ଅନ୍ତର୍ଜାତୀୟ ମାତୃଭାଷା ଦିବସ : ଏକାଧିକ ଭାଷାରେ ଦକ୍ଷ ହେବା ଜରୁରୀ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଜଗତିକରଣର ମୁକାବିଲା ପାଇଁ ଏକାଧିକ ଭାଷାରେ ଦକ୍ଷ ହେବାର ଆବଶ୍ୟକତା ରହିଛି। ଇଂରାଜୀ ସହ ଫ୍ରେଞ୍ଚ, ଜର୍ମାନ ଆଦି ବିଦେଶୀ ଭାଷା ମଧ୍ୟ ଜାଣିବା ଜରୁରୀ। ବିଶ୍ୱର ସଙ୍କଟାପନ୍ନ ଭାଷା ସମୁଦାୟର ସଂରକ୍ଷଣ ଦିଗରେ ଆନ୍ତରିକତାର ସହିତ କାର୍ଯ୍ୟ କରିବାକୁ ସେ ଆହ୍ଵାନ ଦେଇଥିଲେ।

ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବିଭିନ୍ନ ରାଜ୍ୟର ଭାଷାକୁ ନେଇ ସୃଷ୍ଟି ହୋଇଛି ଭାରତୀୟତା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ସମ୍ପର୍କ ଯୋଡ଼ିବାରେ ମଧ୍ୟ ଭାଷା ଏକ ମାଧ୍ୟମ। ଭାଷାରେ ଦକ୍ଷତା ହାସଲ ଓ ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗ ଲାଗି ସମସ୍ତଙ୍କର ଆନ୍ତରିକତା ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ. ମଣୀନ୍ଦ୍ର କୁମାର ମେହେର ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ‘ମାତୃଭୂମି’ କବିତାର ଅନ୍ତଃସ୍ୱର ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡ. ବିଷ୍ଣୁପ୍ରିୟା ଓତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ପଦାର୍ଥ ବିଜ୍ଞାନ ପ୍ରଫେସର ସ୍ୱପ୍ନା ମହାପାତ୍ର ଉପସ୍ଥିତ ରହିଥିଲେ। ଆସିଷ୍ଟାଣ୍ଡ ପ୍ରଫେସର ରୁଦ୍ରନାରାୟଣ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର