କବି ନୃସିଂହ ତରାଇଙ୍କ ‘ନଈ ପାଣିରେ ଆକାଶର ମୁହଁ’ ଉନ୍ମୋଚିତ

ଭବୁନେଶ୍ବର: ଓଡ଼ିଆ କବିତାରେ ଓଡ଼ିଶାର ଭାବଧାରା, ସଂସ୍କୃତି ଓ ପରମ୍ପରାର ଶବ୍ଦ ନ ରହିଲେ ତାହା ଓଡ଼ିଆତ୍ବ ହରାଏ, ତାହା ଅନ୍ୟର ସାହିତ୍ୟ ହୋଇଯାଏ। ତେଣୁ ପ୍ରତ୍ୟେକ କବିଙ୍କ କବିତାରେ ଓଡ଼ିଆ ମାଟିର ବାସ୍ନା ରହିବା ଉଚିତ ବୋଲି କବି ନୃସିଂହ ତରାଇଙ୍କ ପଞ୍ଚମ କବିତା ସଂକଳନ ‘ନଈ ପାଣିରେ ଆକାଶର ମୁହଁ’କୁ ଉନ୍ମୋଚନ କରି ଓଡ଼ିଶାର ପ୍ରଖ୍ୟାତ କବି ଓ ଦାର୍ଶନିକ ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆଜି ସଂଧ୍ୟାରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ କବୀ ଡ. ପ୍ରତିଭା ଶତପଥୀ କହିଲେ, ସର୍ବୋପରି ମୃତ୍ୟୁଠାରୁ ଜୀବନ ଆଡ଼କୁ ପ୍ରବାହିତ ବିଷାକ୍ତ ସ୍ରୋତକୁ କବିତା ସୁବର୍ଣ୍ଣ ସ୍ରୋତରେ ପରିଣତ କରିପାରେ। ନୃସିଂହଙ୍କ କବିତାଗୁଡ଼ିକ ସରଳ, ହୃଦୟସ୍ପର୍ଶୀ। ତେଣୁ ପାଠକ ସହ ଏକାତ୍ମ ହୋଇପାରନ୍ତି। ‘ନଈପାଣିରେ ଆକାଶର ମୁହଁ’ କବିତା ପୁସ୍ତକ ଭିତ‌ରେ ଦେଶର ଚାରିପାଖର ଅବସ୍ଥିତି ଓ ବାସ୍ତବତା ଉପରେ ତାଙ୍କ କବିତା ଖୁବ୍‌ ସଚେତନ ବୋଲି ଡ. ଶତପଥୀ କହିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଠ କବି ଡ. ବାସୁଦେବ ସୁନାନୀ କହିଲେ, ଆମେ ଆଜି ଏଠି ଠିଆ ହୋଇ ସାହିତ୍ୟଚର୍ଚ୍ଚା କରିବାର ଯେଉଁ ସୁଯୋଗ ପାଇଛୁ, ତା’ ପଛରେ ଲକ୍ଷ ଲକ୍ଷ ଲୋକଙ୍କର ଅବଦାନ ରହିଛି।

ବରିଷ୍ଠ କବି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ତଥା ବିଶିଷ୍ଟ କବି ନିରାକାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ପ୍ରାବନ୍ଧିକା ଓ କବୀ ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡ. ସଂଘମିତ୍ରା ଭଂଜ ପୁସ୍ତକ ସମୀକ୍ଷା କରିଥିଲେ। ଶେଷରେ ପକ୍ଷୀଘର ପ୍ରକାଶନର ମୁଖ୍ୟ ବନୋଜ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଏହି ଉନ୍ମୋଚନ ଉତ୍ସବ ପୂର୍ବରୁ ଏକ କବିତା ପାଠୋତ୍ସବ ହୋଇଥିଲା। କବି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ‌ରେ କବୀ ମାନି ଦାଶ, କବୀ ବିମଳା ପ୍ରମୁଖ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର