ମଞ୍ଚସ୍ଥ ହେଲା ‘ତଟ ନିରଞ୍ଜନା’ 

ଭୁବନେଶ୍ୱର : ନିରଞ୍ଜନା କ’ଣ ଖାଲି ଏକ ନଦୀ? ଖାଲି ନଦୀ ନା ଚେତନାର ସ୍ରୋତ। ସେ ଦିନ ବୈଶାଳୀର ଆମ୍ରବନରେ ଏକ ବର୍ଷା ଅତିକ୍ରାନ୍ତ ଚନ୍ଦ୍ର ତାରକିତ ସନ୍ଧ୍ୟାରେ ଇଚ୍ଛାମତୀ ନୀଳଲୋହିତକୁ ଆଉ ଆନନ୍ଦଙ୍କୁ ପ୍ରଶ୍ନ କରିଥିଲା, କାହିଁକି କାମନା, କାହାର କାମନା? କାମନାଠାରୁ ଦୂରରେ ରହି କାମନାର ବିନାଶ ଏକ ପ୍ରକାର ପଳାୟନ ନୁହେଁ କି? ଏଭଳି ଅନେକ ପ୍ରଶ୍ନରେ ଛନ୍ଦା ନାଟକ ‘ତଟ ନିରଞ୍ଜନା’ ଆଜି ମଞ୍ଚସ୍ଥ ହୋଇଥିଲା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। ଅସୀମ ବସୁ ମେମୋରିଆଲ୍‌ ପ୍ରାୟୋଜିତ ଭାରତୀୟ ବିଦ୍ୟାଭବନ ସହଯୋଗରେ ଆୟୋଜିତ ଏହି ନାଟକରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ଦ୍ୱାରା ରଚିତ ଏହି ନାଟକର ନିର୍ଦ୍ଦେଶନା ରମାକାନ୍ତ ମହାପାତ୍ର ଦେଇଥିଲେ। ଏହି ଅବସରରେ ପ୍ରେମାଞ୍ଜନ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ନାଟ୍ୟକାର ଶ୍ରୀ ମିଶ୍ରଙ୍କ ସମେତ ଏସ୍‌ କେ ତାମୋଟିଆ ଓ ପ୍ରଭାତ ନଳିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫୁଲ୍ଲ ମହାନ୍ତି ଓ ଭାସ୍କର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର