ଗ୍ୟାସ୍ ଟାଙ୍କି ବିସ୍ଫୋରଣ ପରଠୁ ଭୟରେ ଚୁଲି ଜଳିନି, ସ୍ଥାନୀୟ ଲୋକଙ୍କ ମନରୁ ଛନକା ଯାଇନି

ଅଫିସ୍‌ ଯାଇପାରିଲେନି ଏଲ୍‌ଆଇସି କର୍ମଚାରୀ, ଭୁଲି ହେଉନି ଛାତିଥରା ଦୃଶ୍ୟ

ଭୁବନେଶ୍ୱର : ଗ୍ୟାସ୍ ଟାଙ୍କି ବିସ୍ଫୋରଣ ପରଠୁ ପ୍ରଶାସନ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ୟାସ୍‌ରେ ଅବା କୌଣସି ପ୍ରକାରର ଇନ୍ଧନରେ ନିଆଁ ଲଗାଇବାକୁ ମନା କରିଥିଲା। ଲୋକେ ମଧ୍ୟରେ ନିଆଁ ଲାଗିଯିବା ଭୟରେ ଘରେ ଗ୍ୟାସ୍ ଲଗାଇ ରୋଷେଇ କରିବାକୁ ଡରିଥିଲେ। ଗୋଟେ ବଡ଼ ଅଘଟଣରୁ ବର୍ତ୍ତିବା ପରେ ଆଉ ଯେମିତି ସେଭଳି ଅଘଟଣ ନହେବ ଲୋକେ ସେଥିପ୍ରତି ବେଶ ସଚେତନ ଥିଲେ। ମାତ୍ର ବାହାରୁ ଖାଇବା କିଣି ଆଣିଲେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାର ଭୟ ଥିଲା। ଅପରପକ୍ଷରେ କରୋନା ପାଇଁ ଖର୍ଚ୍ଚରେ କାଣ୍ଟ୍ ଛାଣ୍ଟ୍ ଚାଲିଥିବା ବେଳେ ସେହି ସମୟରେ ଗ୍ୟାସ୍ ବିସ୍ଫୋରଣ ପାଇଁ ବାହାରୁ କିଣି ଆଣିଥିବା ଖାଦ୍ୟପେୟର ଖର୍ଚ୍ଚ ସମସ୍ୟାକୁ ଦ୍ବିଗୁଣିତ କରିଦେଇଥିଲା। କିଛି ଲୋକଙ୍କ ପରିବାର କରୋନା ସଂକ୍ରମିତରୁ ସୁସ୍ଥ ହୋଇଥିବାରୁ ସେମାନେ ପୁନର୍ବାର ଆଉ ରିସ୍କ ନେବାକୁ ଚାହୁଁନଥିଲେ। ତେଣୁ ସେମାନେ ବାହାର ଖାଦ୍ୟ ଅପେକ୍ଷା ରାଜଧାନୀରେ ଅନ୍ୟତ୍ର ବାସ କରୁଥିବା ପରିବାର ଲୋକଙ୍କ ଠାରୁ ଖାଦ୍ୟ ଆଣି ଖାଇଥିଲେ।

ତେବେ ଗତକାଲି ଘଟିଯାଇଥିବା ବିସ୍ଫୋରଣର ପ୍ରକୃତ ଭୟାବହ ଆଜି ରାଜଭବନର ଆଖପାଖରୁ ଦେଖିବାକୁ ମିଳିଥିଲା। ଜାଗାଟିକୁ ପ୍ରଶାସନ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନରେ ରଖିଥିଲେ ସୁଦ୍ଧା ସ୍ଥାନୀୟ ବାସିନ୍ଦା ସୁରକ୍ଷିତ ଅଛନ୍ତି ବୋଲି ମନରେ ବିଶ୍ବାସ ଜନ୍ମାଇ ପାରିନଥିଲେ। ଏନେଇ ସ୍ଥାନୀୟ ବସ୍ତିର ହଳଧର ମହାନ୍ତି କୁହନ୍ତି, ବିସ୍ଫୋରଣକୁ ମନେ ପକାଇଲେ ଲୋମଟାଙ୍କୁରି ଉଠୁଛି। ମନରୁ ଛନକା ଏବେ ବି ଯାଇନି। କାରଣ ଆମ ବସ୍ତି ପେଟ୍ରୋଲ ଟାଙ୍କିରୁ ବହୁ ଦୂରରେ। ବିସ୍ଫୋରଣରେ ସେଠାରୁ ଯଦି ମାଂସ ଖଣ୍ଡ, ବାଲି, ପଥର ଏତେ ଦୂରକୁ ଛିଟିକି ପଡ଼ୁଛି, ତା’ ହେଲେ ଆମେ ସେଠାରେ ଥିଲେ ଆମ ଅବସ୍ଥା କ’ଣ ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।

ଅଫିସ୍‌ ଯାଇପାରିଲେନି ଏଲ୍‌ଆଇସି କର୍ମଚାରୀ
ଗତକାଲିର ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ୍ ସିଲ୍ କରିଥିଲା। ଆଜି ମଧ୍ୟ ସକାଳୁ ସେହି ରାସ୍ତାରେ ଯାତାୟାତ ପାଇଁ କାହାରିକୁ ଛଡ଼ାଯାଇ ନ ଥିଲା। ଫଳରେ ପେଟ୍ରୋଲ ପମ୍ପ ଅତି ନିକଟରେ ଥିବା‌ ଏଲ୍‌ଆଇସି ଅଫିସ୍‌ର କର୍ମଚାରୀମାନେ ଆଜି ହଇରାଣ ହୋଇଥିଲେ। ପୁଲିସ୍‌ ସେମାନଙ୍କୁ ଅଫିସ୍‌ ଯିବାକୁ ଦେଇ ନ ଥିଲା। ମୁଖ୍ୟ ଫାଟକ ଆଡ଼କୁ ପଡ଼ିଥିବା ରାସ୍ତାରେ ଗଲା ବେଳେ ଆର ପଟେ ବୁଲିକି ଆସିବାକୁ କୁହାଯାଇଥିଲା। କର୍ମଚାରୀମାନେ ଆର ପଟେ ଗଲା ବେଳେ ଆଉ ଗୋଟିଏ ପଟେ ଆସିବାକୁ କୁହାଯାଇଥିଲା। ଏ ଗଳିରୁ ସେ ଗଳିକୁ ଯାଇ କିଛି କର୍ମଚାରୀ ନିରାଶ ହୋଇ ଫେରିଯାଇଥିଲେ। ରାଜଭବନ ଛକ ଦେଇ ଆସୁଥିବା କର୍ମଚାରୀମାନେ ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ସେମାନଙ୍କୁ ଛଡ଼ାଯାଇ ନ ଥିଲା।

ଭୁଲି ହେଉନି ଛାତିଥରା ଦୃଶ୍ୟ
ଗ୍ୟାସ୍ ଟାଙ୍କି ବିସ୍ଫୋରଣର ଲୋମଟାଙ୍କୁରା ଅନୁଭୂତି ସ୍ଥାନୀୟ ବାସିନ୍ଦା ଭୁଲି ପାରୁ ନାହାନ୍ତି। ନିକଟସ୍ଥ ଆମ୍ବେଦକର ଆପାର୍ଟମେଣ୍ଟର ଲୋକେ ଭୟରେ ଆଜି ବି ଘରୁ ବାହାରି ନାହାନ୍ତି। ବିସ୍ଫୋରଣ ମାତ୍ରା ଏତେ ତୀବ୍ର ଓ ଭୟଙ୍କର ଥିଲା ଯେ ଆପାର୍ଟମେଣ୍ଟର ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଲୋକଙ୍କ ଘରର ଝରକା କାଚ ଭାଙ୍ଗିଯାଇଥିଲା। ଆପାର୍ଟମେଣ୍ଟ ଓ ଛାତ ଉପରେ ମାଂସ ଖଣ୍ଡ ଆସି ପଡ଼ିଥିଲା। ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଉପରୁ ବାଲି ଗୋଡ଼ି ବର୍ଷା ହୋଇଥିଲା ବୋଲି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ସୁବ୍ରତ କୁମାର କହିଛନ୍ତି। ଆପାର୍ଟମେଣ୍ଟ ଲୋକେ ଭଙ୍ଗା ଝରକାରେ ଜରି ଲଗାଇ ଢାଙ୍କିଥିବା ଆଜି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର