ଭଲ କବିତା ଉତ୍ତରପିଢ଼ିଙ୍କ ପାଖରେ ପହଞ୍ଚୁ: ସୌମ୍ୟରଞ୍ଜନ

ରାଜୁ ସାମଲଙ୍କ ‘ତୁମରି ଛବିରେ ତୁମେ’ ଉନ୍ମୋଚିତ

ଭୁବନେଶ୍ବର: ଯେଉଁ କବିତା ଭିନ୍ନ ଏକ କଥା ଭାବିବାକୁ ବାଧ୍ୟ କରେନାହିଁ, ସେ କବିତା ‘କବିତା’ ନୁହେଁ। ସେ କବିତାକୁ ଭଲ କବିତା କୁହାଯାଇ ପାରିବ ନାହିଁ। କିନ୍ତୁ କବି ରାଜୁ ସାମଲଙ୍କ କବିତାର ‌ପ୍ରତ୍ୟେକ ପଂକ୍ତି ନିଶ୍ଚୟ ଚିନ୍ତା କରିବାକୁ ବାଧ୍ୟ କରିବ। କବି ଶ୍ରୀ ସାମଲଙ୍କ କବିତା ମୂଳରୁ ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ସରଳ ଓ ସହଜ। ଶବ୍ଦ ସଂଯୋଜନା ଆକର୍ଷଣୀୟ। ବହୁତ ଅଳ୍ପରେ ବିରାଟ ଦର୍ଶନ ତା’ଙ୍କ କବିତାର ସୁନ୍ଦରତା। ତେଣୁ ଏଭଳି କବିତାଗୁଡ଼ିକୁ ଉତ୍ତର ପିଢ଼ିଙ୍କ ପାଖରେ ପହଞ୍ଚାଇବା ସମସ୍ତଙ୍କର ଦାୟିତ୍ବ। ଯେଉଁ ଯୋଗ୍ୟ ବ୍ୟକ୍ତିମାନେ ଓଡ଼ିଶା ଛାଡ଼ି ବିଦେଶରେ ରହିଛନ୍ତି, ଆଧୁନିକ କାରିଗର ‌କୌଶଳ ବ୍ୟବହାର କରି ସେମାନଙ୍କୁ ପ୍ରତିଦିନ ଛୋଟ ଛୋଟ କବିତା ପଠାନ୍ତୁ। ଓଡ଼ିଆ ଭାଷାକୁ ନିମ୍ନଦୃଷ୍ଟିରେ ଦେଖୁଥିବା ଉତ୍ତରପିଢ଼ିଙ୍କ ପାଖରେ ଏଭଳି ଭଲ କବିତା ପହଞ୍ଚିଲେ ସେମାନେ ନିଶ୍ଚୟ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହେବେ ଏବଂ ଭାବରେ ପଡ଼ିଲେ ଭାଷା ଶିଖିବାକୁ ବାଧ୍ୟ ହେବେ। ରତ୍ନଚିରା ପବ୍ଲିକେସନ ପକ୍ଷରୁ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ କବି ରାଜୁ ସାମଲଙ୍କ କବିତା ସଂକଳନ ‘ତୁମରି ଛବିରେ ତୁମେ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗଦେଇ କହିଲେ, ଅନ୍ୟସମସ୍ତ ବୃତ୍ତି ତିଆରି ହେଉଥିବା ବେଳେ କବି ହେଉଛନ୍ତି ପ୍ରକୃତିର ଦାନ। ଭଲ କବିତା ଲେଖିବା ପାଇଁ ଅନୁଭୂତି ଓ ଅଭିଜ୍ଞତା ଅପରିହାର୍ଯ୍ୟ। ଭଲ କବିତା ପ୍ରକୃତି କୋଳକୁ ଟାଣି ନିଏ, ଯାହା କବି ରାଜୁ ସାମଲଙ୍କ କବିତାରେ ଦେଖିବାକୁ ମି‌ଳେ। କବି ରାଜୁ ସାମଲ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି କହିଥିଲେ, ‘‘ସମ୍ବାଦ’ ମାଧ୍ୟମରେ କବିତାଗୁଡ଼ିକ ଓଡ଼ିଶାର ପୁରପଲ୍ଲୀରେ ଆଦୃତ ହୋଇ ମୋ’ ଭିତରେ କବିଟିଏ ହେବାର ସାମର୍ଥ୍ୟ ଭରିଦେଇଛି।’’

ସମ୍ମାନିତ ଅତିଥି ଭାବେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି କୈଳାସ ଚନ୍ଦ୍ର ମିଶ୍ର କବିଙ୍କ ସହ ଥିବା ବୃତ୍ତିଗତ ଜୀବନ ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଲେଖକ ଡ. ଦେବାଶିଷ ମହାପାତ୍ର ପୁସ୍ତକ ସମୀକ୍ଷା କରିଥିଲେ। ‘ରତ୍ନଚିରା’ର ସଂପାଦିକା ସ୍ନେହଲତା ପୃଷ୍ଟି ସ୍ବାଗତ ଭାଷଣ ଓ ପ୍ରକାଶକ କରୁଣାକର ପୃଷ୍ଟି ଧନ୍ୟବାଦ ଦେଇଥିଲେ। ହିମାଦ୍ରୀ ତନୟା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ୨୦୦ ପୃଷ୍ଠାର ଏହି କବିତା ସଂକଳନର ମୂଲ୍ୟ ୩୫୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର