ସାମ୍ବାଦିକ ଚତୁର୍ଥ ସ୍ତମ୍ଭ ନୁହେଁ, ତୃତୀୟ ନୟନ ଭଳି କାର୍ଯ୍ୟ କରନ୍ତୁ: ସୌମ୍ୟ

ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ କର୍ମଶାଳା

କଟକ: ସାମ୍ବାଦିକମାନେ ଚତୁର୍ଥ ସ୍ତମ୍ଭ ହେବା ମୋହରେ ପଡ଼ନ୍ତୁ ନାହିଁ କିମ୍ବା ରାଷ୍ଟ୍ରକୃପା ପାଇବାକୁ ବ୍ୟାକୁଳ ହୁଅନ୍ତୁ ନାହିଁ। ସେମାନେ ଶିବଙ୍କ ଭଳି ଅଳ୍ପକେ ସନ୍ତୁଷ୍ଟ ହୋଇ ତାଙ୍କ ତୃତୀୟ ନୟନର କାର୍ଯ୍ୟ କରନ୍ତୁ। ସାମ୍ବାଦିକତା ଏକ ଭିନ୍ନ ବୃତ୍ତି। ଏହି ବୃତ୍ତିରେ ଅଳ୍ପରେ ସନ୍ତୁଷ୍ଟ ହୋଇ ଅଧିକ କାମ କରିବାକୁ ପଡ଼େ। ସମସ୍ତେ ଶୋଇଥିବା ବେଳେ ସାମ୍ବାଦିକଙ୍କୁ ଚେଇଁ ରହିବାକୁ ପଡ଼େ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ରାଜଯୋଗ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନର ‘ଗଣମାଧ୍ୟମ ପ୍ରଭାଗ ପକ୍ଷରୁ ଝାଞ୍ଜିରୀମଙ୍ଗଳା ପ୍ରଭୁସମର୍ପଣ ଭବନରେ ଆୟୋଜିତ ‘ସମୃଦ୍ଧ ଭାରତ ଗଠନରେ ସମାଧାନ ଆଧାରିତ ସାମ୍ବାଦିକତା ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଖବରକାଗଜ ଶିଳ୍ପରେ ତିନି ଜଣ ପ୍ରମୁଖ ଅଂଶୀଦାର ଅଛନ୍ତି। ସେମାନେ ହେଲେ ପାଠକ, ବିଜ୍ଞାପନଦାତା ଓ ମାଲିକ। କିନ୍ତୁ ସାମ୍ବାଦିକ ଅଥବା ସମ୍ବାଦପତ୍ର ପାଇଁ ପାଠକ ହିଁ ଭଗବାନ। ପାଠକଙ୍କ ବିଶ୍ବାସଭାଜନ ହେବା ସମ୍ବାଦପତ୍ର ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ସାମ୍ବାଦିକମାନେ ମାଟିର ସ୍ବାର୍ଥ, ସମାଜର କଲ୍ୟାଣ ପାଇଁ ଲେଖନୀ ଚାଳନା କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ। ରାଜଯୋଗ ବ୍ୟକ୍ତିତ୍ବର ବିକାଶରେ ସହାୟକ ‌ହେଉଥିବାରୁ ଏହା ସବୁ ବୃତ୍ତି ପାଇଁ ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରର ଉପଦେଷ୍ଟା ସମ୍ପାଦକ ମନୀଷ ବାଜପେୟୀ କହିଲେ, ଗଣମାଧ୍ୟମ ପ୍ରତିନିଧିଙ୍କର ବଡ଼ ଉତ୍ତରଦାୟିତ୍ବ ରହିଥିବା ବେଳେ ସେମାନେ ସର୍ବଦା ଅବହେଳିତ ଓ ଶୋଷିତ। ଏଭଳି ସମସ୍ୟାର ସମାଧାନ ପାଇଁ ସାମ୍ବାଦିକମାନଙ୍କର ରାଜଯୋଗ ଅଭ୍ୟାସ ଓ ଆଧ୍ୟାତ୍ମିକତା ଜରୁରୀ।ବ୍ରହ୍ମାକୁମାରୀସ୍ କଟକ ‌କେନ୍ଦ୍ରର ମୁଖ୍ୟ ରାଜଯୋଗିନୀ ବ୍ରହ୍ମାକୁମାରୀ କମଲେସ୍ ଦିଦି କର୍ମଶାଳାରେ ଅଧ୍ୟକ୍ଷତା କରି, ସାମ୍ବାଦିକମାନଙ୍କୁ ଜୀବନ ପରିବର୍ତ୍ତନକାରୀ ସକରାତ୍ମକ ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ଗଣମାଧ୍ୟମ ପ୍ରଭାଗର ରାଷ୍ଟ୍ରୀୟ ସଂଯୋଜକ ବ୍ରହ୍ମାକୁମାର ସୁଶାନ୍ତ ଭାଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ। ବିଶିଷ୍ଟ ସ୍ତମ୍ଭକାର ଅରୁଣ ପଣ୍ଡା କହିଲେ ଯେ ସଂପ୍ରତି ଅହଂକାର ହିଁ ମୂଳ ସମସ୍ୟା ଭାବେ ଉଭା ହୋଇଛି। ‌ରାଜଯୋଗ ଦ୍ବାରା ଏହା ଦୂର ହୋଇପାରିବ। କଟକ ଜୋନ୍‌ର ସହସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଲୋଚନା, ଦିଲ୍ଲୀରୁ ଆସିଥିବା ରାଜଯୋଗିନୀ ପୁନମ୍‌ ଦିଦି ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଗୀତାଞ୍ଜଳି ରାଜଯୋଗ ଅଭ୍ୟାସ କରାଇଥିବା ବେଳେ ସଂସ୍ଥାର ବରି‌ଷ୍ଠ କର୍ମୀ ବ୍ରହ୍ମାକୁମାର ନଥ୍‌ମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ରହ୍ମାକୁମାର ଅମୂଲ୍ୟ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମାକୁମାର ଦେବସ୍ମିତା ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ବ୍ରହ୍ମାକୁମାରୀ ସୌମ୍ୟା ପ୍ରିୟଦର୍ଶିନୀ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର