ଭୁବନେଶ୍ବର : ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ୧୬ରେ ଯାତାୟାତ କରିବାକୁ ଏବେ ରାଜଧାନୀବାସୀ ଭୟ କଲେଣି। ସହରର ଜୀବନ ରେଖା ପାଲଟିଥିବା ଏହି ଜାତୀୟ ରାଜପଥ ଏବେ ଯମ ପରି ଜୀବନ ନେବାକୁ ଜଗି ବସିଛି। ବିଶେଷକରି ସହରର ଆରମ୍ଭ ପାତ୍ରପଡ଼ା ଛକଠାରୁ ହଂସପାଳ ଏବେ ପାଲଟି ଯାଇଛି ଦୁର୍ଘଟଣା ପ୍ରବଣ ଅଞ୍ଚଳ। ପ୍ରତ୍ୟେକ ଦିନ ଏହି ସବୁ ଛକରେ ଘଟୁଛି ଦୁର୍ଘଟଣା। କିଏ ଭେଣ୍ଡିଆ ପୁଅକୁ ହରାଉଛି ତ ଆଉ କେଉଁ ମା’ ଏକମାତ୍ର ପୁଅକୁ ହରାଇ କୋଳ ଶୂନ୍ୟ ହେଉଛି। କାହାର ସିନ୍ଦୂର ପୋଛି ନେଉଛି ଜାତୀୟ ରାଜପଥର ଭୟଙ୍କର ଦୁଘର୍ଟଣା। କିଏ ସାରା ଜୀବନ ପାଇଁ ପଙ୍ଗୁ ବି ହୋଇ ଯାଉଛି। ଗତ ସପ୍ତାହକ ମଧ୍ୟରେ ଏହି ରାଜପଥ ଉପରେ ୮ଟି ମୁଣ୍ଡ ଗଡ଼ିଲାଣି। ବରମୁଣ୍ଡା ଓଭରବ୍ରିଜ୍, ଫାୟାର ଷ୍ଟେସନ୍ ଛକ, ଜୟଦେବ ବିହାର ଛକ, ବାଣୀବିହାର ଛକ, ନହରକଣ୍ଟା ଛକରେ ଏସବୁ ଦୁର୍ଘଟଣା ଘଟିଛି। ଆଜି ଆଚାର୍ଯ୍ୟ ବିହାର ଛକରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଭଉଣୀ ପାଇଁ ସାବିତ୍ରୀ ଭାର ଓ ବାପାଙ୍କ ହାର୍ଟ ଚେକଅପ୍ ପାଇଁ ଗଲାବେଳେ ଘଟିଥିଲା ଏହି ଦୁର୍ଘଟଣା। ଆଉ ଗତ ୫ ମାସର ହିସାବକୁ ନେଲେ ଛାତି ଥରି ଉଠୁଛି। ପାଖାପାଖି ୩୯ ଜଣଙ୍କ ଜୀବନ ଗଲାଣି ଏହି ରାଜପଥ ଉପରେ। ସ୍ମାର୍ଟ ସହରର ସ୍ମାର୍ଟ ପଥର ଟ୍ରାଫିକ୍ ବ୍ୟବସ୍ଥା ଏପରି ବିପର୍ଯ୍ୟସ୍ତ ଯେ ଦୁର୍ଘଟଣ ହ୍ରାସ ପାଇବା ପରିବର୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ମାନ୍ୟବର ସୁପ୍ରମକୋର୍ଟଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି। କିନ୍ତୁ ଏ ନେଇ କମିସନରଟ ପୁଲିସ, ପରିବହନ ବିଭାଗ କେହି ବି ଚିନ୍ତିତ ଥିବା ଭଳି ଜଣାପଡ଼ୁ ନାହାନ୍ତ। କେବଳ ଜରିମାନା ଆଦାୟରେ ବ୍ୟସ୍ତ ରହୁଛନ୍ତି ଉଭୟ ବିଭାଗ। ସାଧାରଣ ଲୋକ ମଲେ କି ପଙ୍ଗୁ ହେଲେ ସେମାନଙ୍କ କିଛି ପରବାୟ ନାହିଁ। ଜାତୀୟ ରାଜପଥରେ କାହିଁକି ବାରମ୍ବାର ଦୁର୍ଘଟଣା ଘଟୁଛି, ତାକୁ ନେଇ ଏକ ସ୍ବତନ୍ତ୍ର ରିପୋର୍ଟ...
ବେଗ ମାପି ପାରୁନାହିଁ ଇଣ୍ଟରସେପ୍ଟର
ଜାତୀୟ ରାଜପଥ ଉପରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକମାନଙ୍କ ଉପରେ ନଜର ରଖିବା ଓ ପରବର୍ତୀ ସମୟରେ ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ଇଣ୍ଟରସେପ୍ଟର୍ ବ୍ୟବସ୍ଥା ଅଛି। ୫ କିଲୋମିଟର ଦୂରରୁ ମଧ୍ୟ ଗାଡ଼ିର ବେଗ ମାପି ତାକୁ ଅଟକା ଯାଇଥାଏ। ଯଦି ଗାଡ଼ି ନ ଅଟକେ, ନମ୍ବର ଆଧାରରେ ଘରକୁ ନୋଟିସ୍ ହୋଇଥାଏ। କିନ୍ତୁ ଭୁବନେଶ୍ବରରୁ କଟକ ଜାତୀୟ ରାଜପଥ ଏମିତି ଢଙ୍ଗରେ ତିଆରି ହୋଇଛି କେଉଁଠି ୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ସିଧା ନାହିଁ। ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ଉଠାଣି ଗଡ଼ାଣି ହୋଇଥିବାବେଳେ କଟକ ରାସ୍ତା କେବଳ ବଙ୍କାଣି। ଯାହା ଫଳରେ ଇଣ୍ଟରସେପ୍ଟର୍ ବେଗ ମାପିରେ ସମସ୍ୟା ହେଉଛି। ଏହା ପରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁଇଟି ସହର ପାଇଁ ମାତ୍ର ଦୁଇଟି ଇଣ୍ଟରସେପ୍ଟର୍ ଗାଡ଼ି ରହିଛି। କମିସନରେଟ ପୁଲିସ ଏହି ଦୁଇଟି ଇଣ୍ଟରସେପ୍ଟର୍ ଗାଡ଼ିକୁ ଦୁଇଟି ନିର୍ଦିଷ୍ଟ ସ୍ଥାନରେ ରଖି ଦେଇ ବସି ପଡ଼ିଥାନ୍ତି। କେଉଁ ଗାଡ଼ି କେତେ ବେଗରେ ଯାଉଛି, କାହିଁକି ଯାଉଛି ଏ ନେଇ ମଧ୍ୟ ଇଣ୍ଟରସେପ୍ଟେର୍ ଗାଡ଼ିରେ ବସିଥିବା ବାବୁମାନଙ୍କ ପରବାୟ ନ ଥାଏ। ଫଳରେ ଆଗ ଛକରେ ସେହି ଗାଡ଼ି ହିଁ କାଳ ଯମ ସାଜି ମୃତ୍ୟୁର ତାଣ୍ଡବ ରଚାଇଥାଏ।
ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା, ସ୍ପିଡ୍ ବ୍ରେକର୍ ଭାଙ୍ଗି ପଡ଼ିଛି
ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ଭୁବନେଶ୍ବରରେ ଦୁଇଟି ସ୍ଥାନରେ ସ୍ପିଡ୍ ବ୍ରେକର୍ ଲାଗିଥିଲା। ଗୋଟିଏ ଥିଲା ହୋଟେଲ କ୍ରାଉନ୍ ସମ୍ମୁଖରେ, ଅନ୍ୟଟି ସତସଙ୍ଗ ମନ୍ଦିର ସମ୍ମୁଖରେ। ଏହି ସ୍ପିଡ୍ ବ୍ରେକର୍ ମେସିନ ମଧ୍ୟ ଦ୍ରୁତ ବେଗରେ ଯାଉଥିବା ଗାଡ଼ିକୁ ଠାବ କରି ନୋଟିସ୍ ପଠାଇଥାଏ। ଏହା ପରେ ଗାଡ଼ ମାଲିକ ଜରିମାନା ଭରି ଥାନ୍ତି। କିନ୍ତୁ ଦୁଇଟି ସ୍ଥାନରେ ଲାଗିଥିବା ଏହି ସ୍ପିଡ୍ ବ୍ରେକର ମେସିନ ଏବେ ଆଉ କାମରେ ଆସୁନାହିଁ। କିଛି ଦିନ ତଳେ କ୍ରାଉନ୍ ହୋଟେଲ ସମ୍ମୁଖରେ ଲାଗି ସ୍ପିଡ ବ୍ରେକର୍ ମେସିନକୁ ଏକ ହାଇୱା ଧକ୍କା ଦେଇ ଭାଙ୍ଗି ଦେଇଥିବାବଳେ ସାମୁଦ୍ରିକ ଝଡ଼ ‘ଫନି’ ସତସଙ୍ଗ ମନ୍ଦିର ସମ୍ମୁଖରେ ଲାଗିଥିବା ସ୍ପିଡ୍ ବ୍ରେକର୍ ମେସିନକୁ ମୋଡ଼ି ଭାଙ୍ଗି ଦେଇଛି। ମାତ୍ର ବର୍ଷକ ତଳେ ଲାଗିଥିବା ଏହି ସ୍ପିଡ୍ ବ୍ରେକର ଭାଙ୍ଗି ଯିବା ଓ ଏହାକୁ ମରାମତି କରାଯିବାରେ ଅହେତୁକ ବିଳମ୍ବ କରିବା ଆମ ସ୍ମାର୍ଟସିଟି କେତେ ସ୍ମାର୍ଟ ଏଥିରୁ ସ୍ପଷ୍ଟ ଭାବେ ଅନୁମେୟ।
କମିସନରେଟ୍ ପୁଲିସର ୫ କୋଟି, ପରିବହନ ବିଭାଗର ୨୫ କୋଟି
ସହର ଭିତରେ ଓ ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି। କିନ୍ତୁ ଉଭୟ କମିସନେରଟ ପୁଲିସ ଓ ପରିବହନ ବିଭାଗ ଏନେଇ ସାମନ୍ୟତମ ମଧ୍ୟ ଚିନ୍ତା ପ୍ରକଟ କରୁନାହାନ୍ତି। ନା ସଚେତନ କରୁଛନ୍ତି ନା ଠିକ ଭାବେ ଦୁର୍ଘଟଣା ନିବାରଣରେ ସହଯୋଗ କରୁଛନ୍ତି। ନିୟମ ଅନୁଯାୟୀ ଫାଇନ ଆଦାୟର ୨୫ ପ୍ରତିଶତ ଅର୍ଥ ସଚେତନତା ଓ ଦୁର୍ଘଟଣା ନିବାରଣ କାର୍ଯ୍ୟକ୍ରମରେ ଖର୍ଚ କରିବା କଥା। କିନ୍ତୁ ବର୍ଷକୁ ଥରେ ‘ଟ୍ରାଫିକ ସଚେତନତା ସପ୍ତାହ’ ପାଳନ କରି ଉଭୟ ବିଭାଗ ବସି ପଡ଼ୁଛି। ଏହା ପରେ ପୁଣି ଫାଇନ୍ ଆଦାୟରେ ବ୍ୟସ୍ତ। ଯାହା ହିସାବ ମିଳିଛି କମିସନରେଟେ ପୁଲିସ ବର୍ଷକୁ ପାଖାପାଖି ୫ କୋଟି ଓ ପରିବହନ ବିଭାଗ ୨୦ରୁ ୨୫ କୋଟି ଟଙ୍କା ଜରିମାନା ଆଦାୟ କରୁଛି।
ଟ୍ରାଫିକ ପରିଚାଳନାରେ ବିରାଟ ତ୍ରୁଟି
ଜାତୀୟ ରାଜପଥରେ ଘଟୁଥିବା ଅଧିକାଂଶ ଦୁର୍ଘଟଣା ଟ୍ରାଫିକ ପରିଚଳାନାରେ ବିରାଟ ତ୍ରୁଟି ଅନ୍ୟତମ କାରଣ। ଯାହା ଜଣାପଡ଼ିଛି ଜାତୀୟ ରାଜପଥରେ ଘଟୁଥିବା ଅଧିକାଂଶ ଦୁର୍ଘଟଣା ଓଭରବ୍ରିଜ୍ ଉପରେ ହେଉଛି। କିନ୍ତୁ ଓଭରବ୍ରିଜ ଉପରେ ଜଣେ ହେଲେ ବି ଟ୍ରାଫିକ ପୁଲିସ ଦେଖିବାକୁ ମିଳୁନାହାନ୍ତି। କେବଳ ଟ୍ରାଫିକ ପୁଲିସ ଖଣ୍ଡଗିରି ପୂର୍ବ ଛକ ଓ ବେଳେବେଳ ଜୟଦେବ ବିହାର ଓଭରବ୍ରିଜ ଛକ ଉପରେ ଜଗି ରହୁଛନ୍ତି। ତାହା ପୁଣି ଟ୍ରାଫିକ ପରିଚାଳନା ପାଇଁ ନୁହେଁ ବରଂ ଜରିମାନା ଆଦାୟ କରିବାକୁ ସେମାନେ ସେଠାରେ ପଇଁତରା ମାରୁଛନ୍ତି। ଯେଉଁଗାଡ଼ିଗୁଡ଼ିକ ଦ୍ରୁତ ବେଗରେ ଯାଉଛନ୍ତି, ସେମାନଙ୍କ ଉପରେ ଟ୍ରାଫିକ ପୁଲିସର କୌଣସି ଅଂକୁଶ ରହୁନାହିଁ। ଗତ କିଛି ଦିନ ତଳେ ଏକ ବାଉଁଶ ବୋଝେଇ ଟ୍ରକକୁ ପଛପଟୁ ଏକ ଟ୍ରାକ୍ଟର ଧକକା ଦେଇଥିଲା। ବାଉଁଶ ପେଟରେ ପଶି ଯିବାରୁ ଟ୍ରାକ୍ଟର ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ହେଲପର କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ। ଏବେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ପରେ କମିସନରେଟ ପୁଲିସ ଏତେ ଖାମଖିଆଲି ମନୋଭାବ ଦେଖାଇଥିଲା ତାହା ଚିନ୍ତା କରିବା ମଧ୍ୟ ମୁସ୍କିଲ। ଦୁର୍ଘଟଣା ଘଟିଲା, ରାତି ତମାମ ଜାତୀୟ ରାଜପଥ ଉପରେ ବାଉଁଶ ବୋଝେଇ ଟ୍ରକ ରହିଲା, ରାତି ପାହିଲା, ସକାଳ ହେଲା, ପୁଣି ସଂଧ୍ୟା, ରାତି ହେଲା, ରାତିରେ ଏକ ତେଲ ଟ୍ୟାଙ୍କର ସେହି ବାଉଁଝ ବୋଝେଇ ଟ୍ରକ ଧକ୍କା ଦେଲା। ଏଥିରେ ଟ୍ୟାଙ୍କର ଚାଳକ ଗୁରୁତର ହେଲେ, ତେଲ ରାସ୍ତା ଉପରେ ଭାସିଲା। ଏହା ହେଉଛି ଆମ ଟ୍ରାଫିକ ପରିଚାଳନାର ବାସ୍ତବ ଚିତ୍ର।
ଅଳ୍ପ ଉଚ୍ଚର ଡିଭାଇଡର୍
ଜାତୀୟ ରାଜପଥରେ ଘଟୁଥିବା ଅଧିକାଂଶ ଦୁର୍ଘଟଣା, ଡିଭାଇଡର୍ ପାଇଁ ମଧ୍ୟ ଘଟୁଛି। ଅନେକ ସମୟରେ ଭାରୀଯାନଗୁଡ଼ିକ ଡିଭାଇଡର୍କୁ ଡିଆଁଇ ଅପରପାର୍ଶ୍ବରୁ ଆସୁଥିବା ବାଇକ ଓ କାରକୁ ସମ୍ମୁଖରୁ ଧକ୍କା ଦେଉଛନ୍ତି। ଜାତୀୟ ରାଜପଥରେ ଥିବା ଡିଭାଇଡର୍ର ଉଚ୍ଚତା ବହୁତ କମ୍ ହୋଇଥିବାରୁ ଭାରୀଯାନଗୁଡ଼ିକ ତାକୁ ଡେଇଁ ଦୁର୍ଘଟଣା ଘଟାଉଛନ୍ତି। ତେଣୁ ଡିଭାଇଡର୍ଗୁଡ଼ିକୁ ଉଚ୍ଚ କରିବାକୁ ମଧ୍ୟ ସାଧାରଣରେ ଦାବି ହେଉଛି।
ଜାତୀୟ ରାଜପଥରେ ଗଦା ହୋଇ ରହିଛି ବାଲି
ଗତ ଏକ ସପ୍ତାହ ମଧ୍ୟରେ ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣାର ଆଉ ଏକ କାରଣ ହୋଇଛି ସାମୁଦ୍ରିକ ଝଡ଼ ଫନି। ଫନି ପରେ ପରେ ଏବେ ଜାତୀୟ ରାଜପଥ ବିଶେଷକରି ଓଭରବ୍ରିଜ୍ ଉପର ଓ ଶେଷ ଭାଗରେ ବାଲି ଗଦା ହୋଇ ରହିଛି। ବାଇକ ଚାଳକମାନେ ଦ୍ରୁତ ବେଗରେ ବାଇକ ଆଣି ଥରେ ବାଲିରେ ଫସି ଗଲାପରେ ଭାରସାମ୍ୟ ହରାଇ ଟ୍ରକ୍ ଚକା ତଳକୁ ଚାଲି ଆସୁଛନ୍ତି। ଫଳରେ ଅକାଳରେ ଝଡ଼ି ପଡ଼ୁଛି ଜୀବନ। ହଂସପାଳ ଛକ ଓ ବରମୁଣ୍ଡା ଛକରେ ଏହି କାରଣରୁ ମଧ୍ୟ ଦୁର୍ଘଟଣା ଘଟିଥିଲା ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ।