ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି: ରାଜଧାନୀ‌ରେ ବିଜେପିର ବିକ୍ଷୋଭ

ବିଧାନସଭା ଘେରାଉ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର୍‌ ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ଆଜି ଜିଲ୍ଲା ବିଜେପି ଏବଂ ଯୁବମୋର୍ଚ୍ଚା ପକ୍ଷରୁ ମାଷ୍ଟକ୍ୟାଣ୍ଟିନ୍‌ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ପୂର୍ବାହ୍ନରେ ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଶତାଧିକ କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଏକତ୍ରିତ ହୋଇ ମନ୍ତ୍ରୀ ଶ୍ରୀ ଜେନାଙ୍କ ବିରୋଧ‌‌ରେ ନାରାବାଜି କରିଥିଲେ। ଶ୍ରୀ ସିଂହ କହିଥିଲେ ଯେ ମାହାଙ୍ଗା ଡବଲ ମର୍ଡର୍‌ ଘଟଣାକୁ ଶାସକ ଦଳ ଚାପି ଦେଇଛନ୍ତି।

୧୩ଜଣ ଅଭିଯୁକ୍ତଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିଲା। କିନ୍ତୁ ଚାର୍ଜସିଟ୍‌ରେ ମନ୍ତ୍ରୀଙ୍କ ନାଁକୁ ହଟାଇ ଦିଆଯାଇଛି। ନିଜ ପଦବୀର ଅପବ୍ୟବହାର କରିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରି ଶ୍ରୀ ଜେନା ନିଜ ନାଁକୁ ଚାର୍ଜସିଟ୍‌ରୁ କାଟି ଦେଇଛନ୍ତି। ତେବେ ଗତକାଲି ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶକ୍ରମେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଯୋଡ଼ା ଯାଇଛି। ଏହା ଶାସକ ଦଳର ଅସଲ ମୁଖା ଖୋଲି ଦେଇଛି। ପରେ ବିକ୍ଷୋଭକାରୀମାନେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିବାରୁ ପୁଲିସ୍‌ ସେମାନଙ୍କୁ ବାଧା ଦେଇଥିଲା। ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ୍ ୮୦ରୁ ଊର୍ଧ୍ବ କର୍ମୀଙ୍କୁ ଗିରଫ କରିଥିଲା।

ବିକ୍ଷୋଭରେ ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା, ଜିଲ୍ଲା ସଧାରଣ ସଂପାଦକ ହିମାଂଶୁ ଛୋଟରାୟ, ଦିଲୀପ ବେହେରା, ଅଭିଷେକ ଆଚାର୍ଯ୍ୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଂଜନ ମୁଦୁଲି, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ରଣସିଂହ, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ ଓ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର