କୁମାର ପୂର୍ଣ୍ଣିମାରୁ ଦୀପାବଳି, ରାଜଧାନୀରେ ଜୁଆ ଆଡ଼ା ସକ୍ରିୟ

ଦୁଇ ସପ୍ତାହରେ ୪ ଠାବ, ୨୪ ଗିରଫ

ଭୁବନେଶ୍ବର: ପାର୍ବଣ ଋତୁ ଆରମ୍ଭ ହେବା କ୍ଷଣି ରାଜଧାନୀରେ ଜୁଆ ଆଡ଼ାଗୁଡିକ ସକ୍ରିୟ ହୋଇଉଠିଲାଣି। ବିଶେଷକରି କୁମାର ପୂର୍ଣ୍ଣିମାଠାରୁ ଦୀପାବଳି ପର୍ଯ୍ୟନ୍ତ ରାଜଧାନୀରେ ଜୁଆଖେଳର ଆସର ଜମିଥାଏ। ଏବେ ବସ୍ତିଠାରୁ ଆରମ୍ଭ କରି ବିଭିନ୍ନ ଆପାର୍ଟମେଣ୍ଟରେ ଜୁଆଖେଳ ଅତ୍ୟନ୍ତ ସନ୍ତର୍ପଣରେ ଚାଲିଛି। କମିସନରେଟ୍‌ ପୁଲିସ ଏବେ ଏହି ଜୁଆ ଆଡ଼ା ଉପରେ ନଜର ପକାଇବା ଆରମ୍ଭ କରିଛି। ଦୁଇ ସପ୍ତାହ ମଧୢରେ କମିସନରେଟ ପୁଲିସ ୪ଟି ସ୍ଥାନରେ ଚଢ଼ଉ କରି ୪ ଜୁଆ ଆଡ଼ା ଠାବ କରିବା ସହ ଟଙ୍କା ଜବତ କରିଛି। ଆଡ଼ାରୁ ୨୪ଜଣ ଜୁଆଡ଼ିଙ୍କୁ ମଧୢ ଗିରଫ କରି ସାରିଲାଣି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଅଧିକ ହେବ ବୋଲି  ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଲୋକ କୁମାର ପୂର୍ଣ୍ଣିମାଠାରୁ ଦୀପାବଳି ପର୍ଯ୍ୟନ୍ତ ଜୁଆ ଖେଳିଥାନ୍ତି। ରାଜଧାନୀରେ ରହୁଥିବା ଦକ୍ଷିଣ ଓଡ଼ିଶା ଲୋକ ଏହାକୁ ବିଭିନ୍ନ ଉପାୟରେ ଖେଳିଥାନ୍ତି। କେତେକ ଜୁଆଡ଼ି ଛୋଟ ଛୋଟ ହୋଟେଲ ଓ ଲଜ୍‌ ରୁମ୍‌ ଭଡ଼ାରେ ନେଇ ତାସପାଲିରେ ଜୁଆ ମଧୢ ଖେଳୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏପରିକି ରାତି ମଧୢ ପାହି ଯାଉଛି କିନ୍ତୁ ଜୁଆ ଖେଳ ସରୁନାହିଁ। ଏଭଳି ଖେଳରେ କିଏ ମାଲାମାଲ ହେଉଛି ତ ଆଉ କିଏ ସର୍ବସ୍ବ ହରାଉଛି। ବିଶେଷକରି ସତ୍ୟନଗର, ଶାସ୍ତ୍ରୀନଗର, ସହିଦନଗର, ଚନ୍ଦ୍ରଶେଖରପୁର, ସାଲିଆସାହି, ଭରତପୁର, ପୁରୁଣା ଭୁବନେଶ୍ବର, ୟୁନିଟ-୩, ନୂଆପଲ୍ଲୀ, ବରମୁଣ୍ତା, ଜନପଥରେ ଥିବା କେତେକ ହୋଟେଲ ଓ ଲଜ୍‌ରେ ଏଭଳି ଖେଳ ଜୋରଦାର ଭାବେ ଚାଲିଛି। ରାଜଧାନୀ ଉପକଣ୍ଠରେ ଥିବା କେତେକ ଗ୍ରାମରେ ମଧୢ ଜୁଆ ଖେଳ ହେଉଛି। ଏ ସମ୍ପର୍କରେ ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ଜୁଆ ଖେଳ ହେଉଥିବା ଖବର ଆସିଲେ ପୁଲିସ ତୁରନ୍ତ ଚଢ଼ଉ କରିବ। ଏହାଛଡ଼ା ଯେଉଁଠି ଜୁଆ ଖେଳ ହେଉଛି ବୋଲି ଖବର ଆସୁଛି, ସାଧାରଣ ଲୋକ ଚାହିଲେ, ପୁଲିସକୁ ସୂଚନା ଦେଇ ପାରିବେ।

ସମ୍ବନ୍ଧିତ ଖବର