ଅନ୍ତର୍ଜାତୀୟ ମହିଳା ଦିବସ: ଆତ୍ମନିର୍ଭରଶୀଳତାର ରାସ୍ତା ଦେଖାଉଛନ୍ତି ସୁଜାତା

ମହିଳାମାନେ ଯେ କେବଳ ଘରର ଏରୁଣ୍ଡି ବନ୍ଧ ସେପଟରେ ଓଢ଼ଣା ମଧ୍ୟରେ ରହିବେ ତାହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବର୍ତ୍ତମାନର ଅନେକ ମହିଳା। ମହିଳାମାନେ କାହାର ଦୟା ବା କାହା ସାହାରାରେ ନ ରହି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିବେ। ଦରକାର ପଡ଼ିଲେ ଅନ୍ୟମାନଙ୍କ ପାଇଁ ବଞ୍ଚିବାର ରାହା ପାଲଟିବେ ତାହା ସେମାନେ ପ୍ରମାଣିତ କରିଛନ୍ତି। ଅନ୍ୟକୁ ଆଗକୁ ବଢ଼ିବାର ପ୍ରେରଣା ବି ଦେଉଛନ୍ତି। ଏମିତି ଜଣେ ମହିଳା ହେଉଛନ୍ତି ପାତ୍ରପଡ଼ା ଅଞ୍ଚଳର ସମାଜସେବୀ ସୁଜାତା ପାଢ଼ୀ। ପିଲାଟି ବେଳୁ ସମାଜ ସେବା କରିବାର ନିଶା ତାଙ୍କୁ ଆଜି ଅନ୍ୟମାନଙ୍କ ପାଖରେ ପରିଚିତ କରାଇଛି। ମହିଳାଙ୍କ ସହାୟତା, ଆତ୍ମନିର୍ଭର କରିବା ପାଇଁ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ‘ଇ-୫ ବିଜନେସ ସଲ୍ୟୁସନ୍ ଟ୍ରଷ୍ଟ’। ଯେଉଁଠି ଶିକ୍ଷା, ଉର୍ଜା, ଉଦ୍ୟୋଗ, ସଶକ୍ତୀକରଣ, ବିଦ୍ୟୁତ୍ ସଞ୍ଚାର ମାଧ୍ୟମ ଆଦିକୁ ଗୁରୁତ୍ବ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ପିଲାମାନଙ୍କୁ ପାଠ ପଢିବା ପାଇଁ ସେ ସୁବିଧା କରିଛନ୍ତି।

ସେମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ସହ ସେ ଏକ ସଫ୍ଟୱେର ଉନ୍ନତ କରାଇବାକୁ ଆଗ୍ରହୀ ଅଛନ୍ତି। ଯାହାଦ୍ବାରା ଗରିବ ଛାତ୍ରଛାତ୍ରୀ ପାଠ ପଢ଼ିବା ସହିତ ଆଗକୁ ଯିବା ପାଇଁ ଆବଶ୍ୟକ ଧନ୍ଦାମୂଳକ ଶିକ୍ଷା ପାଇ ପାରିବେ। ତା’ ସହିତ ବିଦ୍ୟାଳୟ ଛଡ଼ା କେହି ଯେ କୌଣସି ସ୍ଥାନରେ ରହି ଯେପରି ପଢ଼ି ପାରିବେ ସେଥିପାଇଁ ସେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ବ ଦେଇ କାମ କରିଛନ୍ତି। କେବେଳ ସେତିକି ନୁହେଁ; କ୍ଷୁଦ୍ର ଓ ଲଘୁ ମହିଳା ଉଦ୍ୟୋଗୀ ଯେଉଁମାନେ ନିଜ ହାତ ତିଆରି ସାମଗ୍ରୀ ବଜାରରେ ପହଞ୍ଚାଇ ପାରୁ ନାହାନ୍ତି ତାଙ୍କ ପାଇଁ ଇ-ପୋର୍ଟାଲ ବ୍ୟବସ୍ଥା କରି ସେମାନଙ୍କ ସାମଗ୍ରୀକୁ ବିକ୍ରି କରିବାରେ ସହାୟତା କରୁଛନ୍ତି। ସେମାନଙ୍କୁ ସଶକ୍ତ କରିବାରେ ସେ ସବୁବେଳେ ଆଗ୍ରହୀ ଓ ଆଗଭର ହୋଇ ରହିଛନ୍ତି।

ଏହା ବ୍ୟତୀତ କରୋନା ମହାମାରୀ ସମୟରେ ଯେତେବେଳେ ସମସ୍ତେ ଘରେ ରହି ନିଜ ପରିବାର କଥା ଚିନ୍ତା କରୁଥିଲେ ସେତେବେଳେ ସୁଜାତା ଆଗକୁ ବାହାରି ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ନିଜେ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କୁ ସହାୟତା କରିବା ସହିତ ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ସାହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ସୁଜାତାଙ୍କ ପ୍ରୟାସରେ ଅନେକ ଅଭାବୀ ଲୋକଙ୍କୁ ଦେଶ ବିଦେଶରୁ ସହାୟତା ମିଳିଥିଲା।

ସମ୍ବନ୍ଧିତ ଖବର