୨୦ ଗୁଣା ବଢ଼ିଲାଣି ମୂର୍ତି ପୂଜା, ପରିବେଶକୁ ନିଘା ନାହିଁ

ସବୁ କହୁଛନ୍ତି, କରୁଛି କିଏ?

ଭୁବନେଶ୍ବର : ଗାଇଡ୍‌ଲାଇନ୍‌ ଜାରି ହୋଇଛି। କଟକଣା ପାଇଁ ନିର୍ଦେଶ ଅଛି। ସଚେତନ କରିବାକୁ ପ୍ରଶାସନ ଦାୟିତ୍ବ ନେଇଛି। ପୂଜାନୁଷ୍ଠାନ ବି ପ୍ରଶାସନର ହଁ ସାଙ୍ଗେ ହଁ ମିଶାଉଛନ୍ତି। ହେଲେ ବାସ୍ତବ ଚିତ୍ର ଓଲଟା। ଆଜି ବି ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ନିର୍ମିତ ହଜାର ହଜାର ସଂଖ୍ୟାରେ ଗଣେଶ ମୂର୍ତି ପୂଜା ପାଉଛନ୍ତି। ମୂର୍ତିକୁ ଆକର୍ଷଣୀୟ କରିବା ପାଇଁ ରାସାୟନିକ ରଙ୍ଗକୁ ଏକମାତ୍ର ବିକଳ୍ପ ଭାବେ ଆପଣା ଯାଉଛି। ବିଡ଼ମ୍ବନା ‌ଏହି ଯେ, ଏଇ କିଛି ବର୍ଷ ହେବ ଗଣେଶ ପୂଜା ସଂଖ୍ୟା ୨୦ ଗୁଣା ବଢ଼ିଛି। ଦିନ ଥିଲା ପାଞ୍ଚ ସାହି ମିଶି ଗୋ‌ଟିଏ ସ୍ଥାନରେ ଗଣେଶ ପୂଜା କରୁଥିଲେ। ଏବେ କିନ୍ତୁ ପ୍ରତି ସାହିରେ ୫ଟି ଲେଖାଏଁ ପୂଜା ହେଉଛି। ବିଏମ୍‌ସି ରାଜଧାନୀର ୫ ହଜାର ମୂର୍ତି ବିସର୍ଜନ ପାଇଁ ୨ ନଦୀ ପାର୍ଶ୍ବରେ ୩ଟି ଅସ୍ଥାୟୀ ପୋଖରୀ ଖୋଳି ଦେଇ କାମ ସାରିଦେଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଜ୍ଞାପନ ଦେଇ ବସି ଯାଇଛି। କିଛି ପୂଜା ମଣ୍ଡପ ପ୍ରାକୃତିକ ରଙ୍ଗ ବ୍ୟବହାର କରୁଛନ୍ତି ବୋଲି ବାହାସ୍ଫୋଟ ମାରୁଛନ୍ତି। ମାତ୍ର ସହରରେ ବିକ୍ରି ହେଉଥିବା କୌଣସି ଗୋଟିଏ ବି ମୂର୍ତି ପ୍ରାକୃତିକ ରଙ୍ଗରେ ନିର୍ମିତ ହୋଇନାହିଁ। ପୂଜା ମଣ୍ଡପରେ ସ୍ବତନ୍ତ୍ର ମୂର୍ତି ତିଆରି କରି ପୂଜା କରାଯାଉଥିବା ଗଣେଶଙ୍କୁ ପ୍ରାକୃତିକ ରଙ୍ଗରେ ସଜାଇବାକୁ ପୂଜାନୁଷ୍ଠାନ କର୍ମକର୍ତାଙ୍କ ଭରସା ପାଉନି। ତେବେ ଏଥିପାଇଁ ଦାୟୀ କିଏ? ପ୍ରଶାସନ, ପ୍ରଦୂଷଣ ବୋର୍ଡ ନା ପୂଜାନୁଷ୍ଠାନ?

ମୂର୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମିତ ହେଉଥିଲେ ହେଁ ତାହା ଲୋକ ଦେଖାଣିଆ। ନଦୀ ଗର୍ଭରେ ୯୦ ପ୍ରତିଶତ ମୂର୍ତି ବିସର୍ଜନ କରାଯାଉଛି। ଏମିତି ବି ଖୋଳାଯାଉଥିବା ଅସ୍ଥାୟୀ ପୋଖରୀରେ ଯେଉଁ ମୂର୍ତି ବିସର୍ଜନ ହେଉଛି ତାହା ମୃତ୍ତିକାକୁ ବିଷାକ୍ତ କରୁଛି। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ର ବ୍ୟବହାର ଯୋଗୁଁ ‌ସଲ୍‌ଫର, ଫସଫରସ, କ୍ରୋମିୟମ ଭଳି ଧାତୁ ଦୀର୍ଘଦିନ ଧରି ନଦୀ ଜଳରେ ରହୁଛି। ବାର୍ନିସ ରଙ୍ଗ ପାଣିରେ ମିଶିବାରୁ ମର୍କୁରି, ସୀସା, ପାରଦ ମଧ୍ୟ ପାଣି ସହ ମିଶୁଛି। ଯେବେ ନଦୀରେ ପାଣି ବଢ଼ୁଛି ତାହା ସେଇ ଅସ୍ଥାୟୀ ପୋଖରୀର ଜଳରାଶି ସହ ମିଶି ପୁଣି ପ୍ରଦୂଷିତ ହେଉଛି ବୋଲି କହିଛନ୍ତି ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀ।

ଏନେଇ ପରିବେଶବିତ୍‌ ଡ. ସୁନ୍ଦର ନାରାୟଣ ପାତ୍ର କହିଛନ୍ତି, ଆମ ପିଲାବେଳେ ନଦୀର ଜଳ ଧାରଣ କ୍ଷମତା ଯେତିକି ଥିଲା ଆଜି ସେତିକି ନାହିଁ। ସେତେବେଳେ ନଦୀ ବହୁ ଗଭୀର ଥିଲା। ମାତ୍ର ଉପର ମୁଣ୍ଡରେ ଜଙ୍ଗଲ କାଟି ପଦା କରିଦେବା ପରେ ମାଟିକୁ ଧରି ରଖୁଥିବା ବୃକ୍ଷରାଜିକୁ ଭାଙ୍ଗି ଯିବା ପରେ ନଦୀ ପୋତି ହୋଇଗଲାଣି। ତେଣୁ ଆଗରୁ ୩ ଦିନର ଲଗାଣ ବର୍ଷା ହେଲେ ବଢ଼ି ପାଣି ଆସୁଥିବା ବେଳେ ଏବେ ଅସରାଏ ବର୍ଷାରେ ବଢ଼ି ପାଣି ନଦୀରେ ଆସିଯାଉଛି। ଏଣେ ନଦୀର ଜଳଧାରଣ କ୍ଷମତା କମୁଥିବା ବେଳେ ଅନ୍ୟ ପଟେ ଏହି ଜଳରାଶିରେ ହଜାର ହଜାର ମୂର୍ତି ବିସର୍ଜନ କରି ନଦୀ ଗର୍ଭକୁ ବିଷରେ ଭରି ଦିଆଯାଉଛି। ଲୋକେ ଜାଣି ରଖିବା ଆବଶ୍ୟକ ଯେ ଏହି ନଦୀର ଜଳକୁ ହିଁ ବିଶୋଧନ କରି ପ୍ରଶାସନ ଆମକୁ ପାନୀୟ ଜଳ ଯୋଗାଉଛି। ତେବେ ଜଳ ବିଶୋଧନ ବେଳେ ଯେ ସବୁ ‘ଟକ୍ସିକ୍‌ ୱେଷ୍ଟ୍‌’କୁ ବାହାର କରିଦିଆଯାଉଛି ତାହା ଭାବି ନେବା ଭୁଲ୍‌।

ବାସ୍ତବ କଥା ହେଉଛି, ଚୀନ୍‌ ସହ ଶତ୍ରୁତା ପରେ ଆମେ ଚାଇନା ଜିନିଷର ବ୍ୟବହାର କମେଇ ଦେଇପାରିଲେ। ବିମୁଦ୍ରୀକରଣ ଭଳି ଛାଟକୁ ବି କା‌ଳକ୍ରମେ ହଜମ କରିନେଲେ। ମାତ୍ର ବାରମ୍ବାର ଚେତାବନୀ ପରେ ମଧ୍ୟ ବିପଦରେ ପଡ଼ିଥିବା ପରିବେଶ ପ୍ରତି ଦରଦ ଦେଖେଇଲେ ନାହିଁ। ପ୍ରତିଯୋଗିତା ମୂଳକ ମାନସିକତା ହିଁ ପରିବେଶକୁ ବାରମ୍ବାର ଚୋଟ ପହଞ୍ଚାଇ ଚାଲିଛି। ଏହା କେବଳ ପରିବେଶକୁ ପ୍ରଦୂଷିତ କରୁନାହିଁ। ବରଂ ମଣିଷ ମଣିଷ ମଧ୍ୟ‌ରେ ଦୂରତା ବଢ଼ାଇ ଚାଲିଛି। ଏତେ ସଂଖ୍ୟାରେ ପୂଜା ଆୟୋଜନ ଯୋଗୁଁ ଗୋଷ୍ଠୀଗତ ମଣିଷ ଧୀରେଧୀ‌ରେ ସଙ୍କୁଚିତ ହୋଇ ‘ଆମେ’ରୁ ‘ମୁଁ’ରେ ପହଞ୍ଚିଗଲେଣି। ମଣିଷ ପ୍ରତିଯୋଗିତାମୂଳକ ମନୋଭାବ ଦେଖାଇବା ଭଲ ଲକ୍ଷଣ। ମାତ୍ର ଯୋଉ ପ୍ରତିଯୋଗିତା ପରିବେଶ ପ୍ରତି ବିପଦ ଡାକି ଆଣୁଛି, ମଣିଷ ମଣିଷ ମଧ୍ୟରେ ଦୂରତା ବଢ଼ାଉଛି ସେ ପ୍ରତିଯୋଗିତାର ମୂଲ୍ୟ କ’ଣ ତାହାର ବିଚାର ଆପଣ କରନ୍ତୁ।

ସମ୍ବନ୍ଧିତ ଖବର