ଓଡ଼ିଶା ସାମ୍ବାଦିକ ୟୁନିୟନର ୨୪ତମ ଦ୍ବିବାର୍ଷିକ ସମାରୋହ

ଗଣତନ୍ତ୍ର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଆମ ପଡ଼ୋଶୀ ଦେଶମାନଙ୍କ‌‌ରେ ଗଣତନ୍ତ୍ର ନାମରେ ମିଲିଟାରି ଶାସନ ଚାଲିଛି। କିନ୍ତୁ ସ୍ବାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତ‌ରେ ଗଣତନ୍ତ୍ର ବଜାୟ ରହିଛି। ଦେଶରେ ଗଣତନ୍ତ୍ରକୁ ବଜାୟ ରଖିବା ଦିଗରେ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜୟଦେବ ଭବନରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିୟନର ୨୪ତମ ଦ୍ବିବାର୍ଷିକ ସମାରୋହ‌‌ରେ ଅର୍ଥମନ୍ତ୍ରୀ ଶଶିଭୂଷଣ ‌ବେହେରା ଯୋଗଦେଇ ଆଜି ଏପରି କହିଛନ୍ତି। ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ବେହେରା ଆହୁରି କହିଲେ, ଗଣତନ୍ତ୍ରରେ ଭିନ୍ନ ମତ ଗ୍ରହଣୀୟ। ଯଦି ଭିନ୍ନ ମତ ନ ରହିବ, ତା’ ହେଲେ ଗଣତନ୍ତ୍ର ସ୍ବେଚ୍ଛାଚାରିତା ଆଡ଼କୁ ଗତି କରିବ। ଗଣତନ୍ତ୍ରକୁ ଲୋକାଭିମୁଖୀ କରି ରଖିବାରେ ସମ୍ବାଦପତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବାଦପତ୍ର ଶାସକ ଦଳର କବଳିତ ହେଲେ ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବାଦପତ୍ରରୁ ଦୂରେଇଯାଏ। ସେହିପରି ଜଣେ ସାମ୍ବାଦିକ ନିଜକୁ ପ୍ରତିଷ୍ଠା କରିବା ପାଇଁ ବହୁ ସଂଗ୍ରାମ କରିଥାଏ। ବହୁ ପ୍ରଲୋଭନକୁ ଏଡ଼ାଇ ଆଗକୁ ଯିବାକୁ ପଡ଼ିଥାଏ ବୋଲି ସେ କହିଥିଲେ।

ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଲେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ପଦେକ୍ଷପ ନେଇଛନ୍ତି। ସାମ୍ବାଦିକମାନଙ୍କୁ ବୀମାଭୁକ୍ତ କରାଯାଇଥିବା ବେଳେ ସେମାନଙ୍କ ଦକ୍ଷତା ବିକାଶ ପାଇଁ ଆବଶ୍ୟକ ପଡ଼ୁଥିବା ତାଲିମ୍ କାର୍ଯ୍ୟକ୍ରମ ଖର୍ଚ ସରକାର ବହନ କରିବେ। ଏହାସହ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁରେ ୪ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ବ୍ୟବସ୍ଥା କରାଯାଇଛି। ୩ ପ୍ରତିଶତ ହାରରେ ଜଣେ ସାମ୍ବାଦିକ ଗାଡ଼ି ଓ ଘର କିଣିବାର ସୁଯୋଗ ପାଇବା ସହିତ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସାମ୍ବାଦିକଙ୍କ କ୍ୟାସଲେସ୍ ବ୍ୟବସ୍ଥା କରିବା ପାଇଁ ଉଦ୍ୟମ କରାଯାଉଛି। ସାମ୍ବାଦିକଙ୍କ ପାଇଁ କିଛି ନେତା କେବଳ କହୁଛନ୍ତି, ମାତ୍ର ରାଜ୍ୟ ସରକାର କାମ କରୁଛନ୍ତି ବୋଲି ଶ୍ରୀ ଜେନା କହିଥିଲେ। ଜାତୀୟ ସାମ୍ବାଦିକ ୟୁନିୟନର ସର୍ବଭାରତୀୟ ସଭାପତି ପ୍ରଜ୍ଞାନନ୍ଦ ଚୌଧୁରୀ କହିଲେ, ଆଜିର ସମୟରେ ସାମ୍ବାଦିକ କେବଳ ଆକ୍ରମଣ ନୁହେଁ, ଚାକିରି ଜନିତ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି। ସବୁ ସାମ୍ବାଦିକମାନଙ୍କୁ କଣ୍ଟ୍ରାକ୍ଟ ବା ଠିକାରେ ନିଯୁକ୍ତି ଦିଆଯାଉଛି। ଫଳରେ ନିଯୁକ୍ତିକାରୀ ସଂସ୍ଥା ଯେକୌଣସି ସମୟରେ ବାହାରି ଯିବାକୁ ଧମକ ଦେଉଛି। ଏଭଳି ପରିସ୍ଥିତିରେ ସାମ୍ବାଦିକମାନେ ଏକାଠି ହେବାର ସମୟ ଆସିଛି ବୋଲି ଶ୍ରୀ ଚୌଧୁରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଏସ୍.ଦାସ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ସଂଘର କର୍ମକର୍ତା ନିର୍ବାଚନର ଫଳାଫଳ ଘୋଷଣା କରାଯିବା ସହ ନବନିର୍ବାଚିତ କର୍ମକର୍ତାମାନଙ୍କ ନାମ ଘୋଷଣା କରାଯାଇଥିଲା। ପରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ସଂଘର ସାଧାରଣ ସଂପାଦକ ଅଶୋକ ନନ୍ଦ ସଂପାଦକୀୟ ବିବରଣୀ ପାଠ କରିବା ସହ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର