ଲକ୍ଷାଧିକ ଟଙ୍କାର ମଦ ଜବତ, ୨ ବେପାରୀ ଗିରଫ

ବାଲିଅନ୍ତା : ଖୋର୍ଦ୍ଧା ମୋବାଇଲ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ବାଳକାଟି ଦୋପଟି ସାହିରେ ଅତର୍କତ ଚଢ଼ଉ କରି ବିପୁଳ ପରିମାଣର ଚୋରା ମଦ ଜବତ କରିଛି। ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏଥିସହ ଟିମ୍‌ ଘଟଣାସ୍ଥଳରୁ ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ହେମନ୍ତ କୁମାର ସାହୁ (୩୫), ଏବଂ ବାଲିପାଟଣା ଥାନା ଅନ୍ତର୍ଗତ ବିଶୁନିଆପଡ଼ା ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ। ଉଭୟଙ୍କ ନିକଟରୁ ୪ ଶହ ଲିଟରରୁ ଊର୍ଧ୍ବ ବିଦେଶୀ ମଦ, ବିୟର ଜବତ କରାଯାଇଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ହେମନ୍ତ ଦୀର୍ଘ ଦିନ ହେବ ଚୋରା ମଦ କାରବାର ଚଳାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ସ୍କ୍ବାଡ୍‌ ଚଢ଼ଉ କରି ଆଜି ବିପୁଳ ପରିମାଣର ମଦ ଜବତ କରିଥିଲା। ଚଢ଼ଉ ସମୟରେ ଏଏସ୍‌ଆଇ ସୁଜିତ ମୁଦିଲ୍, ଏସଆଇ ମାନସୀ ନାୟକ, ଆଇଆଇସି ବିକାଶ ଚନ୍ଦ୍ର ନାୟକ, ଲକ୍ଷ୍ମଣ ଗାନିକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର