ସଚେତନ ନ ହେଲେ ଘାତକ ପାଲଟିବ ଡେଙ୍ଗୁ: ଡେଙ୍ଗୁ କେମିତି ବ୍ୟାପେ, ଡେଙ୍ଗୁର ଲକ୍ଷଣ

ଭୁବନେଶ୍ବର, ୭।୭ (ଇମିସ): କରୋନାରେ ଛଟପଟ ରାଜଧାନୀକୁ ମାଡ଼ି ବସୁଛି ଡେଙ୍ଗୁ। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁରର ବିଭିନ୍ନ ସେକ୍ଟର ଓ ବିଡିଏ କଲୋନିରେ ଡେଙ୍ଗୁ ଚିହ୍ନଟ ହେଲେଣି। ଏବେଠୁ ସଚେତନ ନହେଲେ ପୂରା ରାଜଧାନୀକୁ ଡେଙ୍ଗୁ କବଳିତ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ମୁଖ୍ୟତଃ ଜୁଲାଇରୁ ଅକ୍ଟୋବର ମାସରେ ଡେଙ୍ଗୁ ହୋଇଥାଏ। ଜ୍ବର ହେଲେ ରେପିଡ୍‌ ଟେଷ୍ଟ (ଏହାର ବିଶ୍ବସନୀୟତା ୯୦ ପ୍ରତିଶତ) କିମ୍ବା ଏଣ୍ଟିଜେନ୍‌ ଏଲିଜା ପରୀକ୍ଷଣ କରାଯାଇ ପାରିବ। ପୂର୍ବରୁ କେବଳ ସହରାଞ୍ଚଳ ଏହି ରୋଗ ବ୍ୟାପୁଥିଲା। କିନ୍ତୁ ବର୍ତ୍ତମାନ ଗାଁରେ ବି ଡେଙ୍ଗୁ ହେଉଛି। ବିଗତ ୧୦ ବର୍ଷ ମଧ୍ୟରେ ଡେଙ୍ଗୁରେ ପୀଡ଼ିତ ବ୍ୟକ୍ତିଙ୍କ ସଂଖ୍ୟା ଅନେକ ବଢିଛି। ଡେଙ୍ଗୁର କାରଣ, ନିରାକରଣ ନେଇ ଆମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଏମ୍ସ ଭୁବନେଶ୍ବରର କମ୍ୟୁନିଟି ମେଡିସିନ ବିଭାଗ ଡାକ୍ତର ସ୍ବୟଂପ୍ରଜ୍ଞା ପରିଡ଼ା।

ଡେଙ୍ଗୁ କେମିତି ବ୍ୟାପେ
ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ରୋଗ। ଏହି ଭୂତାଣୁକୁ ଜଣେ ମଣିଷଠାରୁ ଆଉ ଜଣେ ମଣିଷ ନିକଟରେ ପହଞ୍ଚାଇବାର ବାହକ ହୁଏ ଫିମେଲ୍‌ ଏଡିସ୍‌ ମଶା। ଏହି ମଶା ଡେଙ୍ଗୁରେ ପୀଡ଼ିତ ମଣିଷଙ୍କୁ କାମୁଡ଼ିଲେ, ମଶା ଭିତରେ ଡେଙ୍ଗୁର ଭୂତାଣୁ ପ୍ରବେଶ କରେ। ଏହା ପରେ ଭୂତାଣୁ ବାହକ ମଶା ସୁସ୍ଥ ମଣିଷଙ୍କୁ କାମୁଡ଼ିଲେ ସେହି ବ୍ୟକ୍ତିଙ୍କୁ ଡେଙ୍ଗୁ ହୋଇଯାଏ। ଏହିଭଳି ଭାବରେ ଏଡିସ୍ ମଶା ଯୋଗୁଁ ସମୁଦାୟ ଅଞ୍ଚଳକୁ ଡେଙ୍ଗୁ ବ୍ୟାପିଯାଏ।

ଦିନ ବେଳେ କାମୁଡ଼େ ଏଡିସ୍‌ ମଶା
ଡେଙ୍ଗୁ ବାହକ ଏଡିସ୍ ମଶା ସାଧାରଣ ମଶା ଭଳି ସମ୍ପୂର୍ଣ୍ଣ କଳା ଦେଖାଯାଏ ନାହିଁ। କଳାଧଳା ଥାଏ, ପତାପତା ବା ବାଘଭଳି ଦେଖାଯାଏ। ଏହାକୁ ବାଘୁଆ ମଶା ମଧ୍ୟ କୁହାଯାଏ। ସାଧାରଣତଃ ଦିନ ବେଳେ ବାରମ୍ବାର ଲୋକଙ୍କୁ କାମୁଡ଼ି ବିରକ୍ତ କରି ଦିଏ। ଏହି ମଶାରୁ ରକ୍ଷା ପାଇବା ପାଇଁ ଦିନରେ ଶୋଇବା ବେଳକୁ ମଶାରି ଦେବାକୁ ହେବ।

କିଭଳି ବଂଶ ବିସ୍ତାର କରେ
ଅନ୍ୟ ମଶା ଭଳି ଫିମେଲ ଏଡିସ୍‌ ମଶା ନାଳ ପାଣିରେ ବଢ଼େ ନାହିଁ। ଯେଉଁଠି ୭ ଦିନରୁ ଅଧିକ ସମୟ ଧରି ପାଣି ଜମା ରହିଥା‌ଏ, ସେଠାରେ ଏହି ମଶା ବଂଶ ବିସ୍ତାର କରେ। କେବଳ ମଇଳା ନୁହେଁ, ସଫା ପାଣିରେ ବି ଏହା ହୋଇଥାଏ। ସହରାଞ୍ଚଳରେ ଘରେ ଗଛ ଲଗାଇବା ପାଇଁ କୁଣ୍ଡରେ ପାଣି ଦିନଦିନ ଧରି ରହିଥିଲେ, ସେଥିରୁ ଏଡିସ୍‌ ମଶା ବଂଶ ବଢ଼ାଏ। ଅନେକ ସମୟରେ ଛୋଟ ନଡ଼ିଆର ଖୋଳ, ଅମୁଲ ଡବାରେ ପାଣି ଜମି ରହିଥିଲେ, କୁଲର, ଓଭରହେଡ୍‌ ଟାଙ୍କି ମଧ୍ୟ ଡେଙ୍ଗୁ ମଶା ବଂଶବୃଦ୍ଧିର କାରଣ ହୋଇଥାଏ। ସାଧାରଣତଃ ମଶା ଛୋଟ ଅଣ୍ଡା ଦେଇ ନୂଆ ମଶା ଜନ୍ମ ଦେବାକୁ ୭ ଦିନ ସମୟ ଲାଗେ। ଏଥିରୁ ରକ୍ଷା ପାଇବାର ସରଳ ଉପାୟ ହେଲା, କୌଣସି ସ୍ଥାନରେ ପାଣି ରଖିଥିଲେ ୭ ଦିନ ଭିତରେ ନିଶ୍ଚୟ ପାଣି ବଦଳାନ୍ତୁ।

ଡେଙ୍ଗୁର ଲକ୍ଷଣ
ଡେଙ୍ଗୁ ସାଧାରଣତଃ ୩ ପ୍ରକାର ହୁଏ। ସାଧାରଣ ଡେଙ୍ଗୁ ଜ୍ବର, ଡେଙ୍ଗୁ ହେମରେଜିକ ଜ୍ବର(ଡିଏଚ୍‌ଏଫ୍‌) ବା ରକ୍ତସ୍ରାବୀ ଡେଙ୍ଗୁ, ଡେଙ୍ଗୁ ସକ୍ ସିଣ୍ଡ୍ରୋମ। ସାଧରଣ ଡେଙ୍ଗୁ ଜ୍ବରରେ ଜ୍ବର ହେବ, ଦେହହାତ, ଗଣ୍ଠି, ମାଂଶପେସୀ ବିନ୍ଧା ହେବ। ଏଥିରେ ଥଣ୍ଡା ଲାଗିବା ସହିତ ହଠାତ୍‌ ଜ୍ବର ହୋଇଯାଏ। ଆଖି ପଛପଟରେ କଷ୍ଟ ହୁଏ। ଆଖିକୁ ମକଚିଲେ କିମ୍ବା ହଲାଇଲେ କଷ୍ଟ ହୁଏ। କେବଳ ପାରାସିଟାମଲ ଖାଇଦେଲେ ଏଥିରୁ ସୁସ୍ଥ ହୋଇ ପାରିବେ। ତେବେ ଅନେକ ସମୟରେ ଡେଙ୍ଗୁରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ରକ୍ତସ୍ରାବ ହୁଏ। ୭ ଦିନ ମଧ୍ୟରେ ଡେଙ୍ଗୁ ବିପଦଜନକ ହୋଇପାରେ। ଏହି ସମୟରେ ରକ୍ତରେ ପ୍ଲେଟଲେଟ କମିଯାଏ। ଏହାକୁ ଡେଙ୍ଗୁ ହମରେଜିକ ଫିଭର କୁହାଯାଏ। ଏଥିରେ ନାକ, ମାଢ଼ି, ଶୌଚ କରିବା ବେଳକୁ ରକ୍ତ ବାହାରେ। ଚର୍ମରେ ନୀଳ କିମ୍ବା କଳା ରଙ୍ଗର ବଡ଼ ଦାଗ ଦେଖାଯାଏ। ଡେଙ୍ଗୁ ସକ୍‌ ସିଣ୍ଡ୍ରୋମରେ ରୋଗୀଙ୍କୁ ଝଟକା ଲାଗେ। ଉଚ୍ଚ ତାପମାତ୍ର ସତ୍ତ୍ବେ ଥଣ୍ଡା ଅନୁଭବ ହୁଏ। ରୋଗୀ ଅଚେତ ହୋଇପଡ଼େ। ରକ୍ତଚାପ କମିଯାଇପାରେ। ଏହି ପ୍ରକାର ଡେଙ୍ଗୁରେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଥାଏ। ଦ୍ବିତୀୟ ଥର ଡେଙ୍ଗୁରେ ପୀଡ଼ିତ ହେଲେ, ଏହା ଗୁରୁତର ହେବାର ଆଶଙ୍କା ରହିଥାଏ। ଡେଙ୍ଗୁରେ ପୀଡ଼ିତ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଛି। ଡେଙ୍ଗୁରେ ପୀଡ଼ିତ ବ୍ୟକ୍ତି ନିଶ୍ଚିତ ଭାବରେ ମଶାରି ଭିତରେ ଦେଇ ରହିବା ଉଚିତ। ତାଙ୍କୁ ଯେଉଁ ଭଳି ମଶା କାମୁଡ଼ିବ ନାହିଁ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ନଚେତ ସେହି ମଶା ପୁଣି ଅନ୍ୟମାନଙ୍କୁ ସଂକ୍ରମିତ କରିବ।

କରୋନାରେ ପୀଡ଼ିତଙ୍କୁ ଡେଙ୍ଗୁ ଆଶଙ୍କା
ଉଭୟ ପୀଡ଼ିତଙ୍କ ଜ୍ବର ଲକ୍ଷଣ ରହିଥାଏ। କରୋନାରେ ପୀଡ଼ିତ ବ୍ୟକ୍ତିଙ୍କ ଠାରେବି ଡେଙ୍ଗୁ ହେବାର ଆଶଙ୍କା ରହିଛି। ଏଥିପାଇଁ ଉଭୟ ଟେଷ୍ଟ କରାଇ ନେବା ଉଚିତ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ରୋଗ ଥିବା କୌଣସି ବ୍ୟକ୍ତି ଏମ୍ସରେ ଭର୍ତ୍ତି ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର