କ୍ୟାପିଟାଲ ଥାନାର ନିଲମ୍ବିତ ଏସ୍‌ଆଇ ରାକେଶଙ୍କୁ ପାଇଲା ପୁଲିସ, ରାଉରକେଲାରେ ଲୁଚିଥିଲେ

ଭୁବନେଶ୍ବର : ଦୁଷ୍କର୍ମ ଓ ଚୋରା ଗାଡ଼ି କାରବାରରେ ଲିପ୍ତ ଥିବା ଅଭିଯୋଗରେ ଫେରାର କ୍ୟାପିଟାଲ ଥାନାର ନିଲମ୍ବିତ ଏସ୍‌ଆଇ ରାକେଶ ସାମଲଙ୍କୁ ପୁଲିସ ପାଇଛି। ଦୀର୍ଘ ମାସେ କାଳ ସରକାରଙ୍କ ବିନାନୁମତିରେ କାର୍ଯ୍ୟରେ ଯୋଗ ଦେଉନଥିବା ଅଭିଯୁକ୍ତ ଏସ୍‌ଆଇଙ୍କୁ ଆଜି କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ରାଉରକେଲାରୁ ଧରିଛି। ରାଉରକେଲା ରଘୁନାଥପାଲ୍ଲୀ ଥାନାରେ ତାଙ୍କୁ ରଖାଯିବା ପରେ ଆସନ୍ତାକାଲି ଭୁବନେଶ୍ବର ଅଣାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଆସନ୍ତାକାଲି ଏଠାରେ ତଦନ୍ତକାରୀ ଅଧିକାରୀ ଜେରା କରିବେ। ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ସହ ଚୋରାଗାଡ଼ି କାରବାରରେ କମିସନରେଟ୍‌ ପୁଲିସର ସମ୍ପୃକ୍ତି ନେଇ ରହିଥିବା ସଙ୍ଗିନ ଅଭିଯୋଗ ଉପରୁ ମଧ୍ୟ ପରଦା ଉଠିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ରାକେଶଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ଥିବାରୁ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଯେଉଁ ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତ ସହ ସମ୍ପୃକ୍ତ ଥାଇ ଚୋରା କାରବାରକୁ ସମର୍ଥନ ଦେଇ ଆସୁଥିଲେ ସେମାନେ ଏବେ ପ୍ରମାଦ ଗଣୁଛନ୍ତି। ଚୋରା ଗାଡ଼ି ଆସି କେଉଁଠି ରହୁଥିଲା? ଚୋରା ଗାଡ଼ି ବିକିବା ପାଇଁ କିଏ ଗ୍ରାହକ ଯୋଗାଡ଼ କରୁଥିଲା? ଚୋରା ଗାଡ଼ିର କାଗଜପତ୍ର କେମିତି ବଦଳା ଯାଉଥିଲା? ଆରଟିଓ ଅଫିସ୍‌ରେ କିଏ ସହଯୋଗ କରୁଥିଲା? ଅଭିଯୁକ୍ତ ଏସ୍‌ଆଇ ସହ ଅନ୍ୟ ଏକ ଥାନାର ଜଣେ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଯେଉଁ ଅଡିଓ ଟେପ୍‌ ରହିଛି ସେ କିଏ? ତାଙ୍କର ଏହି ଚୋରାଗାଡ଼ି କାରବାରରେ କ’ଣ ଭୂମିକା ରହିଛି? ରାକେଶ ଆସିବା ପରେ କମିସନରେଟ୍‌ ପୁଲିସ ଏ ତମାମ୍‌ ପ୍ରଶ୍ନର ଉତ୍ତର ଖୋଜିବ।

ରାକେଶ ବିରୋଧରେ ମହିଳା ଥାନାରେ ଦଫା ୩୭୬, ୩୧୩, ୫୦୬ ଏବଂ ୪୨୦ରେ ଏକ ମାମଲା ରୁଜୁ କରାଯାଇଛି।

ଅପରପକ୍ଷରେ ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କ ଘର ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହି ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ସୋସିଆଲ ମିଡିଆ ଜରିଆରେ ଗତବର୍ଷ ଅଭିଯୁକ୍ତ ଏସ.ଆଇ ରାକେଶଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା।

ଯୁବତୀ ଶସ୍ତାରେ ଏକ ଚାରିଚକିଆ ଗାଡ଼ି କିଣିବାକୁ ଚାହୁଥିବା କହିଥିଲେ। ଦାମୀଗାଡ଼ି ଯୋଗାଇ ଦେବାକୁ କହି ରାକେଶ ତାଙ୍କ ଠାରୁ ୫ଲକ୍ଷ ଟଙ୍କା ନେଇଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ରାକେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ବିବାହ ପାଇଁ ଜିଦ୍‌ କରିବାରୁ ରାକେଶ ଗର୍ଭନଷ୍ଟ କରିବାକୁ ଚାପ ପକାଇଥିଲେ। ହେଲେ ପୀଡ଼ିତା ରାଜି ନ ହେବାରୁ ରାକେଶ ସର୍ଭିସ୍‌ ରିଭଲଭର ମୁନରେ ଗର୍ଭପାତ କରାଇବାକୁ ସକ୍ଷମ ହୋଇଥି‌ଲେ। ଶେଷରେ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ରାକେଶ ବିରୋଧରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।

ହାଇକୋର୍ଟରୁ ମିଳିଛି ସୁରକ୍ଷା
ଭୁବନେଶ୍ବର : ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦଫା ୩୭୬। ଇଚ୍ଛା ବି‌ରୋଧରେ ଧମକ ଚମକ ଦେଇ ଗର୍ଭପାତ କରାଇବା ଅଭିଯୋଗରେ ଦଫା ୩୧୩। ଧମକ ଦେଇ ଭୟଭୀତ କରାଇବା ଅଭିଯୋଗରେ ଦଫା ୫୦୬। ଏଭଳି ସଙ୍ଗିନ ଅଭିଯୋଗ ବଳରେ ମାମଲା ରୁଜୁ ହେବା ପରେ କ୍ୟାପିଟାଲ ଥାନାର ନିଲମ୍ବିତ ଏସ୍‌ଆଇ ରାକେଶ ସାମଲଙ୍କୁ ରାଉରକେଲାରୁ କାବୁ କରିଛି ସ୍ବତନ୍ତ୍ର ପୁଲିସ ଟିମ୍‌। ହେଲେ ସେ ସୁରକ୍ଷିତ। ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଦୀର୍ଘ ମାସେ କାଳ ଫେରାର ରହିବା ପରେ ସେ ଗତ ୮ ତାରିଖରେ ହାଇକୋର୍ଟରୁ ଏଭଳି ସୁରକ୍ଷା କବଚ ସଂଗ୍ରହ କରିଛନ୍ତି। ଏହି ସୁରକ୍ଷା କବଚ ସଂଗ୍ରହ ହେବା ପରେ ତାଙ୍କୁ ପୁଲିସ କାବୁ କରିଛି।

ପୀଡ଼ିତା କରିଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ଦର୍ଶାଇ ରାକେଶ ଆଇନଗତ ସୁରକ୍ଷା ପାଇବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଆଇନଜୀବୀ ପ୍ରଣବ କୁମାର ସାମନ୍ତରାୟ ଏହି ପ୍ରାର୍ଥନା ଉପସ୍ଥାପନ କରିବା ପରେ ହାଇକୋର୍ଟ ରାକେଶ ବିରୋଧରେ କଠୋର ପଦକ୍ଷେପ ନ ନେବାକୁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ମହିଳା ଥାନାରେ ରାକେଶ ନାମରେ ମାମଲା ହୋଇଛି କି ନାହିଁ ତାହା ଜଣାଇବାକୁ ମହିଳା ଥାନା ଆଇଆଇସିଙ୍କୁ ନିର୍ଦେଶ ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ଆବେଦନର ଶୁଣାଣି ହେବ। ସେହି ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସେ ସରକାରଙ୍କର ବିନାନୁମତିରେ ଥାନାରୁ ଉଭାନ୍‌ ଥିଲେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା, ଅଭିଯୋଗ ହେବା ପରେ ନିଲମ୍ବନ କରାଯାଇ ତୁରନ୍ତ ଗିରଫ କରାନଯିବା, ମହିଳା ଥାନାରେ ମାମଲା ହୋଇଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିବା ଏ ସବୁ ପ୍ରସଙ୍ଗ ଏବେ ମାମଲାକୁ ଗମ୍ଭୀର କରିଛି। ଏହା ପଛରେ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ମାମଲାରେ ସମ୍ପୃକ୍ତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର ଉଦ୍ୟମ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର