କୁଖ୍ୟାତ ମୋବାଇଲ୍ ଲୁଟେରା ଲେମନ୍ ଗିରଫ

ଦୁଇ ସହଯୋଗୀଙ୍କୁ ବି ଧରିଲା ପୁଲିସ, ବାଇକ୍ ଓ ୧୭ ମୋବାଇଲ୍ ଫୋନ୍ ଜବତ

ଖଣ୍ଡଗିରି : ଖଣ୍ଡଗିରି ପୁଲିସ୍ ହାତରେ ଆଜି ଜଣେ କୁଖ୍ୟାତ ମୋବାଇଲ୍ ଲୁଟେରା ଧରା ପଡ଼ିଛି। ଲୁଟେରା ହେଉଛି, ସିଜୁଆର ଲେମନ୍ ଓରଫ୍ ଲିପୁନ କୁମାର ଜୟସିଂହ(୩୦)। ଏହାସହ ତା’ର ଦୁଇ ସହଯୋଗୀ ଗଂଜାମ ହରିପୁରର ରାଜା ଓରଫ୍ ରାଜେଶ ବିଷୋୟୀ(୨୩) ଓ ଖୋର୍ଦ୍ଧା ଟାଙ୍ଗିସାହିର ଚିନୁ ଓ ଚିନ୍ମୟ ବେହେରା(୩୦)କୁ ମଧ୍ୟ ପୁଲିସ୍ ଗିରଫ କରିଛି। ପୁଲିସ୍ ଲୁଟେରାଙ୍କ ପାଖରୁ ଚୋରି ପାଇଁ ବ୍ୟବହୃତ ପଲସର୍ ବାଇକ୍ ଓ ୧୭ଟି ମୋବାଇଲ୍ ଜବତ କରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲୁଟେରା ଲେମନ୍ ମୋବାଇଲ୍ ଚୋରି କରିବା ପରେ ଏହାକୁ ବିକିବା ପାଇଁ ରାଜା ଓ ଚିନୁକୁ କାମରେ ଲଗାଉଥିଲା। ରାଜଧାନୀରୁ ମୋବାଇଲ୍ ଲୁଟିବା ପରେ ଏହି ଦୁଇଜଣ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରେ ଏହି ମୋବାଇଲ୍‌ଗୁଡ଼ିକୁ ଶସ୍ତାରେ ବିକ୍ରି କରୁଥିଲେ। ମୋବାଇଲ୍ ବିକ୍ରି ହେବା ପରେ ସିଂହ ଭାଗ ଟଙ୍କା ଲେମନ୍ ରଖୁଥିବା ବେଳେ କିଛି ଟଙ୍କା ରାଜା ଓ ଚିନୁକୁ ଦେଉଥିଲା। ତେବେ ପୁଲିସ୍ ଲେମନ୍‌ର ଅନ୍ୟ ସହଯୋଗୀମାନଙ୍କୁ ଏଯାବତ୍ ଠାବ କରିବାରେ ସକ୍ଷମ ହୋଇନାହିଁ।

ସୂଚନା ମୁତାବକ, ଲେମନ୍ ଓ ତାର ସହଯୋଗୀ ଗତ ୧୪ ତାରିଖରେ ପାତ୍ରପଡ଼ାସ୍ଥିତ ଏକ ମଲ୍ ସମ୍ମୁଖରୁ ପପୁ କୁମାରଙ୍କଠାରୁ ମୋବାଇଲ୍ ଚୋରି କରିଥିଲେ। ପରେ ପୁଣି ବୁଲି ବୁଲି ଫାୟାର ଷ୍ଟେସନ, ସିଆର୍‌ପି, ଚନ୍ଦ୍ରଶେଖରପୁର ଭଳି ଅଞ୍ଚଳରୁ ସିରିଜ୍ ଚୋରି କରିଥିଲେ। ଏମାନେ ଚୋରି ପାଇଁ ଥରେ ବାହାରିଲେ ଏକ ସମୟରେ ବିଭିନ୍ନ ଛକରୁ ଏକାଧିକ ମୋବାଇଲ୍ ଚୋରି କରିଥାନ୍ତି ବୋଲି ପୁଲିସ୍ ସୂଚନା ଦେଇଛି। ତେବେ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ କରି ଲେମନ୍‌କୁ ଗିରଫ କରିଛି।

କୁଖ୍ୟାତ ମୋବାଇଲ ଚୋର ଲେମନ୍ ଓ ତାର ଗ୍ୟାଙ୍ଗ୍ ବହୁ ସଂଖ୍ୟାରେ ମୋବାଇଲ ଚୋରି କରି କମ୍ ଟଙ୍କାରେ ବିକୁଥିବାରୁ ଚୋରା ମୋବାଇଲ୍ ନକିଣିବାକୁ ପୁଲିସ୍ ସଚେତନ କରାଇଛି।

ସମ୍ବନ୍ଧିତ ଖବର