ରିମାଣ୍ଡରେ ଆସିବ କୋଟିପତି ଲୁଟେରା ପର୍ଶୁରାମ: ଖୁବ୍‌ ଶୀଘ୍ର ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା

ନିଜେ ଗ୍ୟାଙ୍ଗ୍୍‌, ନିଜେ ମୁଖିଆ, ନଥିଲା ଗାଡ଼ି ସଉକ, କିଣୁଥିଲା ସ୍ଥାବର ସମ୍ପତ୍ତି

ଭୁବନେଶ୍ବର: ହାପ୍‌ ପ୍ୟାଣ୍ଟ ପିନ୍ଧି ସିନ୍ଧିଚୋରି କରୁଥିବା କୁଖ୍ୟାତ ଲୁଟେରା ପର୍ଶୁରାମ ଗିରିକୁ ରିମାଣ୍ଡରେ ଆଣିବ କମିସନରେଟ୍‌ ପୁଲିସ। ଲୁଟ୍‌ ସମ୍ପତ୍ତିରେ କୋଟିପତି ବନିଥିବା ହାଇଟେକ୍‌ ଲୁଟେରା ପର୍ଶୁରାମ୍‌କୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ ବଡ଼ଗଡ଼ ଥାନା ପୁଲିସ ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟ-୪ରେ ଆଜି ଆବେଦନ କରିଛି। ପର୍ଶୁରାମର ସମ୍ପତ୍ତି ଆକଳନ କରିବା ସହ ବାଜ୍ୟାପ୍ତି କରିବା ଉଦ୍ଦେଶ୍ୟରେ ପୁଲିସ ତାକୁ ରିମାଣ୍ଡରେ ଆଣୁଥିବା ଜଣାପଡ଼ିଛି। ଖୁବ୍‌ ଶୀଘ୍ର ତା’ର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଜଣାପଡ଼ିଛି। ପୁଲିସ ସୂଚନାନୁସାରେ ପର୍ଶୁରାମ ଗିରି ନିକଟରୁ ୨୬ ଲକ୍ଷ ଟଙ୍କା ଓ ପ୍ରାୟ ୬୦୦ ଗ୍ରାମ୍ ସୁନା ଅଳଙ୍କାର ଜବତ କରାଯାଇଛି। କିନ୍ତୁ ଏହାଠାରୁ ସେ ବହୁ ଅଧିକ ସମ୍ପତ୍ତିର ମାଲିକ ହୋଇପାରିଛି। ତା’ ନାଁରେ ଭୁବାନେଶ୍ବରରେ ୫ରୁ ଅଧିକ କୋଠାଘର ରହିଛି। ବଡ଼ କଥା ହେଉଛି, ତା’ ପାଖରୁ କୌଣସି ଦାମୀ ଗାଡ଼ି ମିଳିନାହିଁ। ସେ ଦାମୀ କାର୍‌ ନ ଚଢ଼ି କେବଳ ସ୍ଥାବର ସମ୍ପତ୍ତି କିଣିବାକୁ ଭଲ ପାଉଥିଲା। ତେଣୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ପରେ ସେସବୁ ଗୁପ୍ତଧନର ତାଲିକା କରାଯିବ। ଲୁଟ୍‌ ଟଙ୍କାରେ ହୋଇଥିବା ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ। ଏମିତିକି କୋଠାଘର ଉପରେ ବୁଲ୍‌ଡୋଜର୍‌ ପାହାର ପଡ଼ିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୬ ମସିହାରେ ସ୍ତ୍ରୀଙ୍କୁ ହତ୍ୟା କରି ପର୍ଶୁରାମ ଗିରଫ ହୋଇଥିଲା। ଏହାପରେ ସେ ଜାମିନରେ ଆସି ସିନ୍ଧିଚୋରିରେ ମାତିଯାଇଥିଲା। ବଡ଼ କଥା ହେଉଛି ସେ ଥିଲା ତା’ ଗ୍ୟାଙ୍ଗ୍‌ର କେବଳ ଜଣେ ମାତ୍ର ଲୁଟେରା। ଏକୁଟିଆ ଲୁଟୁଥିଲା ଏବଂ ଲୁଟ୍‌ ପଇସାରେ ଏକୁଟିଆ ମଉଜ କରିଥିଲା। ମୁମ୍ବାଇର ତାଜ୍‌ ହୋଟେଲ ଭଳି ଦାମୀ ହୋଟେଲ୍‌ରେ ରହି ବିଦେଶିନୀଙ୍କ ପିଛାରେ ପଇସା ଉଡ଼ାଉଥିଲା। ଏପର୍ଯ୍ୟନ୍ତ ତା’ ନାଁରେ ପାଖାପାଖି ୩୦ରୁ ଅଧିକ ସିନ୍ଧିଚୋରି ମାମଲା ରହିଛି।

ପର୍ଶୁରାମର ଲୁଟ୍‌ ଷ୍ଟାଇଲ୍‌ ଥିଲା ବଡ଼ ମଜାଦାର। ଦିନ‌ରେ ସେ ରେକି କରି କୌଣସି ଘରକୁ ଟାର୍ଗେଟ୍‌ କରୁଥିଲା। ଯେଉଁ ଘରର ଗ୍ରିଲ୍‌ ଯେତେ ଶକ୍ତ, ସେ ସେହି ଘରକୁ ନିଶାଣ ଲଗାଉଥିଲା। ରାତିରେ ସେ ଅପରେସନ୍ କରୁଥିଲା। ଝରକା ଡେଇଁ ହେଉ କି ପାଇପ୍‌ରେ ଚଢ଼ି ହେଉ, ସେ ୨/୩ ମହଲାକୁ ବି ଚଢ଼ିଯାଉଥିଲା। ଚୋରି କରିବାକୁ ଗଲା ବେଳେ ହାପ୍‌ ପ୍ୟାଣ୍ଟ ପିନ୍ଧୁଥିଲା ଏବଂ ଚପଲ ପିନ୍ଧୁନଥିଲା। ମୋବାଇଲ୍‌ ଫୋନ୍‌କୁ ଫ୍ଲାଇଟ୍‌ ମୋଡ୍‌ରେ ରଖୁଥିଲା। ଚୋରି ବେଳେ ତା’ ହାତରେ କେବଳ ଗୋଟିଏ ଲୁହା ରଡ୍‌ ରହୁଥିଲା, ଯେଉଁଥିରେ ଗ୍ରିଲ୍‌ ତାଡ଼ିବାକୁ ଲିଭର୍‌ ବ୍ୟବସ୍ଥା ଥିଲା। ଘରେ ପଶିଯିବା ପରେ ତାକୁ କେହି ରୋକିବା ପାଇଁ ନଥିଲେ। କାରଣ କେହି ରହୁ ନଥିବା ଘରେ ହିଁ ସେ ପଶୁଥିଲା।

ସମ୍ବନ୍ଧିତ ଖବର