଁ। ତେଣୁ ଏଏସ୍‌ଆଇ ଟିମ୍‌ ଲାବ୍‌ ସହ ଯୋଗାଯୋଗ ଭିତ୍ତିରେ ଆସନ୍ତା କିଛିଦିନ ମଧ୍ୟରେ ରିପୋର୍ଟ ଆଣିବା ସହ ଆସନ୍ତା ବୈଠକରେ ଏହାର ସମାଧାନ ନେଇ ମତ ରଖିବ। ପ୍ରଥମ ଫ୍ଲୋର୍‌ରେ ଆର୍ଦ୍ରତା ବେଶି ରହୁଥିବାରୁ ଏଏସ୍‌ଆଇ ଟିମ୍‌ ପୂର୍ବରୁ ଏଠାର ଆର୍ଦ୍ରତା ସମ୍ପର୍କରେ ରଖିଥିବା ତଥ୍ୟ ସହ ଚଳିତ ବର୍ଷର ଆର୍ଦ୍ରତାର ପରିମାଣର ତଥ୍ୟ ଜଣାଇବା ପରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ବଜ୍ରପାତ ନିରୋଧକ ଓ ନିଷ୍କାସନ ପଙ୍ଖାର ସ୍ଥିତି ପରଖିବା ସହ ପରବର୍ତୀ ପଦକ୍ଷେପ ନେବେ। ଗର୍ଭଗୃହକୁ ପବନ ଚଳାଚଳ ପାଇଁ ଏଏସ୍‌ଆଇ ପକ୍ଷରୁ ଆବଶ୍ୟକ କାମ କରାଯିବ। ଗର୍ଭଗୃହରେ କେବଳ ରଥ ୯ ଦିନ କାମ କରିବାର ସୁଯୋଗ ମିଳୁଥିବାରୁ ଏଏସ୍‌ଆଇ ଏହା ମଧ୍ୟରେ କାନ୍ଥ, ରୁପା ଦ୍ବାର, କଳାହାଟ ଦ୍ବାର, ଦ୍ବାର ସ୍ତମ୍ଭଗୁଡ଼ିକୁ ରସାୟନ ସଫେଇ କରିବ।

ଜଗମୋହନର ସ୍ଲୋପିଂ ଛାତର ପଥର ସ୍ଥିତି ଅନୁଧ୍ୟାନ କରି ଏ ଦିଗରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ କୋର କମିଟି ସହ ପରାମର୍ଶ କରି ଆସନ୍ତା ବୈଠକରେ ଏଏସ୍‌ଆଇକୁ ଜଣାଇବାକୁ କୁହାଯାଇଛି। ଏପ୍ରିଲ୍‌ରେ ସେଣ୍ଟ୍ରାଲ୍‌ ବିଲ୍‌ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଦେଇଥିବା ରିପୋର୍ଟ କୋର୍‌ କମିଟି ଦ୍ବାରା ପରୀକ୍ଷାନୀରିକ୍ଷା କରାଯାଇ ଦୁର୍ବଳ ପଥର ବିମ୍‌ ଉପରୁ ଚାପ ହଟାଇବାକୁ ନିଷ୍ପତ୍ତି ହୋଇଛି। ନାଟମଣ୍ଡପର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ କିଛି ସ୍ଥାନରେ ଫାଟ ଦେଖାଯାଇଥିବା ବ‌େଳେ ଏଏସ୍‌ଆଇ ଟିମ୍‌ ଏହାର ପରୀକ୍ଷା ନୀରିକ୍ଷା କରି ଏହାର ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ନାଟମଣ୍ଡପର ପୂର୍ବ ପାର୍ଶ୍ବରେ ପଥର ବିମ୍‌ରେ ଫାଟ ଚିହ୍ନ ଥିବାରୁ ଏ ସଂକ୍ରାନ୍ତରେ ଆଇଆଇଟି ମାଡ୍ରାସର ରିପୋର୍ଟକୁ କୋର୍‌ କମିଟି ଦ୍ବାରା ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିଭଳି ଭୋଗମଣ୍ଡପରେ କିଛି ଯୋଡ଼େଇ ପଥରକୁ ସ୍ଥାନାନ୍ତର କରାଯିବ। ଭୋଗମଣ୍ଡପ ଓ ରୋଷଘରର ଖରାପ ହୋଇଯାଇଥିବା ଚଟାଣ ପଥରକୁ କଢ଼ାଯାଇ ନୂଆ ପଥର ବସାଯିବ। ଏହା ମଧ୍ୟରେ ନାଳ ବ୍ୟବସ୍ଥାକୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ସୁବ୍ୟବସ୍ଥିତ କରାଯିବ। ଏନେଇ କେତେ ଖଣ୍ଡୋ‌ଲାଇଟ୍‌ ପଥର ଆବଶ୍ୟକ ସେ ସମ୍ପର୍କରେ ଏଏସ୍ଆଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଜଣାଇବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର