ନାବାଳିକା ମଙ୍ଗୁଳା କନ୍ୟା ଉଦ୍ଧାର, ଚମ୍ପଟ ମାରିଲା ବର

ବାଲିଅନ୍ତା: ବାଲ୍ୟ ବିବାହ ରୋକିବାକୁ ଯେତେ ପଦକ୍ଷେପ ଓ ଯେତେ ସଚେତନତା କାର୍ଯ୍ୟକ୍ରମ ନିଆଯାଉଥିଲେ ମଧ୍ୟ ଏହି କୁତ୍ସିତ ପ୍ରଥା ଥମିବା ନାଁ ଧରୁନାହିଁ। ଖୋଦ୍‌ ରାଜଧାନୀ ଉପକଣ୍ଠରେ ବି ଏଭଳି ଘଟଣାମାନ ଘଟୁଛି। ଆଜି ବାଲିଅନ୍ତା ଥାନା ବଳଭଦ୍ରପୁର ଅଞ୍ଚଳରେ ଏମିତି ଏକ ଘଟଣା ନଜରକୁ ଆସିବା ପରେ ପୁଲିସ ଓ ଶିଶୁ କଲ୍ୟାଣ ବିଭାଗ ଚଢ଼ଉ କରି ନାବାଳିକା ମଙ୍ଗୁଳା କନ୍ୟାକୁ ଉଦ୍ଧାର କରିଛି। ଚଢ଼ଉ ବାବଦରେ ଖବର ପାଇ ବର ଗାଁରୁ ଚମ୍ପଟ ମାରିଛି।
ସୂଚନାନୁସାରେ, ଦଳିତ ବର୍ଗର ଏହି ନାବାଳିକାର ବୟସ ୧୪ ବର୍ଷ। ଆର୍ଥିକ ଅନଟନରେ କାଳ କାଟୁଥିବା ପରିବାରଲୋକେ ଝିଅ ବୋଝ ଉଠାଇ ‌ଦେବାକୁ ଯାଇ ସେହି ଗାଁର ଜଣେ ୨୭ବର୍ଷ ବୟସର ଯୁବକଙ୍କ ସହ ତାକୁ ବାହା ଦେବାକୁ ସ୍ଥିର କରିଥିଲେ। ଗତକାଲି ମଙ୍ଗନ ଉତ୍ସବ ହୋଇସାରିଥିଲା ଓ ଆଜି ବାହାଘର ପାଇଁ ସବୁ ପ୍ରସ୍ତୁତି ଜୋର୍‌ଦାର ଚାଲିଥିଲା। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ଚାଇଲ୍‌ଡ ଲାଇନ୍‌ ବାଲିଅନ୍ତା ଥାନା ପୁଲିସ ସହଯୋଗରେ ଗାଁରେ ନାବାଳିକା ଘରେ ପହଞ୍ଚିଥିଲା।

ନାବାଳିକାର ବୟସ ପ୍ରମାଣପତ୍ର ପାଇବା ପରେ ପରିବାର ଲୋକଙ୍କୁ ବୁଝାସୁଝା କରି ବିବାହ ବନ୍ଦ କରାଇଥିଲେ। ଏହି ସମୟରେ ବର ନିକଟରେ ଖବର ପହଞ୍ଚି ଯାଇଥିଲା। ଗିରଫ ଭୟରେ ବର ବେଶରେ ଥାଇ ବି ଯୁବକ ଜଣକ ଫେରାର୍ ହୋଇଯାଇଥିଲା। ନାବାଳିକାକୁ କାଉନ୍‌ସେଲିଂ ପାଇଁ ଶିଶୁ କଲ୍ୟାଣ ବିଭାଗ ପରାମର୍ଶରେ ତାକୁ କଳିଙ୍ଗବିହାରସ୍ଥିତ ବିଶ୍ବ ଜୀବନ ସଂଘକୁ ନିଆଯାଇଛି।

ସମ୍ବନ୍ଧିତ ଖବର