ଏସ୍‌ଏମ୍‌ଏ ପୀଡ଼ିତ ରାଜବୀରର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି, ଚିକିତ୍ସା ପାଇଁ ଆବଶ୍ୟକ ୧୬ କୋଟିର ଇଞ୍ଜେକସନ୍‌

ପୁରୁଣା ଭୁବନେଶ୍ୱର: ବିରଳ ସ୍ପାଇନାଲ୍‌ ଆଟ୍ରୋପି (ଏସ୍‌ଏମ୍‌ଏ) ରୋଗରେ ପୀଡ଼ିତ ୧୯ ମାସର ଶିଶୁ ରାଜବୀର ରଣାର ଚିକିତ୍ସା ପାଇଁ ଆଜି ତା’ ବାପା, ମା’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ପୂର୍ବାହ୍ନରେ ରାଜବୀରକୁ ଧରି ବାପା କୁଳମଣି, ମା’ ତମୋଲିକା ନବୀନ ନିବାସ ଅଭିମୁ‌ଖେ ଯାଇଥିଲେ। କିନ୍ତୁ ବାଟରେ ପୁଲିସ ତାଙ୍କୁ ବାଧା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଯାଇଥିଲା। ଆର୍ଥିକ ସହାୟତା ପାଇଁ ସେଠାରେ ଆବେଦନପତ୍ର ଦେବାକୁ ସେମାନଙ୍କୁ କୁହାଯାଇଥିଲା। ଗତ ୨୦୨୧ ନଭେମ୍ବର ୨୯ ତାରିଖରେ ସେମାନେ ଏନେଇ ପୂର୍ବରୁ ଆବେଦନ କରିଥିଲେ। ତେବ‌େ ଆଜି ପୁଣିଥରେ ସେମାନେ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ରାଜବୀରର ଘର ଫୁଲବାଣୀରେ। ସେ ମେରୁଦଣ୍ଡ ମାଂସପେଶୀ ଆଟ୍ରୋପି ବା ସ୍ପାଇନାଲ ମସ୍କୁଲାର ଆଟ୍ରୋପି ରୋଗରେ ପୀଡ଼ିତ। ଏହି ରୋଗର ଚିକିତ୍ସା ପାଇଁ ଜୋଲ୍‌ଗେନ୍ସମା ଇଞ୍ଜେକସନ୍‌ର ଆବଶ୍ୟକତା ରହିଛି। ଡାକ୍ତରଙ୍କ କହିବାନୁଯାୟୀ ଆସନ୍ତା ୨ମାସ ଭିତରେ ରାଜବୀରକୁ ଏହି ଇଂଜେକ୍ସନ୍‌ ଦିଆନଗଲେ, ସେ ସବୁଦିନ ପାଇଁ ଆଖି ବୁଜି ଦେଇପାରେ। ଏହି ଇଞ୍ଜେକସନ୍‌ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁଛି ଓ ଏହାର ଦାମ୍‌ ୧୬କୋଟି ଟଙ୍କା। କିନ୍ତୁ ଏତେ ଟଙ୍କାର ଇଂଜେକ୍ସନ୍‌ ଯୋଗାଡ଼ କରିବା କୁଳମଣିଙ୍କ ପାଇଁ ସାତସପନ। ବିଭିନ୍ନ ଫୋରମ୍‌ରେ ଆବେଦନ ପରେ ଦେଶର କୋଣ ଅନୁକୋଣରୁ ତାଙ୍କୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬ କୋଟି ଟଙ୍କା ଯୋଗାଡ଼ ହେବା‌ ଏକପ୍ରକାର ଅସମ୍ଭବ। ଅପରପକ୍ଷେ ହାତରେ ମାତ୍ର ୨ ମାସର ସମୟ। ତେଣୁ ଆର୍ଥିକ ସହାୟତା ପାଇଁ ଆଜି କୁଳମଣି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥିଲେ। ତେବ‌େ ରାଜବୀରକୁ ସାହାଯ୍ୟ କରିବାକୁ ଚାହୁଥିବା ବଦାନ୍ୟ ବ୍ୟକ୍ତିମାନେ ଗୁଗୁଲ୍‌ ପେ’‌ରେ ଅନ୍‌ଲାଇନ୍‌ (‌ମୋ-୬୩୬୦୩୭୧୫୯୫) କିମ୍ବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଫୁଲବାଣୀ ଆକାଉଣ୍ଟନମ୍ବର- ୬୨୫୦୦୨୦ ୧୦୦୧୧୬୦୦, ଆଇଏଫ୍‌ଏସ୍‌ସି: ୟୁବିଆଇଏନ୍‌ ୦୫୬୨୫୦୫‌ରେ ଟଙ୍କା ପଠାଇବାକୁ କୁଳମଣି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର