ଅନ୍ତଃରାଜ୍ୟ ବ୍ୟାଟେରି ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍, ୬ ଗିରଫ; ୧୦ଲକ୍ଷ ଟଙ୍କାର ବ୍ୟାଟେରି ଜବତ

ଓଡ଼ିଶାରୁ କଲିକତା ଯାଏ ଲମ୍ବିଛି ଚେର, ରିମାଣ୍ଡରେ ଆଣିବାକୁ ଯୋଜନା

ଭୁବନେଶ୍ବର : ଓଡ଼ିଶାରୁ କଲିକତା ଯାଏ ଲମ୍ବିଥିବା ଏକ ଅନ୍ତଃରାଜ୍ୟ ବ୍ୟାଟେରି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି କମିସନରେଟ ପୁଲିସ। ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଏହି ଗ୍ୟାଙ୍ଗ୍‌ର ୬ଲୁଟେରାକୁ ଗିରଫ କରାଯାଇଛି। ସେମାନ‌େ ହେଲେ ପଶ୍ଚିମବଙ୍ଗ କଲିକତା ମଲ୍ଲିକ ବଜାର ଅଞ୍ଚଳର ମହମ୍ମଦ ଇସ୍ତାକ୍‌(୩୫),ଦକ୍ଷିଣ ଚବିସ୍‌ପ୍ରଗଣା ଅଞ୍ଚଳର ମୁସାରୁଦ୍ଦିନ ମୁଲ୍ଲା(୨୪), ଆକ୍ରମ ସେଖ୍‌(୨୪), ସେଖ୍‌ ସବୀର(୩୨), ପଶ୍ଚିମ ମେଦିନୀପୁର ଅଞ୍ଚଳର ସୁର୍‌ଜିତ ସିଂହ ସାଇନି(୫୫) ଏବଂ ଗଞ୍ଜାମ ଅଞ୍ଚଳର ସେଖ୍‌ ଜାଫର(୨୫)। ପୁଲିସ ସେମାନଙ୍କଠାରୁ ବିପୁଳ ପରିମାଣର ବ୍ୟାଟେରି, ଦୁଇଟି ଟ୍ରକ ଓ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଜବତ ହୋଇଥିବା ବ୍ୟାଟେରିର ମୂଲ୍ୟ ୧୦ଲକ୍ଷରୁ ଊର୍ଧ୍ବ ହେବ ବୋଲି ପୁଲିସ ଅନୁମାନ କରୁଛି।

ସୂଚନା ମୁତାବକ, ବହୁ ଦିନ ହେବ ଏହି ଅନ୍ତଃରାଜ୍ୟ ବ୍ୟାଟେରି ଲୁଟେରା ଗ୍ୟାଙ୍ଗ ରାଜ୍ୟରେ ସକ୍ରିୟ ଥିଲା। ଓଡ଼ିଶାରୁ ବ୍ୟାଟେରି ସଂଗ୍ରହ କରି ଚୋରାରେ କଲିକତା ଚାଲାଣ କରାଯାଉଥିଲା। ଆଉ ଦୋକାନୀ ଓ ଗ୍ରାହକଙ୍କୁ ବଜାର ଅପେକ୍ଷା ଢ଼େର୍‌ ଶସ୍ତାରେ ବିକ୍ରି କରାଯାଉଥିଲା। ବିଶେଷକରି ସେମାନେ ଗଞ୍ଜାମ, ନୟାଗଡ଼, ପୁରୀ, ଭୁବନେଶ୍ବର ଆଦି ସ୍ଥାନରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକୁ ଟାର୍ଗେଟ କରୁଥିଲେ। ଆଉ ଟିକିଏ ସୁଯୋଗ ପାଇଲେ ସେମାନେ ଆଖି ପିଛୁଳାକେ ଗାଡ଼ିରୁ ବ୍ୟାଟେରି ଖୋଲି ନେଇଯାଉଥିଲେ। ଯୋଜନା ମୁତାବକ ବିଭିନ୍ନ ଗାଡ଼ିରୁ ବ୍ୟାଟେରି ଚୋରି କରି ସେମାନେ ପିକ୍‌ଅପ୍‌ରେ ବ୍ରହ୍ମପୁର ଅଞ୍ଚଳରେ ଥିବା ଗୋଦାମକୁ ଆଣି ଲୁଚାଇ ରଖୁଥିଲେ। ଆଉ ସେଠାରୁ ରାତାରାତି ଟ୍ରକ୍‌ରେ କଲିକତା ଚାଲାଣ କରୁଥିଲେ।

ବହୁଦିନ ଧରି ଏହି ଗ୍ୟାଙ୍ଗ ଏଭଳି ଚୋରା କାରବାର ଚଳାଇଥିଲେ ବି କେହି ଏମାନଙ୍କ ବିଷୟରେ କିଛି ଟେର୍‌ ପାଉନଥିଲେ। ତେବେ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଅଭିଯୁକ୍ତମାନେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଟ୍ରକ୍‌ରେ ବିପୁଳ ପରିମାଣର ବ୍ୟାଟେରି ଅନ୍‌ଲୋଡ୍‌ କରୁଥିବା ମଞ୍ଚେଶ୍ବର ଥାନା ପୁଲିସ ଖବର ପାଇଥିଲା। ପୁଲିସର ଏକ ଟିମ୍‌ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ବ୍ୟାଟେରି ଭର୍ତ୍ତି ଟ୍ରକ୍‌କୁ ଜବତ କରିଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି। ତେବେ ସେମାନଙ୍କ ସହ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପୁଲିସ ସନ୍ଦେହ କରିଛି। ତେଣୁ ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର