ଯୋଗଦେବେ ୧୯ଟି ଦେଶର ୪୬ ଟୁର୍‌ ଅପରେଟର୍‌

୧୫ରୁ ଓଡିଶା ଟ୍ରାଭେଲ ବଜାରର ପ୍ରଥମ ସଂସ୍କରଣ

ଚନ୍ଦ୍ରଶେଖରପୁର : ପର୍ଯ୍ୟଟନ କ୍ଷେତ୍ରରେ ନିଜର ଅସ୍ମିତା ତଥା ଶକ୍ତିକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ନିମନ୍ତେ ଶିଳ୍ପ ସଂଘ ଫିକି ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଭାଗୀତାରେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି)ର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହେବ। ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ପଯ୍ୟର୍ଟନ ମନ୍ତ୍ରୀ ଉଦ୍‌ଘାଟନ କରିବେ। ଓଟିବିର ପ୍ରଥମ ସଂସ୍କରଣରେ ୧୯ଟି ଦେଶର ୪୬ ବିଦେଶୀ ଟୁର୍‌ ଅପରେଟର୍‌ ଯୋଗଦେବେ। ଅଷ୍ଟ୍ରେଲିଆ, କାମ୍ବୋଡିଆ, ଚୀନ, ଚେକ ରପବ୍ଲିକ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ମାଲେସିଆ, ମେକ୍ସିକୋ, ନେଦରଲ୍ୟାଣ୍ଡ, ନରୱେ, ସ୍ପେନ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁକେ, ଆମେରିକା ଏବଂ ଭିଏତନାମର ଟୁର୍‌ ଅପରେଟର ସଂସ୍ଥାଗୁଡ଼ିକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ସଚିବ ମୋନା ଶର୍ମା ସୂଚନା ଦେଇ କହିଥିଲେ ଯେ ରାଜ୍ୟର ୫୫ ଟୁର୍‌ ଅପରେଟର ଏବଂ ହୋଟେଲିୟର ବିକ୍ରେତା ଭାବରେ ଯୋଗଦେଇ ଓଡ଼ିଶାର ପର୍ଯ୍ୟଟନ ସମ୍ଭାରକୁ ସାରା ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ଓଡ଼ିଶା- ଟୁୱାର୍ଡସ ଏ ନ୍ୟୁ ଦିଶା ଇନ ଟୁରିଜିମ’ ସମ୍ବନ୍ଧରେ ଫିକ୍କି-ଏମଆରଏସଏସ ନଲେଜ ପେପର ଏବଂ ଡେଷ୍ଟିନେସନ୍‌ ଓଡିଶା : ଇନଭେଷ୍ଟମେଣ୍ଟ ଅପରଚ୍ୟୁନିଟି ଇନ ଟୁରିଜିମ ଇନଫାଷ୍ଟ୍ରକଚର ସମ୍ବନ୍ଧରେ ଫିକ୍କି-ୟେସ ବ୍ୟାଙ୍କ ନଲେଜ ପେପର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ନିତିନ ଜୱାଲେ ଏବଂ ଫିକିର ରାହୁଲ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର