୧୧ ବର୍ଷ ହେଲା ରହସ୍ୟଘେରରେ ଗଣ୍ଡରପୁର ଡବଲ୍ ମର୍ଡର୍‌

ଅସମାହିତ ଅପରାଧ

ଦୁଇ ଜଣଙ୍କୁ ମୁଣ୍ଡ କାଟି ବୀଭତ୍ସ ହତ୍ୟା କରାଯାଇଥିଲା
ଦୁଇ ମାସରେ ବନ୍ଦ ହୋଇ ଯାଇଥିଲା ତଦନ୍ତ ଫାଇଲ

ଭୁବନେଶ୍ବର : ଫେବ୍ରୁଆରି ୫ ତାରିଖରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଅଚିହ୍ନା, ଅଜଣା ଥିବା ଏହି ରହସ୍ୟମୟ ହତ୍ୟା ମାମଲାକୁ କମିସନରେଟ୍‌ ପୁଲିସ ୮ଦିନ ଭିତରେ ପର୍ଦ୍ଦାଫାସ୍ କରିଥିଲା। ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା। ଏଥିପାଇଁ କମିସନରେଟ୍ ପୁଲିସକୁ ଚାରିଆଡୁ ବେଶ୍ ସାବାସି ମିଳିଛି। କିନ୍ତୁ କମିସନରେଟ୍‌ ପୁଲିସ ତିଆରି ହେଲା ପରଠାରୁ ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡ ଉପରୁ ପରଦା ଉଠି ପାରିନାହିଁ। ଅନେକ ମାମଲାରେ ଫେଲ୍ ମାରିଛି କମିସନରେଟ୍‌ ପୁଲିସ। ତଦନ୍ତ ଫାଇଲରେ ଡୋରି ବନ୍ଧା ହୋଇଯାଇଛି। ଏମିତି କିଛି ମାମଲାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରୟାସ ‘ଅସମାହିତ ଅପରାଧ’। ଏଥର ୧୧ବର୍ଷ ତଳେ ଗଣ୍ଡରପୁର ଡବଲ ମର୍ଡର୍‌ ଘଟଣାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ଲୋମଟାଙ୍କୁରା ଡବଲ୍ ମର୍ଡର
୨୦୦୯ ମାର୍ଚ୍ଚ ୨୭ ତାରିଖ। ରାଜଧାନୀ ଉପକଣ୍ଠ ଗଣ୍ଡରପୁରସ୍ଥିତ କୁଆଖାଇ ନଦୀପଠାରେ କିଛି ପିଲା ଖେଳୁଥିବା ବେଳେ ସେଠାରେ ଥିବା ଅର୍ଦ୍ଧନିର୍ମିତ ମନ୍ଦିର ପରିସରରେ ଦୁଇଜଣଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ବର ପୁଲିସ। ସେହିଦିନ ଗୋଟିଏ ଶବକୁ ଚିହ୍ନଟ କରାଯାଇଥିଲା। ମୃତକ ଥିଲେ ଗଣ୍ଡରପୁର ମଝିସାହିର ସୁରେନ୍ଦ୍ର ପଢ଼ିହାରୀ। ଅନ୍ୟ ଜଣେ ମୃତକଙ୍କ ପରିଚୟ ଗୋଟିଏ ଦିନ ପରେ ମିଳିଥିଲା। ସେ ଥିଲେ ବଡ଼ମ୍ବା ଗୋପୀନାଥପୁର ଅଞ୍ଚଳର ବାସୁଦେବ ବାରିକ। ମୃତଦେହ ପଚି ଦୁର୍ଗନ୍ଧ ବାହାରୁ ଥିବାରୁ ଦୁଇ ତିନି ଦିନ ତଳର ଘଟଣା ବୋଲି ଅନୁମାନ କରାଯାଉଥିଲା। ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହାଣି ଉଭୟଙ୍କୁ ହତ୍ୟା କରା ଯାଇଥିଲା।

ହତ୍ୟାକାରୀଙ୍କ ସହ ଥିଲା କି ରାଜନେତାଙ୍କ ଲିଙ୍କ୍?
ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା, ଠିକାଦାରୀ ନା ଅନ୍ୟ କିଛି କାରଣ ରହିଥିଲା, ତାହା ଉପରୁ ପୁଲିସ ପରଦା ହଟାଇ ପାରି ନଥିଲେ ମଧ୍ୟ ଠିକାଦାରୀ ବିବାଦ ମୁଖ୍ୟ କାରଣ ବୋଲି ପରିବାରଲୋକ ସେତେବେଳେ ଅଭିଯୋଗ କରିଥିଲେ। ଜଣେ ଶ୍ରମିକ ଠିକାଦାରଙ୍କ ସହ ଜଣେ ରାଜନେତାଙ୍କର ଲିଙ୍କ୍ ରହିଥିବା ଅଭିଯୋଗ ହୋଇଥିଲା। ସମ୍ଭବତଃ ଏହି କାରଣରୁ ତଦନ୍ତ ଆଉ ଆଗକୁ ଯାଇ ପାରି ନଥିଲା। ଯଦି କମିସନରେଟ ପୁଲିସ ଫେଲ୍ ମାରିଲା, ତାହାଲେ କ୍ରାଇମବ୍ରାଞ୍ଚ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଗଲା ନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ମଧ୍ୟ ଉଠିଥିଲା। ପୁଲିସ କାହିଁକି ନିଜ ପାଖରେ ତଦନ୍ତ ଫାଇଲକୁ ରଖି ସମୟ ଗଡ଼ାଇ ଗଡ଼ାଇ ବନ୍ଦ କରି ଦେଇଥିଲା? ୧୧ବର୍ଷ ତଳେ ରାଜଧାନୀରେ ଘଟିଥିବା ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡର ହତ୍ୟାକାରୀ ଧରା ନପଡ଼ିବା କମିସନରେଟ୍ ପୁଲିସର ଦକ୍ଷତା ଉପରେ ଏକ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।

ଚାରି ଦିଗକୁ ସନ୍ଦେହ କରି ତଦନ୍ତ କରିଥିଲା
ପ୍ରଥମେ ମୃତ ସୁରେନ୍ଦ୍ରଙ୍କ ପରିଚୟ ମିଳିବାରୁ ତାଙ୍କ ପରିବାରଲୋକ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା; ହତ୍ୟାର ଶିକାର ହୋଇଥିବା ବଡ଼ମ୍ବା ଗୋପୀନାଥପୁର ଅଞ୍ଚଳର ବାସୁଦେବ ବାରିକ ସେହି ଅଞ୍ଚଳର ଜଣେ ଠିକାଦାର ସମୀରଙ୍କ ପାଖରେ ସୁପରଭାଇଜର୍‌ ଭାବେ କୁଆଖାଇ ନଦୀବନ୍ଧ ଘେରି କାମ କରୁଥିଲେ। ତେବେ ପରେ ସମୀରଙ୍କଠାରୁ ଅଲଗା ହୋଇ ବାସୁଦେବ ଶ୍ରମିକ ଠିକାଦାର ଭାବେ କାମ ଆରମ୍ଭ କଲେ। ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ନଦୀବନ୍ଧ କାମ ଚାଲୁଥିବାରୁ ସୁରେନ୍ଦ୍ରଙ୍କ ମନ୍ଦିରରେ ସେ ଅନେକ ସମୟରେ ବସାଉଠା କରନ୍ତି। ବାସୁଦେବଙ୍କୁ ସେହି ମନ୍ଦିର ଭିତରେ ଦୁର୍ବୃତ୍ତମାନେ ହତ୍ୟା କରିବା ସମୟରେ ସୁରେନ୍ଦ୍ର ଦେଖିଦେବାରୁ ତାଙ୍କୁ ମଧ୍ୟ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଥିଲା।

ବାସୁଦେବଙ୍କ ପରିବାରଲୋକ ଅଭିଯୋଗ ଆଣିଥିଲେ, ଠିକାଦାର ସମୀର ସହ ମିଶି ସେ ପୂର୍ବରୁ କାମ କରୁଥିଲେ। ସମୀର ଓ ତା’ର ଦୁଇ ସହଯୋଗୀ ପଙ୍କଜ ଚୌଧୁରୀ ଏବଂ ବିବି ମହୁଖଣ୍ଡାରେ ରହି ନରଣପୁର ଅଞ୍ଚଳରେ କାମ କରୁଥିଲେ। ଶ୍ରମିକଙ୍କ ଖାଇବା ଲାଗି ସ୍ଥାନୀୟ ଅଞ୍ଚଳର ଏକ ତେଜରାତି ଦୋକାନରୁ ବାସୁଦେବ ବାକିରେ ସଉଦା ନେଉଥିଲେ। ଦୋକାନୀ ବାକି ଟଙ୍କା ମାଗିବାରୁ ବାସୁଦେବ ସମୀର ଓ ଦୁଇ ସହଯୋଗୀଙ୍କୁ ମାଗିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ବିବି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଦୋକାନୀ ଗୋଟିଏ ରାତି ବାସୁଦେବଙ୍କୁ ଅଟକ ମଧ୍ୟ ରଖିଥିଲେ। ଏହାପରେ ବାସୁଦେବ ବନମାଳୀପୁର ଅଞ୍ଚଳର ଅନ୍ୟ ଜଣେ ଠିକାଦାରଙ୍କ ସହ ଯୋଗାଯୋଗ କରିଥିଲେ। ମାର୍ଚ୍ଚ ୨୨ ତାରିଖରେ ଘରକୁ ଫୋନ୍ କରିଥିବା ସମୟରେ ବାସୁଦେବ ଏ ସମସ୍ତ କଥା ଜଣାଇଥିଲେ ବୋଲି ପରିବାରଲୋକ ଅଭିଯୋଗ କରିଥିଲେ। ଏହା ହତ୍ୟାକାଣ୍ଡ ପଛର ଏକ ପ୍ରମୁଖ କାରଣ ବୋଲି ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଆଉ ଦୁଇଟି ଦିଗରେ ମଧ୍ୟ ପୁଲିସ ତଦନ୍ତ ଚଳାଇଥିଲା। ସୁରେନ୍ଦ୍ର ନଦୀପଠାରେ ତିଆରି କରିଥିବା ମନ୍ଦିରକୁ ଜଣେ ବାବା ଆସିଥିଲେ। ବଳି ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହୋଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଉପରେ ମଧ୍ୟ ପୁଲିସର ସନ୍ଦେହ ହୋଇଥିଲା। ହେଲେ ଦୁଇ ମାସ ଧରି ତଦନ୍ତ ହେବା ପରେ ଆଉ ଆଗକୁ ବଢ଼ି ପାରି ନ ଥିଲା। ତଦନ୍ତ ଫାଇଲରେ ଡୋରି ବନ୍ଧା ହୋଇଯାଇଥିଲା।

ସମ୍ବନ୍ଧିତ ଖବର