‘ନିରାମୟ’ରେ ମିଳୁନି ଇନ୍‌ସୁଲିନ୍, ମଲେକ୍ୟୁଲ ମିଳୁ ନ ଥିବାରୁ ୧ମାସ ପରେ ଇଞ୍ଜେକସନ୍ ଦେବ କମ୍ପାନି

ଭୁବନେଶ୍ବର, : ରାଜଧାନୀର ସରକାରୀ ଡାକ୍ତରଖାନାର ‘ନିରାମୟ’ କାଉଣ୍ଟରରେ ଇନ୍‌ସୁଲିନ୍ ଇଞ୍ଜେକସନ୍ ଉପଲବ୍ଧ ହେଉନାହିଁ। ବିଶେଷକରି କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟ ପ୍ରମୁଖ ଡାକ୍ତରଖାନାରେ ଇନ୍‌ସୁଲିନ୍‌ର ଦୁଇ ପ୍ରକାରର ଇଞ୍ଜେକସନ୍ ମିଳୁନି। ରାଜ୍ୟ ଔ‌ଷଧ ନିଗମ ପକ୍ଷରୁ ଏହାର ଯୋଗାଣ ବନ୍ଦ ରହିଥିବାରୁ ସମସ୍ୟା ଉପୁଜୁଛି। ତେବେ ନିଗମକୁ ଇଞ୍ଜେକସନ୍ ଯୋଗାଉଥିବା କମ୍ପାନି ଏହାକୁ ଯୋଗାଇବାକୁ ଆହୁରି ୧ମାସ ସମୟ ମାଗିଥିବା ନିଗମ ପକ୍ଷରୁ କୁହାଯାଇଛି। ଏନେଇ ରୋଗୀଙ୍କ ମଧ୍ୟରେ ଅ‌ସନ୍ତୋଷ ଦେଖାଦେଇଛି। ମଧୁମେହ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଇନ୍‌ସୁଲିନ୍ ଇଞ୍ଜେକସନ୍ ୩୦/୭୦ ଗତ ୧ମାସ ହେବ ଉପଲବ୍ଧ ହେଉନାହିଁ। ଏହାସହ ଇନ୍‌ସୁଲିନ୍ ୫୦/୫୦ ମଧ୍ୟ ୩ ମାସ ହେବ ମିଳୁନାହିଁ। ପ୍ରତ୍ୟେକ ଦିନ ବହୁତ ରୋଗୀଙ୍କୁ ଏଭଳି ଫେରିବାକୁ ପଡ଼ୁଛି। ବଜାରରେ ଇନ୍‌ସୁଲିନ୍ ୩୦/୭୦ ଦର ଦେଢ଼ଶହରୁ ୫ଶହ ମଧ୍ୟରେ ରହିଛି। ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଇନ୍‌ସୁଲିନ୍ ୫୦/୫୦ ଉପଲବ୍ଧ ହେଉଛି। ମୁମ୍ବାଇସ୍ଥିତ ଶ୍ରେୟା ଲାଇଫ ସାଇନ୍‌ସ ନିଗମକୁ ଇନ୍‌ସୁଲିନ୍‌ ଇଞ୍ଜେକସନ୍ ଯୋଗାଇଥାଏ। ଏହି ଇଞ୍ଜେକସନ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ମଲେକ୍ୟୁଲ କମ୍ପାନି ଆମେରିକାରୁ ଆଣିଥାଏ। ତେବେ କୌଣସି କାରଣରୁ ଏବେ ମଲେକ୍ୟୁଲ ଆସିବା ସମ୍ଭବ‌ ହେଉନାହିଁ, ଯାହାକୁ ନେଇ ଇନସୁଲିନ୍ ୩୦/୭୦ ପ୍ରସ୍ତୁତ ହୋଇପାରୁନାହିଁ। ତେଣୁ ଆସନ୍ତା ଫେବ୍ରୁଆରି ୧ ତାରିଖ ଆଡ଼କୁ କମ୍ପାନି ଏହାର ଡେଲିଭରି ଦେବାକୁ ସମୟ ମାଗିଛି। ବାରିପଦା ଓ କୋରାପୁଟ ମେଡିକାଲ କଲେଜରେ ଏହା ଉପଲବ୍ଧ ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଅଧିକ ଲୋଡ୍‌ ରହୁଥିବାରୁ ଇନ୍‌ସୁଲିନ୍‌କୁ ନେଇ ସଂକଟ ଦେଖାଦେଉଛି। ତେଣୁ ଅନ୍ୟସ୍ଥାନରୁ କ୍ୟାପିଟାଲ ହସ୍ପିଟାଲକୁ ଏହାକୁ ଅଣାଯିବ। ଅତି କମ୍‌ରେ ୨ଦିନ ଭିତରେ ଇନ୍‌ସୁଲିନ୍‌ ୩୦/୭୦ ଆସିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ‘ନିରାମୟ’ ବାଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଡାକ୍ତରଖାନାକୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ୨୦ ପ୍ରତିଶତ ଅର୍ଥ ଦିଆଯାଉଛି। ଏହି ଅର୍ଥରେ ଡାକ୍ତରଖାନା କର୍ତୃପକ୍ଷ ଉପଲବ୍ଧ ହେଉ ନଥିବା ଔଷଧ କିଣିଥାନ୍ତି। ଏଭଳି ପରିସ୍ଥିତିରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଦିଆଯାଉଥିବା ଅର୍ଥରୁ ଇନ୍‌ସୁଲିନ୍‌ ଇଞ୍ଜେକସନ୍ କିଣିବା ପାଇଁ ଦାବି ହେଉଛି। କିଛି ମାସ ପୂର୍ବରୁ ରାଜ୍ୟରେ ଟିଟାନ୍‌ସକୁ ନେଇ ଏଭଳି ସଂକଟ ଦେଖା ଦେଇଥିଲା। ଟିଟି ଇଞ୍ଜେକସନ୍ ଯୋଗାଉଥିବା କମ୍ପାନି ପାଇଁ କଞ୍ଚାମାଲ ମିଳୁ ନ ଥିବାରୁ କିଛି ମାସ ପର୍ଯ୍ୟନ୍ତ ଏହା ଯୋଗାଣ ବନ୍ଦ ରହିଥିଲା। ସେହିପରି ଓଆରଏସ୍‌କୁ ନେଇ ମଧ୍ୟ ରାଜ୍ୟ ଔଷଧ ନିଗମ ଅଡ଼ୁଆରେ ପଡ଼ିଥିଲା। ଓଆରଏସ୍ ଯୋଗାଉଥିବା କମ୍ପାନି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଟଙ୍କାରେ ଏହାକୁ ଯୋଗାଇବ ନାହିଁ ବୋଲି କହିବା ପରେ ‘ନିରାମୟ’ ଓଆରଏସ୍ ଯୋଗାଣ ବନ୍ଦ ହୋଇଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଆରଏସ୍ ନେଇ ଇପିଏମ୍‌ ରେଟ୍ କଣ୍ଟ୍ରାକ୍ଟରେ ପରିବର୍ତନ କରାଯିବା ପରେ ଓଆରଏସ୍‌ ରାଜ୍ୟର ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହୋଇଥିଲା।

ସମ୍ବନ୍ଧିତ ଖବର