ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା, ୫ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

ବାଲିଅନ୍ତା : ପାହାଳ ଫାଣ୍ଡି ଅଧୀନ ଜୟପୁର ଗାଁରେ ଶନିବାର ସଂଧ୍ୟାରେ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇନଥିବା ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ କହିଛନ୍ତି। ଅଗ୍ନିକାଣ୍ଡ‌ରେ ପ୍ରକାଶ ଭୋଇ, ବିକାଶ ଭୋଇ, ପବିତ୍ର ଭୋଇ, ପ୍ରଶାନ୍ତ ଭୋଇ, ସୁକାନ୍ତ ଭୋଇ ଓ ବିବେକାନନ୍ଦ ଭୋଇଙ୍କ ୭ବଖରା ଘର ସଂପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି। ଖବର ପାଇ ଭୁବନେଶ୍ବର କଳ୍ପନା, ଚନ୍ଦ୍ରଶେଖରପୁର ଏବଂ ବାଲିଅନ୍ତା ଅଗ୍ନିଶମ ସେବା କର୍ମଚାରୀ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ଘରେ ଥିବା ଧାନ, ଚାଉଳ, ଲୁଗାପଟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି।

ସୂଚନା ମୁତାବକ, ପ୍ରକାଶ ଭୋଇଙ୍କ ରୋଷେଇ ଘରେ ଗ୍ୟାସ ଟାଙ୍କି ପାଇପ୍‌ରେ ଲିକେଜ ହୋଇ ହଠାତ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଏହି ବିସ୍ଫୋରଣ ନିଆଁ ପାଖ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା। ସଂଧ୍ୟା ସମୟରେ ନିଆଁ ଲାଗିଥିବାରୁ ଗ୍ରାମବାସୀ ପହଞ୍ଚି ନିଆଁ ଲିଭାଇବା ଚେଷ୍ଟା କରିଥିଲେ। ହେଲେ ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ ଚାହୁଁଚାହୁଁ ସବୁ ଜିନିଷପତ୍ର ପୋଡ଼ି ଯାଇଥିଲା। ବଡ଼ କଥା ହେଉଛି, ଏହା ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ବିପନ୍ନ ପରିବାର ଲୋକଙ୍କ ପାଖରେ ପହଞ୍ଚି ସହାୟତା କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର