ପ୍ରେମ ଆଗରେ ପୁଅ ଓ ସ୍ବାମୀ ତୁଚ୍ଛ, ବିଫଳ ହେଲା ପ୍ରେମିକ ସହ ଫେରାର୍‌ ଯୋଜନା

ଖସିଗଲା ପ୍ରେମିକ, ଛେଚା ଖାଇଲା କାର୍‌ ଚାଳକ

ଚନ୍ଦ୍ରଶେଖରପୁର: ବିଳମ୍ବିତ ରାତିରେ ପ୍ରେମିକ ସହ ଫେରାର୍ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିବା ଜଣେ ବିବାହିତା ମହିଳାଙ୍କ ପ୍ରେମ କାହାଣୀ ମଞ୍ଚେଶ୍ବର ଥାନା ନହରକଣ୍ଟା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପ୍ରେମିକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଭଡ଼ାରେ କାର୍‌ ନେଇ ଆସିଥିବା ବିଚରା ଚାଳକ ଲୋକଙ୍କ ହାତରେ ବହେ ଛେଚା ଖାଇଛି। ପୁଲିସ କାର୍‌ଚାଳକକୁ ପଚରାଉଚରା କରିବା ପରେ ଛାଡ଼ି ଦେଇଛି। ୧୦ ବର୍ଷର ସୁନ୍ଦର ପୁଅ ଓ ରେଳବାଇ ଚାକିରିଆ ସ୍ବାମୀ ଥାଇ ବି ଜଣେ ମହିଳା ଏତେ ତଳକୁ ଖସିଯିବା ଭଳି ଘୃଣ୍ୟ ଘଟଣାକୁ ଲୋକେ ନିନ୍ଦା କରିଛନ୍ତି।

ଘଟଣାଟି ଥିଲା ଏମିତି। ସ୍ବାମୀ ଓ ପୁଅ ସହ ଲଭ୍‌ଲି (ଛଦ୍ମନାମ) ସରକାରୀ କ୍ବାର୍ଟର୍ସରେ ରହୁଥିଲେ। ଫେସ୍‌ବୁକ୍‌ରେ ବେଶ୍ ସକ୍ରିୟ ଥିଲେ ଲଭ୍‌ଲି। ଏକଦା ଜଣେ କମ୍‌ ବୟସର ଯୁବକ ସହ ଫେସ୍‌ବୁକ୍‌ରେ ତାଙ୍କ ପରିଚୟ ହେଲା। କିଛି ଦିନର ଚାଟିଂ ପରେ ସେମାନଙ୍କ ଭିତରେ ପ୍ରେମ ହୋଇଗଲା। ଲଭ୍‌ଲିଙ୍କ ନିମନ୍ତ୍ରଣ ପାଇ ଯୁବକଟି ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ଘରକୁ ନିୟମିତ ଯା’ଆସ କଲା। ଜଣେ ଅପରିଚିତ ଅଙ୍କଲ୍‌ ଘରକୁ ଆସୁଛନ୍ତି ବୋଲି ପୁଅଠାରୁ ଜାଣିବା ପରେ ସ୍ବାମୀ ଲଭ୍‌ଲିକୁ ତାଗିଦ୍ କଲେ। କିନ୍ତୁ କିଛି ଫରକ ପଡ଼ିଲା ନାହିଁ। ବରଂ ଅଧିକ ବାରଣ କଲେ, ପ୍ରେମିକ ସହ ପଳାଇବ ବୋଲି ଖୋଲାଖୋଲି କହିଲା ଲଭ୍‌ଲି। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବିବାଦ ବଢ଼ିବାରୁ ଲଭ୍‌ଲି ନହରକଣ୍ଟା ଅଞ୍ଚଳରେ ରହୁଥିବା ବାପଘରକୁ ପଳାଇ‌ଲା। ସେଠାରେ ପ୍ରେମିକ ସହ ମିଳାମିଶାରେ କିଛି ବାଧକ ନଥିଲା।

ମାତ୍ର ବାପାଘର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ପ୍ରେମିକ ସେଠାକୁ ଆସିବା ସମ୍ଭବ ନହେଲେ ମଧ୍ୟ ସେମାନେ ଲୁଚିଛପି ନଦୀ ପଠା‌ରେ ଏକାଠୀ ହେଉଥିଲେ। ବିଳମ୍ବିତ ରାତିରେ ନଦୀ ପଠାରେ ସେମାନଙ୍କୁ ଦେଖି ସ୍ଥାନୀୟ ଲୋକେ ଅନେକ ଥର ତାଗିଦ୍ କରି ଛାଡ଼ିଥିଲେ ଓ ବାପଘର ଲୋକଙ୍କୁ ଜଣାଇଥିଲେ। ବାରମ୍ବାର ସେମାନଙ୍କ ମିଳାମିଶାରେ ବାଧା ସୃଷ୍ଟି ହେବାରୁ ଲଭ୍‌ଲି ଓ ପ୍ରେମିକ ସବୁଦିନ ପାଇଁ ଏକାଠୀ ହୋ‌ଇଯିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ଅନୁସାରେ ଗତକାଲି ରାତିରେ ପ୍ରେମିକ କାର୍‌ ଧରି ଲଭ୍‌ଲିଙ୍କ ଘର ପାଖକୁ ଆସିଥିଲା। କାର୍‌କୁ ଏକ ଅନ୍ଧାରିଆ ସ୍ଥାନରେ ରଖି ଅପେକ୍ଷା କରିଥିଲା। ତେବେ ନିକଟସ୍ଥ ଏକ ଘରେ ଭୋଜି କରୁଥିବା କିଛି ଯୁବକ କାର୍‌କୁ ଏଭଳି ଅବସ୍ଥାରେ ଦେଖି ସନ୍ଦେହ କରିଥିଲେ। କିଛି ଗୋଟ‌େ ଅଘଟଣ ଘଟିବାକୁ ଯାଉଥିବା ସନ୍ଦେହ କରି ସେମାନେ ଛକି ରହିଥି‌ଲେ। ଧାର୍ଯ୍ୟ ସମୟରେ ଲଭ୍‌ଲି ଲୁଚି କରି ଘରୁ ବାହାରି ଆସିଥିଲେ ଓ କାର୍‌ ଭିତରେ ପଶି ଯାଇଥିଲେ। ଠିକ୍‌ ଏତିକିବେଳେ ଯୁବକମାନେ କାର୍‌କୁ ଘେରି ଯାଇଥିଲେ। ମାତ୍ର ପ୍ରେମିକ କାର୍‌ ଡୋର୍‌ ଖୋଲି ଅନ୍ଧାରରେ ଦୌଡ଼ି ଦୌଡ଼ି ଫେରାର୍ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର