ନିୟମ ଅଛି ହେଲେ କାର୍ଯ୍ୟକାରୀ ହେଉନି : ରାସ୍ତାରେ ଶହ ଶହ ନାବାଳକ ବାଇକ୍‌ ଆରୋହୀ

ଭୁବନେଶ୍ବର : ୧୮ ବର୍ଷରୁ କମ୍‌ ପିଲା ବାଇକ୍‌ ଚଳାଇଲା ବେଳେ ଧରା ପଡ଼ିଲେ, ପୁଲିସ୍‌ ସିଧା ବାଇକ୍‌ ଜବତ କରିବ। ଜରିମାନା ଦେଇ କାମ ଚଳେଇ ହେବ ନାହିଁ। ଜବତ ବାଇକ୍‌କୁ ଅଭିଭାବକମାନେ ଥାନାରୁ ନେଇପାରିବେ। କିନ୍ତୁ ଏଥିପାଇଁ ଅଭିଭାବକଙ୍କୁ ଥାନାରେ ଏକ ରାଜିନାମା କପିରେ ଦସ୍ତଖତ କରିବାକୁ ପଡ଼ିବ। ପରେ ୫୦୦ ଟଙ୍କା ଜରିମାନା ଦେଇ ବାଇକ୍‌ ନେବେ। ଏହା ପୁଣି ବାଇକ୍‌ ଜବତ ହେବାର ଏକ ସପ୍ତାହ ମଧ୍ୟରେ। ନଚେତ୍‌ ବାଇକ୍‌ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ। ୨୦୧୭ ମସିହା ନଭେମ୍ବର ୩ ତାରିଖରେ ଏଭଳି କଟକଣା ଲଗାଇଥିଲା କମିସନରେଟ୍‌ ପୁଲିସ୍‌। ନିୟମ ହେବାର ଦେଢ଼ ବର୍ଷ ବିତିଗଲା, କିନ୍ତୁ ଛବି ବଦଳିଲାନି।

ନିୟମକୁ ବେଖାତିର‌୍‌ କରି ପ୍ରତିଦିନ ଶହ ଶହ ନାବାଳକ ବେଧଡ଼କ ବାଇକ୍‌ ଚଳାଉଛନ୍ତି। ଆଉ କିଛି ପିଲା ଟ୍ରାଫିକ୍‌ ପୁଲିସ୍‌ ଆଗରେ ହାତରେ ହାଇସ୍ପିଡ୍‌ ବାଇକ୍‌ ଧରି ନିଜର ଚାଳନା କୌଶଳ ରାଜରାସ୍ତାରେ ପ୍ରଦର୍ଶିତ କରୁଛନ୍ତି। ଏଥିପାଇଁ ରାସ୍ତା ଜାମ୍‌ ହେବା ସହ ଅନ୍ୟ ଗାଡ଼ି ଚାଳକମାନେ ହଇରାଣ ହେଉଥିଲେ ମଧ୍ୟ ପୁଲିସ୍‌ କେବଳ ନିରବଦ୍ରଷ୍ଟା ସାଜୁଛି।

ଡ୍ରାଇଭି˚ ଲାଇସେନ୍ସ ବିନା ଗାଡ଼ି ଚଳାଇବା ବେଆଇନ। ପୁଣି ୧୮ବର୍ଷ ହେବା ପରେ ହିଁ ଜଣେ ଡ୍ରାଇଭି˚ ଲାଇସେନ୍ସ ପାଇଁ ଆବେଦନ କରିପାରିବ। କିନ୍ତୁ ଲାଇସେନ୍ସ ନ ଥିବା ଛାତ୍ରଛାତ୍ରୀମାନେ ପ୍ରତିଦିନ ରାଜଧାନୀରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଥିବା ବେଳେ ଏ ନେଇ ନା ଅଭିଭାବକ ନା ଟ୍ରାଫିକ୍‌ ପୁଲିସ୍‌ କିଛି ପଦକ୍ଷେପ ନେଉଛି। ଭଲ ଭାବେ ଗାଡ଼ି ଚଲାଇବା ଶିଖି ନଥିବା କି ଟ୍ରାଫିକ୍‌ ସିଗ୍‌ନାଲ୍‌ ବିଷୟରେ ଜ୍ଞାନ ନ ଥିବା ୧୮ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ଗାଡ଼ି ଚଲାଇବା ସମୟରେ ଟ୍ରାଫିକ୍‌ ନିୟମ ମାନୁ ନାହାନ୍ତି। ଏଥିପାଇଁ ନାନା ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାମାନ ଘଟୁଛି। ଧୀରେ ଧୀରେ ଏନେଇ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ବି ଲାଗିଛି। ଅନେକ ସମୟରେ ସେମାନେ ଧରାପଡ଼ି ଜରିମାନା ମଧ୍ୟ ଦେଉଛନ୍ତି। କିନ୍ତୁ ଏହାର ପ୍ରଭାବ କିଛି ପଡ଼ୁନାହିଁ। ଏଥିମଧ୍ୟରୁ ଅଧିକା˚ଶ ଇ˚ରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇଥିବାରୁ କମିସନରେଟ୍‌ ପୁଲିସ୍‌ର ପ୍ରାଥମିକତାରେ ସେମାନେ ରହିଛନ୍ତି। ଏନେଇ ଟ୍ରାଫିକ୍‌ ପୁଲିସ୍‌ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ବିଭିନ୍ନ ବିଦ୍ୟାଳୟ ସମ୍ମୁଖରେ ପଇନ୍ତରା ମାରିବାର ନିୟମ ମଧ୍ୟ କରାଯାଇଛି।

ଏନେଇ ଆର‌୍‌ଟିଓ ପିକେ ମହାନ୍ତି କୁହନ୍ତି, ନିୟମାନୁଯାୟୀ ୧୬ବର୍ଷର ନାବାଳକମାନେ ୫୦ ସିସି ତଳକୁ ବାଇକ୍‌ ଚଲାଇ ପାରିବେ। କିନ୍ତୁ ବଜାରରେ ଏପର୍ଯ୍ୟନ୍ତ ୫୦ ସିସି ତଳକୁ ଗାଡ଼ି ଉପଲବ୍ଧ ନାହିଁ। ୧୮ ବର୍ଷରେ ହିଁ ଜଣକୁ ଲାଇସେନ୍ସ ମିଳେ। ଏଣୁ ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ହୁଅନ୍ତୁ ବା ଯେକୌଣସି ବ୍ୟକ୍ତି ଲାଇସେନ୍ସ ବିନା ଗାଡ଼ି ଚଲାଇବା ବେଆଇନ। ଏଥିପାଇଁ କଡ଼ା ନିୟମ ରହିଛି। ନାବାଳକ ରାସ୍ତାରେ ଗାଡ଼ି ଚଲାଉଥିବା ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ସହ ଅଭିଭାବକଙ୍କୁ ୧୦୦୦ ଟଙ୍କାର ଜରିମାନା ବାନ୍ଧିବାକୁ ପଡ଼ିବ। କିନ୍ତୁ ଆବଶ୍ୟକଠାରୁ କମ୍‌ କର୍ମଚାରୀ ଥିବାରୁ ଆମେ ସେ ଦିଗରେ ପଦକ୍ଷେପ ନେଇପାରୁନୁ ବୋଲି ସେ ସ୍ବୀକାର କରିଛନ୍ତି।

ଏନେଇ ଟ୍ରାଫିକ୍‌ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ବିଭିନ୍ନ ସମୟରେ ଚଢ଼ଉ କରାଯାଇ ନିୟମ ଉଲଂଘନକାରୀ ନାବାଳକ ବାଇକ୍‌ ଆରୋହୀଙ୍କୁ ଧରାଯିବା ସହ ଗାଡ଼ି ଜବତ ହେଉଛି। କିନ୍ତୁ ଏଯାଏଁ ଏଥିପାଇଁ କୌଣସି ସ୍ବତନ୍ତ୍ର ସ୍କାଡ୍‌ ଗଠନ କରାଯାଇନାହିଁ। ଭବିଷ୍ୟତରେ ଏନେଇ ଅଧିକ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ ସମୟ ଅଭାବରୁ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ି ଯାଇ ପାରୁ ନଥିବାରୁ ଆମେ ଭଲ ଭାବେ ଗାଡ଼ି ଶିଖାଇ ଟ୍ରାଫିକ୍‌ ନିୟମ ବତାଇ ପିଲାମାନଙ୍କୁ ଗାଡ଼ି ଦେଉଛୁ ବୋଲି କିଛି ଅଭିଭାବକ ଯୁକ୍ତି ବାଢ଼ୁଛନ୍ତି।

ସମ୍ବନ୍ଧିତ ଖବର