ପୁଲିସ ଗାଡ଼ିରେ ବସି ଝରାଫୁଲଙ୍କ ମୃତଦେହକୁ ଫିଙ୍ଗିଥିବା ସ୍ଥାନ ଚିହ୍ନାଇଲା ରାକେଶ

ଭୁବନେଶ୍ବର: ପୁଲିସ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଅଭିଯୁକ୍ତ ରାକେଶକୁ ନେଇଛି । କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ରାକେଶକୁ ପୁଲିସ ଗାଡିରୁ ଓହ୍ଲାଇବାକୁ ଦେଇ ନ ଥିଲା । ଗାଡି ଭିତରେ ବସି ମୃତଦେହ ପଡିଥିବା ଜାଗାକୁ ଦୂରରୁ ଚିହ୍ନଟ କଲା ଅଭିଯୁକ୍ତ । ଯାଗା ଚିହ୍ନଟ ପରେ ରାକେଶକୁ ପୁଣି ଥାନାକୁ ନିଆଯାଇଛି ।

ରା‌କେଶ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାବେଳେ ମୟୂରଭଞ୍ଜ ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଝରାଫୁଲ ଯେତେବେଳେ ବି ଭୁବନେଶ୍ବର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ ।

ପୂର୍ବରୁ ରା‌କେଶଙ୍କ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ବର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ ଏବଂ ଚାଲିଚାଲି ରୁପାଲି ଛକ ଯାଏ ଯାଇଥିଲେ । ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ଏକ ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ୍ ନିକଟସ୍ଥ ଏକ ଫୁଡ୍ ପଏଣ୍ଟକୁ ନେଇ ବିରିୟାନି ଖାଇବାକୁ ଦେଇଥିଲା। ମାତ୍ର ସେଠାରେ ବାନ୍ତି କରିବା ସହ ଖାଇ ନଥିଲେ ଝରାଫୁଲ। ଏହାପରେ ତାଙ୍କୁ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା ରାକେଶ । ଦୁହେଁ ହୋଟେଲରେ ରାତିରେ ରହିଥିଲେ । ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା । ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା । ଶେଖର ଓ ସେ ଝରାଫୁଲକୁ ଗାଡ଼ି ମଝିରେ ବସାଇ ଏନଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ ।

Jharaphula Nayak death: Court allows police to take accused Rakesh Swain on remand | Sambad English

ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ । ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା ଚାଲିଛି । ସେଦିନ ଝରାଫୁଲ ସାଥୀରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁର ସବଜେଲରେ ପହଞ୍ଚିଥିଲା କୁଆଖିଆ ପୁଲିସ । ସକାଳ ସାଢ଼େ ୭ଟାରେ ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ।

ପ୍ରଥମେ ରାକେଶର ଯାଜପୁର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ମାମଲାର ତଦନ୍ତ ଅଧିକାରୀ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରୁଛନ୍ତି । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଶିବସାହୁ ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୁଲିସ। ସେପଟେ ରାକେଶର ସହଯୋଗୀକୁ ଗିରଫ କରିବାକୁ ଦାବି କରିଛନ୍ତି ଝରାଫୁଲର ବାପା । ରାକେଶଓ ତାର ସହଯୋଗୀ ଝରାଫୁଲର ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିଥିଲେ । ତେଣୁ ତାଙ୍କୁ ଗିରଫ କଲେ ସତ୍ୟ ପଦାକୁ ଆସିବ ବୋଲି ଝରାଫୁଲର ବାପା କହିଛନ୍ତି।

ସମ୍ବନ୍ଧିତ ଖବର