କଥା ଦେଇ ରଖିଲେ ବର୍ଷା, ନମିତାଙ୍କ କଣ୍ଠରେ ରେକର୍ଡ କରାଇଲେ ଭଜନ

ଭୁବନେଶ୍ବର: କଥା ଦେଇ କଥା ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଦିବାସୀ ମୂଲକର କୋକିଳ କଣ୍ଠୀ ନମିତା ମେଲେକାଙ୍କ କଣ୍ଠରେ ରେକର୍ଡ କରାଇଛନ୍ତି ଭଜନ। ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦେଶନାରେ ସେ ଜଗନ୍ନାଥ ଭଜନ ‌ଗାଇଛନ୍ତି। ଆଜି କଟକ ସିଡିଏସ୍ଥିତ ପ୍ରତିଭା ଷ୍ଟୁଡିଓରେ ନମିତାଙ୍କ କଣ୍ଠରେ ଗୀତ ରେକର୍ଡ କରାଯାଇଥିଲା।

କୋରାପୁଟ ବନ୍ଧୁ ଗାଁ’ର ଆଦିବାସୀ ଝିଅ ନମିତା କିଛି ଦିନ ତଳେ କୁଇ, ଓଡ଼ିଆ ଓ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡିଆ ଜରିଆରେ ଚର୍ଚ୍ଚାକୁ ଆସିଥିଲେ। ବର୍ଷା ନମିତାଙ୍କ ଗୀତ ଶୁଣିବା ପରେ ଅଭିଭୂତ ହୋଇ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବାକୁ ଫେସବୁକ୍‌ ପୃଷ୍ଠାରେ ଘୋଷଣା କରିଥିଲେ। ନମିତାଙ୍କ କଣ୍ଠରେ ରେକର୍ଡ ହୋଇଥିବା ଗୀତଟି ‘ନିନୁନା, ଜିଉତି ଜୀବନ…’। ଏହାର ଓଡ଼ିଆ ଭାବାର୍ଥ ‘ତୁ ମୋର ଜୀବର ଜୀବନ..’। ଉଭୟ ଓଡ଼ିଆ ଓ କୁଇ ଭାଷାରେ ଗୀତ ଲେଖା ଯାଇଛି। ଗୀତର ଅବଧି ସାଢ଼େ ୪ ମିନିଟ୍ ବୋଲି ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସୂଚନା ଦେଇଛନ୍ତି। ନମିତା ଭାବପୂର୍ଣ୍ଣ ଢଙ୍ଗରେ ଗୀତରେ କଣ୍ଠଦାନ କରିଥିବା ବେଳେ ଏହା ଶ୍ରୋତାଙ୍କ ଦ୍ବାରା ବହୁ ଆଦୃତ ହେବ ବୋଲି ପ୍ରେମ ଆନନ୍ଦ କହିଛନ୍ତି। ଗୀତଟି ବର୍ଷା ପ୍ରିୟଦର୍ଶିନୀଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି।

ନମିତା ଗାଇଥିବା ଗୀତଟି ଗୀତିକାର ବିଜୟ ମଲ୍ଲ ରଚନା କରିଥିବା ବେଳେ ପରିଚାଳନା ଓ ବ୍ୟବସ୍ଥାପନାରେ ସହଯୋଗ କରିଛନ୍ତି ବ୍ୟୁଟିଫୁଲ ଦାସ। ବର୍ଷା ନମିତାଙ୍କୁ ଦେଇଥିବା କଥା ରଖିବା ସହ ଗୀତର ରେକର୍ଡ ପାଇଁ ସଂଗୀତଜ୍ଞ, ଗୀତିକାରଙ୍କୁ ‘ସମ୍ମାନିତା’ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର