ଅସୁରକ୍ଷିତ ଆଙ୍କୁଶପୁର ବ୍ରିଜ୍‌

ବାଲିପାଟଣା: ସରଦେଇପୁର-ନିମାପଡ଼ା ରାସ୍ତାରେ ଅଠାନ୍ତର ମେଡିକାଲ ଛକ ନିକଟ ଆଙ୍କୁଶପୁର କେନାଲ ବ୍ରିଜ୍‌ ଅସୁରକ୍ଷିତ ହୋଇପଡ଼ିଛି। ଦୀର୍ଘ ବର୍ଷ ହେଲା ମରାମତି କିମ୍ବା ରକ୍ଷଣାବେକ୍ଷଣ ହୋଇନଥିବାରୁ ବ୍ରିଜ୍‌ଟି ଭଗ୍ନ ଅବସ୍ଥାକୁ ଆସି ଗଲାଣି। ତେଣୁ କେତେବେଳେ ଏହି ବ୍ରିଜ୍‌ ପୂରା ଭାଙ୍ଗି ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦି ଭାଙ୍ଗିବା ପୂର୍ବରୁ ମରାମତି କରାନଯାଏ, ତେବେ ଏହି ରାସ୍ତାରେ ଯାତାୟାତ ପୂରା ଠପ୍‌ ହୋଇଯିବ ବୋଲି ଅଭିଯୋଗ ହେଉଛି।

ଏହି ବ୍ରିଜ୍‌ର ତଳ ଅଂଶରୁ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ଗଲାଣି। ଲୁହାରଡ୍‌ ସବୁ ବାହାରକୁ ବାହାରି ଆସିଛି। ପ୍ରାୟ ୫୦ ବର୍ଷ ତଳର ଏହି ବ୍ରିଜ୍‌ ନିର୍ମାଣ ହେବା ପରଠାରୁ ମରାମତି ହୋଇନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ବ୍ରିଜ୍‌ଟି ବହୁ ଦୁର୍ବଳ ହୋଇଯାଇଛି। ସୂଚନା‌ଯୋଗ୍ୟ, ଉକ୍ତ ରାସ୍ତାରେ ଦୈନିକ ହଜାର ହଜାର ଯାନବାହନ ଯାତାୟାତ କରୁଛି। ପୁରୀ, କୋଣାର୍କ, କାକଟପୁର ମା’ ମଙ୍ଗଳାଙ୍କ କ୍ଷେତ୍ର ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକ ଏହି ରାସ୍ତା ଦେଇ ଭୁବନେଶ୍ୱର ଫେରିଥାନ୍ତି। ସେହିପରି ବନମାଳିପୁର, ନିଆଳି, ଅଡ଼ସପୁର, ଚାରିଛକ ଆଦି ଅଞ୍ଚଳର ହଜାର ହଜାର ଲୋକ ନିୟମିତ ଏହି ବାଟ ଦେଇ ଯା’ଆସ କରନ୍ତି। ଏହାବ୍ୟତୀତ ପ୍ରତ୍ୟେକ ଦିନ ଏହି ପୋଲ ଉପରେ ଶହ ଶହ ଭାରୀଯାନ ମଧ୍ୟ ଯାଉଛି। ବନମାଳିପୁର ଓ ନିମାପଡ଼ା ଭଳି ବାଣିଜ୍ୟ ପେଣ୍ଠକୁ ଏହି ବାଟ ଦେଇ ବହୁ ଭାରୀଯାନ ଯାତାୟାତ କରୁଛନ୍ତି। ତେଣୁ ଭଙ୍ଗା ଦୁର୍ବଳ ବ୍ରିଜ୍‌ କେତେବେଳେ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ଦେଖାଦେଇଛି। ଆର୍‌ଆଣ୍ଡବି ଯନ୍ତ୍ରୀ ଜଗବନ୍ଧୁ ବେହେରାଙ୍କ ସୂଚନାନୁସାରେ ଏହି ବ୍ରିଜ୍‌ ଦୁର୍ବଳ ହୋଇପଡ଼ିଥିବା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେଣୁ ଏବେ ୨/୩ ଦିନ ମଧ୍ୟରେ ଯାଞ୍ଚ କରାଯିବ ଓ ଆବଶ୍ୟକ ହେଲେ ନୂଆ ବ୍ରିଜ୍‌ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର