ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଶୃଙ୍ଗବେରପୁର

ରାମ, ଲକ୍ଷ୍ମଣ ଓ ସୀତା ବନବାସ କାଳରେ ଅଯୋଧ୍ୟାରୁ ତାଙ୍କ ଯାତ୍ରା ଆରମ୍ଭ କରି ଶ୍ରୀଲଙ୍କାରେ ଶେଷ କରିଥିଲେ। ତାଙ୍କର ଏହି ଯାତ୍ରା ଥିଲା ସଂପୂର୍ଣ୍ଣ ସ୍ମୃତିବହୁଳ। ତେଣୁ ଏହାକୁ ପ୍ରତ୍ୟେକ ହିନ୍ଦୁ ‘ରାମ ବନଗମନ ପଥପରିକ୍ରମା’ ଭାବରେ ଅଭିହିତ କରିଥାନ୍ତି। ଏହି ଯାତ୍ରା କାଳରେ ରାମ ଅନେକ ମୁନିଋଷିଙ୍କ ଆଶ୍ରମ ଭ୍ରମଣ କରିଥିଲେ। ଅନେକ ଆଶୀର୍ବାଦ ଲାଭ କରିଥିଲେ ଏବଂ ଅନେକଙ୍କୁ ସେମାନଙ୍କର ଐକାନ୍ତିକ ଭକ୍ତିର ଫଳ ମଧ୍ୟ ପ୍ରଦାନ କରିିଥିଲେ। ଅନେକ ରାକ୍ଷସଙ୍କୁ ବଧ କରି ସେମାନଙ୍କୁ ମୋକ୍ଷ ଦାନ କରିଥିଲେ। ଶୃଙ୍ଗବେରପୁରରୁ ଶ୍ରୀଲଙ୍କା- ଦୀର୍ଘପଥ, ଦୀର୍ଘଯାତ୍ରା, ଅସଂଖ୍ୟ ଘଟଣା, ଅନେକ ପ୍ରାତଃ ସ୍ମରଣୀୟ ଚରିତ୍ର।
ତାହାର ଆଲେଖ୍ୟ ‘ଶ୍ରୀରାମଙ୍କ ପଥ: ଆମର ତୀର୍ଥ’।

ଶ୍ରୀରାମଚନ୍ଦ୍ରଙ୍କର ବନବାସ ପର୍ବରେ ଶୃଙ୍ଗବେରପୁରର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଶ୍ରୀରାମ କୋଶଳ ରାଜ୍ୟ ପରିତ୍ୟାଗ କରି ଯେତେବେଳେ ତାହାର ସୀମାରେ ଥିବା ନିଷାଦ ରାଜ୍ୟ ଶୃଙ୍ଗବେରପୁରରେ ପ୍ରବେଶ କଲେ, ନିଷାଦରାଜ ଗୁହକ ତାହାର ସୂଚନା ପାଇ ନିଜର ବଂଧୁ ପରିଜନ, ସୈନ୍ୟ ସାମନ୍ତ ଏବଂ ଅନେକ ଉପହାର ସାମଗ୍ରୀ ଧରି ତାଙ୍କୁ ନିଜ ରାଜଧାନୀକୁ ନେବାପାଇଁ ଆସି ପହଞ୍ଚିଲେ। କିନ୍ତୁ ଶ୍ରୀରାମଙ୍କ ବନବାସୀ ବେଶ ଦେଖି ଆଶ୍ଚର୍ଯ୍ୟଚକିତ ହେବା ସହିତ ଅଶ୍ରୁବର୍ଷଣ କରିବାକୁ ଲାଗିଲେ। ଶ୍ରୀରାମ ଅଯୋଧ୍ୟାରୁ ନିର୍ବାସିତ ହେବା ଜାଣି ସେ ତାଙ୍କୁ ନିଷାଦ ରାଜ୍ୟରେ ରାଜତ୍ୱ କରିବାପାଇଁ ଅନୁରୋଧ କଲେ। ଶ୍ରୀରାମ ବିନୟର ସହିତ ତାଙ୍କୁ ଆଲିଙ୍ଗନ କରି ସେହି ପ୍ରସ୍ତାବକୁ ଅସ୍ୱୀକାର କଲେ।

ରାତ୍ରିକାଳରେ ଶ୍ରୀରାମ ଏକ ଇଙ୍ଗୁଦୀ ବୃକ୍ଷ ତଳେ, କୁଶ ଶଯ୍ୟାରେ ଶୟନ କଲେ। ନିଷାଦରାଜ ଗୁହକ ବେଦନାବିଗଳିତ ଚିତ୍ତରେ ସମଗ୍ର ରାତ୍ରି ଉଜାଗର ରହି ଶ୍ରୀରାମଙ୍କ ପାଦ ପାଖରେ ବସି ରହିଲେ। ପ୍ରାତଃକାଳରେ ଶ୍ରୀରାମ ବଳ୍‌କଳ ପରିଧାନ କରି, ଜଟା ବାନ୍ଧି, ଗଙ୍ଗା ପାର ହୋଇ ବନପ୍ରଦେଶକୁ ଗମନ କରିବା ନିମିତ୍ତ ଗୁହକଙ୍କୁ ଏକ ନୌକା ଯୋଗାଇ ଦେବା ନିମିତ୍ତ ଅନୁରୋଧ କଲେ। ନିଷାଦମାନେ ସାଧାରଣତଃ ଥିଲେ କୈବର୍ତ୍ତ ସଂପ୍ରଦାୟର। ନିଷାଦରାଜ ଗୁହକ ଶ୍ରୀରାମଙ୍କର ପଦଧୌତ କରି ଏକ ସୁଦୃଶ୍ୟ ନୌକାରେ ତାଙ୍କୁ ଏବଂ ଲକ୍ଷ୍ମଣ ଓ ସୀତାଙ୍କୁ ବସାଇ ବିଦାୟ ଦେଲେ। ଗୁହକଙ୍କର ଶ୍ରୀରାମଙ୍କ ପଦ ପ୍ରକ୍ଷାଳନକୁ ନେଇ ଅନେକ ସୁନ୍ଦର କାହାଣୀ ରହିଛି। ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଶୃଙ୍ଗବେରପୁର ଅବସ୍ଥିତ। ଏହା ଅଯୋଧ୍ୟାଠାରୁ ପ୍ରାୟ ୧୭୦ କି.ମି. ଦୂର। ଶ୍ରୀରାମଙ୍କର ପ୍ରକୃତ ବନଗମନ ଏହିଠାରୁ ଆରମ୍ଭ ହୋଇଥିବାରୁ ଏହି ସ୍ଥାନଟି ମହତ୍ତ୍ୱପୂର୍ଣ୍ଣ। ଶ୍ରୀରାମ ଯେଉଁ ଇଙ୍ଗୁଦୀ ବୃକ୍ଷ ତଳେ ଶୟନ କରିଥିଲେ, ସେଠାରେ ଶ୍ରୀରାମ ଶୟନ ଆଶ୍ରମ ରହିଛି। ଯେଉଁଠାରେ ଶ୍ରୀରାମ ଗଙ୍ଗାପାର ହୋଇଥିଲେ ସେଠାରେ ଅଛି ରାମଚଉରା ଘାଟ।
ଶୃଙ୍ଗବେରପୁରର ନାମକରଣ ମହାମୁନି ଋଷ୍ୟଶୃଙ୍ଗଙ୍କ ନାମାନୁସାରେ ହୋଇଥିବା ଜଣାଯାଏ। ଏହା ତାଙ୍କର ତପସ୍ୟା କ୍ଷେତ୍ର ଥିଲା। ଋଷ୍ୟଶୃଙ୍ଗ ଦଶରଥଙ୍କ ନିମିତ୍ତ ପୁତ୍ରେଷ୍ଟି ଯଜ୍ଞ କରିଥିଲେ। ତାହା ଫଳରେ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ଏଠାରେ ଶୃଙ୍ଗୀଋଷିଙ୍କ ଆଶ୍ରମ ଦେଖାଯାଏ। ସଂପ୍ରତି ନିଷାଦରାଜ ଗୁହକ ଓ ଶ୍ରୀରାମଙ୍କ ମିତ୍ରତାର ସାକ୍ଷ୍ୟ ସ୍ୱରୂପ, ତମ୍ବାରେ ନିର୍ମିତ ୫୧ଫୁଟ ଉଚ୍ଚର ଗୁହକ ଓ ଶ୍ରୀରାମଙ୍କର ଏକ ଆଲିଙ୍ଗନାବଦ୍ଧ ମୂର୍ତ୍ତି ‘ନିଷାଦରାଜ ପାର୍କ’ରେ ଶୋଭା ପାଉଛି। ଶୃଙ୍ଗବେରପୁରଠାରୁ ୪୫ କି.ମି. ଦୂରରେ ରହିଛି ପ୍ରୟାଗ- ଯେଉଁଠାରେ ଅଛି ମହର୍ଷି ଭରଦ୍ୱାଜଙ୍କର ଆଶ୍ରମ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର