ମହତାବଙ୍କ ଅବଦାନ ଅତୁଳନୀୟ: ନିରଞ୍ଜନ

ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ, ପାଇକ ଆଖଡ଼ାରେ ଦୁଲୁକିଲା ଗାନ୍ଧୀ ମାର୍ଗ

ପୁରୁଣା ଭୁବନେଶ୍ୱର: ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ରାଜଧାନୀରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ପିଏମ୍‌ଜି ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ରାଜ୍ୟକୁ ମହତାବଙ୍କ ଅବଦାନ ଅତୁଳନୀୟ। ଭୁବନେଶ୍ୱରକୁ ରାଜଧାନୀ କରିବା ଓ ହୀରାକୁଦ ଡ୍ୟାମ୍ ନିର୍ମାଣ ତାଙ୍କରି ଅବଦାନ। ମହାତାବଙ୍କ ବିନା ଇତିହାସ ଯେପରି ଲେଖାଯାଇ ନପାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବିନା ମହତାବ ଜୟନ୍ତୀ ପାଳନ କରାଯାଇ ନପାରେ ବୋଲି ସେ କହିଥିଲେ। ଶ୍ରୀ ରାଉତରାୟଙ୍କୁ କରୋନା ହୋଇଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ମହତାବ ଯେଉଁ ଇତିହାସ ରଚି ଯାଇଛନ୍ତି, ତାହା ସଦାସ୍ମରଣୀୟ। ସେହିପରି ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝି, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରମୁଖ ମହତାବଙ୍କ ସ୍ମୃତିଚାରଣ କରିଥିଲେ। ବରିଷ୍ଠ ସାମ୍ବାଦିକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କ୍ୟାପଟେନ୍ ମନ୍ମଥ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାପାଳ ଶ୍ରୀ ମହାପାତ୍ର, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ, ଡେପୁଟି ସୁପରିନ୍‌‌‌‌ଣ୍ଟେଣ୍ଡେଣ୍ଟ ଧନଞ୍ଜୟ ଦାଶ, ଡ. ଏସ୍‌. ଏନ୍‌. ନନ୍ଦ, ଡ. ଏସ୍‌.କେ ମେହେର, ଶିକ୍ଷାବିତ୍‌ ନିକୁଞ୍ଜ ବିହାରୀ ରାଉତରାୟ, ପାଇକ ସର୍ଦ୍ଦାର ସୁବାସ ଚନ୍ଦ୍ର ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଶବବାହକ ପ୍ରଦୀପ୍ତ କୁମାର ପୃଷ୍ଟି, ତାଳଚେର ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍‌, ଅଧ୍ୟାପକ ଉମାକାନ୍ତ ପାତ୍ର, ସମାଜସେବୀ ସମୀର ଚାନ୍ଦ ଓ ସରୋଜ ମହାନ୍ତିଙ୍କୁ ଡ. ହରେକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହାପରେ ପାଇକଦଳ ବନାଟି, କୁସ୍ତି, ପାରମ୍ପରିକ ଖଣ୍ଡା, ବାଡ଼ି ଖେଳ ପ୍ରଦର୍ଶନ କରି ରାମେଶ୍ୱର ପାଟଣାକୁ ଯାଇଥିଲେ। ସେଠାରେ ବିଷ୍ଣୁ ପ୍ରସାଦ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସନତ ମିଶ୍ର, କ୍ୟାପଟେନ୍ ମନ୍ମଥ ରାଉତରାୟ ଓ ଜୟନ୍ତୀ କମିଟିର ସଂଯୋଜକ ଜୟକୃଷ୍ଣ ମଲିଆ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ର ପ୍ରଯୋଜକ ଯୋଗେନ୍ଦ୍ର ରାଉତରାୟ, ଶିକ୍ଷାବିତ୍ ଶୁଭେନ୍ଦୁ ପାଣି, ଗୀତିକାର ଶୁଭାସିନୀ ସାମନ୍ତ ଓ ସାହିତ୍ୟିକ ବଳରାମ ତରାଇଙ୍କୁ ଡ. ମହତାବ ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କପିଳ ପଣ୍ଡା, ଶରତ ପଣ୍ଡା, ଦିଲ୍ଲୀପ ମିଶ୍ର, କେଦାରନାଥ ମହାପାତ୍ର, ଶିବ ବେହୋରା, ଲିଙ୍ଗରାଜ ସାହୁ, ବିଷ୍ଣୁ ପ୍ରସାଦ ମୁଦୁଲି, ଶ୍ରୀବତ୍ସ ପତି, ବାବନ ମହାପାତ୍ର, ପ୍ରକାଶ ଜେନା, ପ୍ରକାଶ ମହାନ୍ତି, ନୀଳମଣି ମିଶ୍ର, ମିଟୁ ମହାପାତ୍ର, ଗଦାଧର ଦାସ, ହରିହର ମଲିଆ, ଶଙ୍କୁନା କଅଁର, ସୁନୀଲ କୁମାର ରାଉତରାୟ, ସଂଗ୍ରାମ ରାଉତରାୟ, କଳିଙ୍ଗ ସାହୁ, ନସିରୁଲ ଅଲ୍ଲୀ, ଛେନୁ ପଟ୍ଟନାୟକ, ବାବୁଲି ରାଉତରାୟ, ଗୋପାଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର