ଲୁଣ ବସ୍ତା ତଳେ ଗଞ୍ଜେଇ, ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରୁ ଧରିଲା ଏନ୍‌ସିବି

ଟ୍ରକ୍ ସହ ସାଢ଼େ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ, ବିଜୟନଗରମ୍‌ରୁ ବିହାର ଭାୟା ଓଡ଼ିଶା

ଭୁବନେଶ୍ବର : ଲୁଣ ବସ୍ତା ତଳେ ଗଞ୍ଜେଇ ଚାଲାଣ ଘଟଣାର ପର୍ଦ୍ଦାଫାସ୍ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁବନେଶ୍ବର ଶାଖା। ଗତରାତିରେ ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରେ ଏନ୍‌ସିବି ଟିମ୍ ଚଢ଼ଉ କରି ଏକ ଟ୍ରକ୍‌ (ଓଆର୦୫-ଏଜେ-୩୫୦୪)କୁ ଜବତ କରିଛି। ସେଥିରୁ ୪କ୍ବିଣ୍ଟାଲ ୫୯କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲା, ବିହାରର ମନୋହର ଯାଦବ। ଏନ୍‌ସିବି ସୂଚନା ଅନୁସାରେ, ଗଞ୍ଜେଇ ଆନ୍ଧ୍ରପ୍ରଦେଶର ବିଜୟନଗରମରୁ ଓଡ଼ିଶା ଦେଇ ବିହାର ଯାଉଥିଲା। ଏହି ଘଟଣାରେ ଟ୍ରକ୍‌ ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଆଉ କେଉଁମାନେ ସମ୍ପୃକ୍ତ, ସେମାନଙ୍କୁ ମଧ୍ୟ ଖୋଜାଯିବ। ପୂର୍ବରୁ କଖାରୁ ଓ ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେବାର ନଜିର ରହିଛି।

ସମ୍ବନ୍ଧିତ ଖବର