ନନ୍ଦନକାନନକୁ ହାତୀ ବୋଝ : ବିଦା ହେବେ ଗୌରୀ, କମଳା, ଜୁଲି ଓ ମାମା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ହାତୀ ସଂଖ୍ୟା ଏବେ ବୋଝ ପାଲଟିଛି। ସୀମିତ ଜାଗାରେ ଏତେ ସଂଖ୍ୟକ ହାତୀ ରଖିବା ଓ ପ୍ରତିଦିନ ସେମାନଙ୍କର ଖାଦ୍ୟପେୟ ବ୍ୟବସ୍ଥା ସହ ରକ୍ଷଣାବେକ୍ଷଣ କରିବା କର୍ତ୍ତୃପକ୍ଷଙ୍କ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ୪ଟି ହାତୀଙ୍କୁ ଏବେ ନନ୍ଦନକାନନରୁ ବିଦା କରାଯିବ। ହାତୀ ଗୌରୀ, କମଳା, ଜୁଲି ଓ ମାମାଙ୍କୁ ନନ୍ଦନକାନନରୁ ସାତକୋଶିଆ ଓ ଭିତରକନିକା ଅଭୟାରଣ୍ୟକୁ ପଠାଯିବା ଲାଗି ସରକାର ଯୋଜନା କରିଛନ୍ତି। ଏମାନେ ସେଠାରେ ପ୍ରଶିକ୍ଷଣ ନେଇ ଅଭୟାରଣ୍ୟକୁ ଶିକାରୀ, କାଠ ମାଫିଆଙ୍କଠାରୁ ସୁରକ୍ଷା ଦେବେ। ତେବେ ନନ୍ଦନକାନନର ହାତୀ ଅଭୟାରଣ୍ୟ ସୁରକ୍ଷା କାର୍ଯ୍ୟ‌ରେ ନିୟୋଜିତ ହେବା ନୂଆ ନୁହେଁ। ଏହି ପ୍ରାଣୀଉଦ୍ୟାନର ହାତୀ ‘ନନ୍ଦ’ ୨୦୧୬ ମସିହାରୁ ଚନ୍ଦକା ଅଭୟାରଣ୍ୟରେ ରହି ଜଙ୍ଗଲ ଜଗୁଆଳି କାର୍ଯ୍ୟ କରୁଛି।

ସୂଚନାଯୋଗ୍ୟ, ବିଗତ ବର୍ଷମାନଙ୍କ‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମା’ ଛେଉଣ୍ଡ ହାତୀଛୁଆ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଛନ୍ତି। ସେମାନଙ୍କୁ ଚିକିତ୍ସା କରି ବଞ୍ଚେଇ ରଖିବା ଓ ବଡ଼ କରିବା ପାଇଁ ସୁରକ୍ଷିତ ସ୍ଥାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏଠାକୁ ଆସିବା ପରେ ସେମାନେ ଏଠାରେ ବଡ଼ ହୋଇ ରହିଯାଆନ୍ତି। ନନ୍ଦନକାନନରେ ବର୍ତ୍ତମାନ ମୋଟ ୮ଟି ହାତୀ ଅଛନ୍ତି। ସେମାନଙ୍କ ମଧ୍ୟ‌ରେ ୭ଟି ମାଈ ଓ ଏକମାତ୍ର ଦନ୍ତା ଚନ୍ଦନ ଅଛି। ପ୍ରେମା ଓ ବାସନ୍ତୀଙ୍କୁ ଛାଡ଼ି ଅନ୍ୟ ୬ଟି ବିଭିନ୍ନ ଅଞ୍ଚଳରୁ ଉଦ୍ଧାର ହୋଇଥିଲେ।

ହାତୀ ‘ହୀରା’(୨୦)କୁ ଗତ ୧୯୯୮ ଡିସେମ୍ବର ୧୬ରେ ଚନ୍ଦକା ଅଞ୍ଚଳରୁ, ‘ଜୁଲି’(୧୦)କୁ ଗତ ୨୦୦୯ ମେ’ ୩୧ରେ ଢେଙ୍କାନାଳ ଅଞ୍ଚଳରୁ, ପୁରୁଷ ଦନ୍ତା ‘ଚନ୍ଦନ’(୯)କୁ ୨୦୧୦ ଜୁଲାଇ ୨୮ରେ ଚନ୍ଦକା ଅଞ୍ଚଳରୁ, ‘ଗୌରୀ’ (୬)କୁ ଗତ ୨୦୧୨ ଡିସେମ୍ବର ୨୩ରେ ଆଠଗଡ଼ ଅଞ୍ଚଳରୁ, ‘କମଳା’(୬)କୁ ୨୦୧୩ ଜାନୁଆରି ୧ରେ କୋରାପୁଟର ନାରାୟଣପାଟଣାରୁ ଓ ‘ମାମା’କୁ ୨୦୧୭ ମାର୍ଚ୍ଚ ୧୧ରେ ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କରି ଅଣାଯାଇଥିଲା। ସେମାନେ ଏବେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଛନ୍ତି। ଏମାନଙ୍କ ସହ ଅଛନ୍ତି, ୧୯୮୫ ମସିହାରେ ଭନ୍ଦାଲୁରରୁ ଆସିଥିବା ଦୁଇ ବୟସ୍କା ମାଈ ହାତୀ ପ୍ରେମା (୫୫) ଓ ବାସନ୍ତୀ (୫୫)। ବାସନ୍ତୀ ଗର୍ଭରୁ ୧୯୮୭ ନଭେମ୍ବର ୨୮ରେ ନନ୍ଦନକାନନର ଏକମାତ୍ର ଜନ୍ମିତ ହାତୀ ‘ନନ୍ଦ’ଜନ୍ମଲାଭ କରିଥିଲା। ନନ୍ଦ ଏବେ ଚନ୍ଦକା ଅଭୟାରଣ୍ୟର ଜଙ୍ଗଲ ଜଗୁଆଳି କାର୍ଯ୍ୟ କରୁଛି।

ହାତୀ ସଂରକ୍ଷିତ ଜୀବ ତାଲିକାଭୁକ୍ତ ପ୍ରାଣୀ‌ ହୋଇଥିଲେ ସୁଦ୍ଧା ସେମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ଧାର ହାତୀଙ୍କୁ ରଖିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଏତେ ସଂଖ୍ୟକ ହାତୀଙ୍କୁ ସୀମିତ ଜାଗାରେ ରଖି ସେମାନଙ୍କ ପ୍ରତିଦିନର ଖାଦ୍ୟ‌ପେୟ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏବେ କର୍ତ୍ତୃପକ୍ଷଙ୍କ ଉପରେ ଭାରି ପଡ଼ୁଛି। ଆଗକୁ ମଧ୍ୟ ଆହୁରି ଉଦ୍ଧାର ହାତୀ ଆସିପାରନ୍ତି। ତେଣୁ ନନ୍ଦନକାନନର ୪ଟି ହାତୀ ଗୌରୀ, କମଳା, ଜୁଲି ଓ ମାମାଙ୍କୁ ସାତକୋଶିଆ ଓ ଭିତରକନିକା ଅଭୟାରଣ୍ୟ ସୁରକ୍ଷା ଲାଗି ପଠାଇବାକୁ ସରକାର ଯୋଜନା କରିଛନ୍ତି। ଏମାନେ ସେଠାରେ ପ୍ରଶିକ୍ଷଣ ନେଇ ଜଙ୍ଗଲକୁ କାଠ ମାଫିଆ ଓ ଶିକାରୀଙ୍କଠାରୁ ସୁରକ୍ଷା ଦେବେ।

ସମ୍ବନ୍ଧିତ ଖବର