ଚୋରି ସମ୍ପତ୍ତି ଉଦ୍ଧାରରେ ଓଡ଼ିଶା ପୁଲିସ ଫେଲ୍, ୩ବର୍ଷ ହେଲାଣି ଜାତୀୟ ହାରକୁ ବି ଛୁଇଁପାରୁନି

୨୦୨୦ରେ ୧୩୭କୋଟିରୁ ଫେରାଇଛି ମାତ୍ର ୪୦କୋଟି
ପଡ଼ୋଶୀ ପୁଲିସ ପାରୁଛି; ଓଡ଼ିଶା ପୁଲିସ ପଛେଇଛି

ଭୁବନେଶ୍ବର : ଚୋରି ସମ୍ପତ୍ତି ଉଦ୍ଧାର କରିବାରେ ଓଡ଼ିଶା ପୁଲିସ ବିଫଳ। ଯେତିକି ଟଙ୍କାର ସମ୍ପତ୍ତି ପ୍ରତିବର୍ଷ ରାଜ୍ୟରୁ ଚୋରି ହେଉଛି, ତା’ର ୩୦ ପ୍ରତିଶତ ବି ପୁଲିସ ଜବତ କରିପାରିନି। ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନସିଆର୍‌ବି)ର ରିପୋର୍ଟ ଓଡ଼ିଶା ପୁଲିସର ଚୋରି ସମ୍ପତ୍ତି ଉଦ୍ଧାର କରିବାରେ ପାରିବାପଣିଆକୁ ପଦାରେ ପକାଇଛି। ଏନ୍‌ସିଆର୍‌ବି ଜାରି କରିଥିବା ୨୦୨୦ ମସିହାର ରିପୋର୍ଟ କାର୍ଡ ଅନୁଯାୟୀ, ରାଜ୍ୟରୁ ପ୍ରାୟ ୧୩୭କୋଟି ୩୦ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା। ରାଜ୍ୟ ପୁଲିସ ତଦନ୍ତ କରି ସେଥିମଧ୍ୟରୁ ମାତ୍ର ୪୦କୋଟି ୩୦ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଯାହା ମାତ୍ର ୨୯.୩ପ୍ରତିଶତ ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ ଉଲ୍ଲେଖ କରିଛି। ଅପରପକ୍ଷରେ ୨୦୧୮ରୁ ୨୦୨୦ ଏନ୍‌ସିଆର୍‌ବି ରିପୋର୍ଟ ଅନୁଶୀଳନ କଲେ ଜଣାପଡ଼ିଛି, ଜାତୀୟ ହାରକୁ ବି ଅତିକ୍ରମ କରିବାରେ ସକ୍ଷମ ହୋଇନି ଓଡ଼ିଶା ପୁଲିସ। ଯାହା ରାଜ୍ୟ ପୁଲିସର ଦକ୍ଷତା ପ୍ରତି ଆଙ୍ଗୁଳି ଉଠାଇଛି। ଫଳରେ ଚୋରି ସାମଗ୍ରୀ ଫେରି ପାଇବାକୁ ନେଇ ଓଡ଼ିଶା ପୁଲିସ ଉପରେ ଲୋକଙ୍କ ଭରସା ଉଠିବାରେ ଲାଗିଛି।

ଏନ୍‌ସିଆର୍‌ବି ୨୦୨୦ ବର୍ଷ ପାଇଁ ଜାରି କରିଥିବା ରିପୋର୍ଟରେ ୨୮ଟି ରାଜ୍ୟର ଚୋରି ସମ୍ପତ୍ତି ଓ ଏହାର ରିକଭରିକୁ ନେଇ ତଥ୍ୟ ଦେଇଥିଲା। ଯେଉଁଥିରେ ଓଡ଼ିଶା ୧୭ତମ ସ୍ଥାନରେ ରହିଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଚୋରି ସମ୍ପତ୍ତି ଉଦ୍ଧାର ଶତକଡ଼ା ଓଡ଼ିଶାଠାରୁ ଢେର୍ ଆଗରେ ରହିଛନ୍ତି। ପଡ଼ୋଶୀ ରାଜ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ଆଗରେ ରହିଛି। ୨୦୨୦ରେ ୧୦୪କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ତେଲେଙ୍ଗାନା ପୁଲିସ ତଦନ୍ତ କରି ୫୮କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇଥିଲା। ଏହା ପଛକୁ ଆନ୍ଧ୍ରପ୍ରଦେଶ ପୁଲିସ ୫୩.୭ପ୍ରତିଶତ ଚୋରି ସାମଗ୍ରୀ ଉଦ୍ଧାର କରିଥିବା ବେଳେ ଛତିଶଗଡ଼ ପୁଲିସ ୫୦.୨ପ୍ରତିଶତ ଓ ପଶ୍ଚିମବଙ୍ଗ ପୁଲିସ ୩୯.୩ପ୍ରତିଶତ ଚୋରି ସାମଗ୍ରୀ ଉଦ୍ଧାର କରିଛି।

ଅପରପକ୍ଷରେ ତାମିଲନାଡ଼ୁ ପୁଲିସ ୬୨.୧ପ୍ରତିଶତ ଚୋରି ସାମଗ୍ରୀ ଉଦ୍ଧାର କରି ଶୀର୍ଷରେ ରହିଥିବା ବେଳେ ମେଘାଳୟ ପୁଲିସର ରିକଭରି ହାର ୭.୪ପ୍ରତିଶତ ସହିତ ତାଲିକାର ଶେଷରେ ରହିଛି। ଏନେଇ ଜଣେ ପୂର୍ବତନ ପୁଲିସ ଅଧିକାରୀ କହିଛନ୍ତି, ରାଜ୍ୟରେ ପ୍ରତିବର୍ଷ ଯେତିକି ଚୋରି ଅଭିଯୋଗ ହେଉଛି, ଆଶାତୀତ ଚୋରଙ୍କୁ ମଧ୍ୟ ଧରାଯାଉଛି। ଚୋରି ସାମଗ୍ରୀ ଅନେକ ସମୟରେ ମାଳମାଳ ମୋବାଇଲ, ଗାଡ଼ି, ଘର ଉପକରଣ ଆଦି ଜବତ କରିବାରେ ପୁଲିସ ସଫଳ ହେଉଥିବା ବେଳେ ସର୍ବାଧିକ ଚୋରି ହେଉଥିବା ଟଙ୍କା ଓ ସୁନା ଜବତ କରିବାରେ ପୁଲିସ ସକ୍ଷମ ହେଉନାହିଁ। କାରଣ ସେତେବେଳକୁ ଅଭିଯୁକ୍ତମାନେ ଟଙ୍କା ଖର୍ଚ୍ଚ କରିଦେଉଥିବା ବେଳେ ସୁନା ଦୋକାନରେ ବନ୍ଧକ ରଖି ଟଙ୍କା ଆଣୁଛନ୍ତି। ଯାହା ପରବର୍ତ୍ତୀ ସମୟରେ ରିକଭରି କରିବାରେ ସମ୍ଭବ ହେଉନାହିଁ।

୫ବର୍ଷରେ ରିକଭରି ହାର ମାତ୍ର ୨୯%

ଏନ୍‌ସିଆର୍‌ବିର ତଥ୍ୟ ଅନୁଯାୟୀ, ଗତ ୨୦୧୬ରୁ ୨୦୨୦ ମଧ୍ୟରେ ଓଡ଼ିଶାରୁ ୬୩୦କୋଟି ୭୦ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ରାଜ୍ୟ ପୁଲିସ ତଦନ୍ତ କରି ମୋଟ ୧୮୩କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର କରିଛି। ଅର୍ଥାତ୍ ରିକଭରି ହାର ମାତ୍ର ୨୯ପ୍ରତିଶତ ବୋଲି ଜଣାପଡ଼ିଛି। ତେବେ ଏହି ୫ବର୍ଷର ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବରୁ ଦେଶରେ ମୋଟ ଯେତିକି ଟଙ୍କାର ସମ୍ପତ୍ତି ଚୋରି ହେଉଥିଲା, ସମ୍ପତ୍ତି ଉଦ୍ଧାର ହାର ନୈରାଶ୍ୟଜନକ ରହୁଥିଲା। ଯାହାକି ରିକଭରିରେ ମାତ୍ର ୩୦ପ୍ରତିଶତ ବି ଛୁଇଁପାରୁନଥିଲା। ସେହି ତୁଳନାରେ ଓଡ଼ିଶା ପୁଲିସର ରିକଭରି ପ୍ରଦର୍ଶନ ନୈରାଶ୍ୟଜନକ ଥିଲେ ବି ଅତିକମ୍‌ରେ ଜାତୀୟ ହାରକୁ ଅତିକ୍ରମ କରୁଥିଲା। ମାତ୍ର ୨୦୧୮ରୁ ୨୦୨୦ ମଧ୍ୟରେ ବିଭିନ୍ନ ରାଜ୍ୟ ପୁଲିସ ସମ୍ପତ୍ତି ଉଦ୍ଧାର କରିବାରେ ଭଲ ପ୍ରଦର୍ଶନ କରୁଥିବାରୁ ଜାତୀୟ ହାର ଏବେ ୩୫ପ୍ରତିଶତ ଅତିକ୍ରମ କରିଛି। ଦୁର୍ଭାଗ୍ୟଜନକ ଭାବେ କେବଳ ୨୦୧୯ ବର୍ଷକୁ ଛାଡ଼ିଦେଲେ ଓଡ଼ିଶା ପୁଲିସ ୨୦୧୮ ଓ ୨୦୨୦ରେ ପୂର୍ବଭଳି ସମ୍ପତ୍ତି ଉଦ୍ଧାରରେ ୩୦ପ୍ରତିଶତ ବି ଅତିକ୍ରମ କରିବାରେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର