ପାରୋଲରେ ଆସି ଧରାଦେଉନଥିଲା, ଜେଲ୍‌ ଗଲା ମୋଷ୍ଟ ଵାଣ୍ଟେଡ୍ ଅର୍ଜୁନ ଗ୍ୟାଙ୍ଗ୍‌

ଗଞ୍ଜେଇ, କାର୍‌ ଓ ବନ୍ଧୁକ ଜବତ ମାମଲା

ଭୁବନେଶ୍ବର: ପ୍ରାୟ ଦେଢ଼ ବର୍ଷ ହେଲା ପାରୋଲ୍‌ରେ ଆସି ଧରାଦେଉନଥିବା କୁଖ୍ୟାତ୍ ଅପରାଧୀ ତଥା ହତ୍ୟା ଅଭିଯୁକ୍ତ ଅର୍ଜୁନ କର ଏଥର ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଥିବା ଗ୍ୟାଙ୍ଗ୍‌ର ମୁଖିଆ ହେଉଛି ଅର୍ଜୁନ। ଆଜି ଅର୍ଜୁନ ସହ ତା’ର ସହଯୋଗୀ କଟକ ସିଠାଳୋର ସୁବାସ କୁମାର ସ୍ବାଇଁ, ଫୁଲେଶ୍ବରୀ ବସ୍ତିର ପ୍ରଶାନ୍ତ ମିଶ୍ର, ଯାଜପୁର ଧର୍ମଶାଳାର ଆଜମ୍ ବକ୍ସ ଓ ଜଟଣୀର ରୌଫ୍ ମହମ୍ମଦକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟାରେ କସ୍‌ମୋପଲିସ୍ ଆପାର୍ଟମେଣ୍ଟ୍ ପଛ ପାର୍ଶ୍ବରେ ୫ଜଣ ଯୁବକ ଏକ ଗଞ୍ଜେଇ ବୋଝେଇ କାର୍‌ ଧରି ଅପେକ୍ଷା କରିଥିବା ଖବର ପାଇ ସ୍ବତନ୍ତ୍ର ଅପରାଧ ଶାଖା କର୍ତ୍ତୃପକ୍ଷ ଓ ଖଣ୍ଡଗିରି ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ଅତର୍କିତ ଚଢ଼ଉ ଯୋଗୁଁ ଘଟଣାସ୍ଥଳରୁ କେହି ଖସିବା ବାଟ ନଥିଲା। କାର୍‌ ଯାଞ୍ଚ କଲା ବେଳେ ଭିତରୁ ଗଞ୍ଜେଇ ଓ ବନ୍ଧୁକ ମିଳିଥିଲା। ଥାନାକୁ ଆଣି ପଚରାଉଚରା କରିବା ପରେ କୁଖ୍ୟାତ୍ ଅର୍ଜୁନ କର କଥା ପଦାକୁ ଆସିଥିଲା। ଗଞ୍ଜାମ ପୁଲିସର ମୋଷ୍ଟ୍ ଵାଣ୍ଟେଡ୍ ଅର୍ଜୁନ ପାରୋଲରେ ଆସି ନିଶା ଓ ବନ୍ଧୁକ କାରବାର କରୁଥିବା ଜଣାପଡ଼ିଥିଲା। କନ୍ଧମାଳରୁ ଗଞ୍ଜେଇ ଆଣି ତା’ ଗ୍ୟାଙ୍ଗ୍‌ ରାଜଧାନୀରେ କାରବାର କରୁଥିଲା। କାର୍‌ ଭିତରୁ ୪ଟି ବସ୍ତାରେ ଥିବା ୧ କ୍ବିଣ୍ଟାଲ୍‌ରୁ ଅଧିକ ଓଜନର ଗଞ୍ଜେଇ, ଗୋଟିଏ ବନ୍ଧୁକ, ୫ ରାଉଣ୍ଡ ଗୁଳି, କାର୍ ଓ ୬ଟି ମୋବାଇଲ୍ ଜବତ କରାଯାଇଛି।

ଅର୍ଜୁନ ନାଁରେ ହତ୍ୟା ମାମଲା

ଗଞ୍ଜାମ ବୁଗୁଡ଼ାର ଅର୍ଜୁନ କର ଓରଫ୍‌ ମୁନା ନାଁରେ ହତ୍ୟା ସମେତ ଡକାୟତି, ଚୋରି, ଚୋରା ଅସ୍ତ୍ରଶସ୍ତ୍ର କାରବାର, ନିଶା କାରବାର ଭଳି ଅଧ ଡଜନେରୁ ଅଧିକ ମାମଲା ରହିଛି। ଗତ ୨୦୨୦ ଏପ୍ରିଲ ୮ତାରିଖରେ ଅର୍ଜୁନ ନୟାଗଡ଼ର ରଂଜନ ଦଳେଇକୁ ଘରକୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଚୋରି ଟଙ୍କା ବଣ୍ଟାବଣ୍ଟିରେ ଭାଗ ନ ଛିଡ଼ିବାରୁ ଅର୍ଜୁନ ଓ ତା’ର ସହଯୋଗୀମାନେ ରଂଜନକୁ ନିର୍ମମ ହତ୍ୟା କରି ପୋଡ଼ିଦେଇଥିଲେ। ଏହି ଘଟଣାରେ ରଂଜନଙ୍କ ମା’ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲାର ଛାନ୍‌ଭିନ୍ କରି ତାକୁ ଗିରଫ କରିଥିଲା। ତେବେ ୨୦୨୧ରେ ଅର୍ଜୁନ ପାରୋଲ୍‌ରେ ଆସି ଫେରାର୍ ହୋଇଯାଇଥିଲା। ଧୂର୍ତ୍ତ ଅର୍ଜୁନ ଫୋନ୍‌ ବ୍ୟବହାର କରୁନଥିବାରୁ ପୁଲିସ ତାକୁ ଟ୍ରାକ୍ କରିପାରୁନଥିଲା।

ରିମାଣ୍ଡରେ ନେବ ଚନ୍ଦକା ଥାନା ପୁଲିସ

୨୦୨୦ ମାର୍ଚ୍ଚରେ ଅର୍ଜୁନ ଓ ତା’ର ୪ ସହଯୋଗୀ ଚନ୍ଦକା କୃଷ୍ଣନଗରସ୍ଥିତ ହୋଟେଲ୍ ଜଙ୍ଗଲ୍ ଭିୟୁକୁ ଖାଇବାକୁ ଯାଇଥିଲେ। ସେଠାରେ ହୋଟେଲ୍ ମାଲିକ ପ୍ରଶାନ୍ତ କୁମାର ରାଉତରାୟଙ୍କ ସହ ସେମାନଙ୍କର ଝଗଡ଼ା ହୋଇଥିଲା। ଅର୍ଜୁନ ଓ ତା ସାଥୀମାନେ କାର୍‌ରେ ସେଠାରୁ ଚାଲି ଆସିଥିଲେ ବି ପରେ ପୁଣି ଏକ ବାଇକ୍‌ରେ ଯାଇ ପ୍ରଶାନ୍ତ ଓ ତାଙ୍କ ଭାଇ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରୁ ପ୍ରଶାନ୍ତ ଓ ତାଙ୍କ ଭାଇ ବର୍ତ୍ତି ଯାଇଥିବା ବେଳେ ଜଣେ ଗ୍ରାହକ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ଚନ୍ଦକା ଥାନା ପୁଲିସ ପାଇଁ ଅର୍ଜୁନ ମୋଷ୍ଟ ୱାଣ୍ଟେଡ୍‌ ଥିଲା। ତେଣୁ ଅର୍ଜୁନକୁ ରିମାଣ୍ଡରେ ଆଣିବାକୁ ଚନ୍ଦକା ଥାନା ପୁଲିସ ଯୋଜନା କରିଛି।

ସମ୍ବନ୍ଧିତ ଖବର