ବିଧିରେ ସୀମିତ ରହିବ ଖଣ୍ଡଗିରି ମେଳା, ଝୁଲି ରହିଛି ଅପେରା ନିଷ୍ପତ୍ତି

ଭୁବନେଶ୍ବର : ଚଳିତ ବର୍ଷ ଖଣ୍ଡଗିରି ମହାକୁମ୍ଭ ମେଳା କେବଳ ବିଧିରେ ହିଁ ସୀମିତ ରହିବ। ପ୍ରଭୁ ଅନନ୍ତ କେଶରୀଙ୍କ ରାଣୀ ହଂସପୁର ଯାତ୍ରା ଯଥାରୀତି ସମ୍ପନ୍ନ ହେବ। ସେହିଭଳି ବାରଭୁଜା ମନ୍ଦିର ପ୍ରାଙ୍ଗଣରେ ପୂର୍ବଭଳି ବିଶ୍ବଶାନ୍ତି ମହାଯଜ୍ଞ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପାହାଡ଼ରେ ସାଧୁସନ୍ଥମାନଙ୍କ ସମାବେଶ ଉପରେ ମଧ୍ୟ କଟକଣା ଲାଗୁ ହେବ ନାହିଁ। ସେମାନେ ପରମ୍ପରା ଅନୁସାରେ ଗିରି ଗହ୍ବରରେ ନିଜ ଜପତପ ଓ ଭଜନ କୀର୍ତ୍ତନ କରିବେ। କିନ୍ତୁ ମେଳାରେ ହାଟ ବଜାର ଓ ଅପେରା ପଡ଼ିବା ନିଷ୍ପତ୍ତି ଚୁଡ଼ାନ୍ତ ହୋଇପାରିନାହିଁ। କୋଭିଡ୍‌ କଟକଣାକୁ ମାନି ହାଟ ବଜାର ପଡ଼ୁ ଓ ଅପେରା ପାଇଁ ଅନୁମତି ମିଳୁ ବୋଲି ବିଭିନ୍ନ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲେ ହେଁ ବିଏମ୍‌ସି କିଛି ଚୁଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଆସନ୍ତାକାଲି ଯାତ୍ରା କମିଟିମାନଙ୍କ ସହ ପୁଣି ଥରେ ବିଶେଷ ଆଲୋଚନା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

କରୋନା କଟକଣାରେ ବହୁ ପରିମାଣର କୋହଳ ହେବା ପରେ ପ୍ରସିଦ୍ଧ ଖଣ୍ଡଗିରି ମେଳା ଆୟୋଜନ ପାଇଁ ଅନୁମତି ମିଳୁ ବୋଲି ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ବିଏମ୍‌ସିକୁ ଅନୁରୋଧ କରାଯାଇଛି। ଏମିତିକି ଅଧା ଦର୍ଶକରେ ବି ଯାତ୍ରା କରିବାକୁ ସେମାନେ ରାଜି ବୋଲି ଅନୁରୋଧ ପତ୍ରରେ ଦର୍ଶାଇଛନ୍ତି। କିନ୍ତୁ ଏହାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀରେ ଅନ୍ୟ ମେଳା ଅନୁଷ୍ଠିତ ହୋଇଥିଲେ ହେଁ ଖଣ୍ଡଗିରି ମେଳା ଭିନ୍ନ। ଏଠାରେ ଦର୍ଶକମାନଙ୍କୁ କଟକଣାରେ ବାନ୍ଧି ରଖିବା କଷ୍ଟକର ବ୍ୟାପାର। ସେହିଭଳି ଅପେରାରେ ଦର୍ଶକ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ବିବାହ ବ୍ରତ ଭଳି ସାମାଜିକ ଅନୁଷ୍ଠାନରେ ଅତି ‌ବେଶିରେ ୫ ଶହ ଲୋକଙ୍କୁ ଏକାଠି ହେବାର ଅନୁମତି ଦିଆଯାଉଛି। ଏଣୁ ଗୋଟିଏ ପେଣ୍ଡାଲରେ ସର୍ବାଧିକ କେତେ ଦର୍ଶକଙ୍କୁ ବସିବାକୁ ଅନୁମତି ଦିଆଯାଇପାରେ, ତାହାକୁ ନେଇ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି। ତେଣୁ କମିଟିମାନଙ୍କ ସହ ପୁଣି ଥରେ ଆଲୋଚନା କରିବାକୁ ଧାର୍ଯ୍ୟ ହୋଇଛି। ସେହିଭଳି ମେଳା ହାଟରେ କେତେ ଦୋକାନୀଙ୍କୁ ଅନୁମତି ଦିଆଯିବ, ତା ମଧ୍ୟ ଆସନ୍ତାକାଲି ସ୍ଥିର କରାଯିବ।

ସମ୍ବନ୍ଧିତ ଖବର