ଅନ୍‌ଲାଇନ୍‌ ଠକେଇ, ଯାହା ମଗେଇଲେ ତାହା ଆସିଲାନି

ଭୁବନେଶ୍ବର: ଅନ୍‌ଲାଇନ୍‌ ମାର୍କେଟ ଏବେ ବେଶ୍‌ ଲୋକପ୍ରିୟ ହୋଇଛି। ନାମୀ ଦାମୀ ବ୍ରାଣ୍ଡ ସହ ସାଧାରଣ ଜିନିଷ ଶସ୍ତାରେ ମିଳୁଛି। ତାହା ପୁଣି ଘରେ ପହଞ୍ଚୁଛି। ଏଣୁ ଘରେ ବସି ମାର୍କେଟିଂ କରିବାରେ ଅନେକେ ମନ ବଳାଇଛନ୍ତି। ତେବେ ଏଭଳି ଗ୍ରାହକଙ୍କୁ କେତେକ ଅନ୍‌ଲାଇନ୍‌ ବେପାରୀ ଟାର୍ଗେଟ କରିଛନ୍ତି। ଗୋଟିଏ ପ୍ରକାରର ଜିନିଷର ଚିତ୍ର ଦେଖାଇ ଆଉ ଗୋଟିଏ ଜିନିଷ ପଠାଇ ‌ଦେଉଛନ୍ତି। ‌େଯାଗାଯୋଗ କରିବା ପରେ ଆଉ ଧରାଛୁଆଁ ଦେଉନାହାନ୍ତି। ଗ୍ରାହକ ଦିନେ ଦୁଇଦିନ ଯୋଗାଯୋଗ କରିବା ପରେ ଥକି ଯାଉଛି। ଏଣେ ବେପାରୀ ଆଉଜଣଙ୍କୁ ଟାର୍ଗେଟ କରୁଛି। ଏଭଳି ଏକ ଘଟଣା ପଦାକୁ ଆସିଛି। ବନାରସ୍‌ ଷ୍ଟାଇଲ୍‌ ଅନ୍‌ ଲାଇନ୍‌ ବଜାରରୁ ଜଣେ ଗ୍ରାହକ ଶାଢ଼ି କିଣି ଜଣେ ମହିଳା ଫସିଛନ୍ତି। ପଇସା ‌ଦେବା ପରେ ଶାଢ଼ି ପହଞ୍ଚିଛି। ହେଲେ ଯାହା ପସନ୍ଦ କରିଥିଲେ ତାହା ନୁହେଁ, ବରଂ ଆଉ ଏକ ଶସ୍ତା ଜିନିଷ ଆସିଛି। ଅଭିଯୋଗ କରିବା ପାଇଁ ଯେଉଁ ମୋବାଇଲ ନମ୍ବର ଓ ଇ-ମେଲ୍‌ ଠିକଣା ଦିଆଯାଇଥିଲା ସେଠାରୁ କୌଣସି ପ୍ରତିକ୍ରିୟା ଆସୁନାହିଁ। ଏହି ସଂସ୍ଥା ଏଭଳି ଅନେକଙ୍କୁ ଠକିଥିବା ଆଶଙ୍କା କରାଯାଉଛି। ଉପଯୁକ୍ତ ତଦନ୍ତ ହେଲେ ଏଭଳି ଠକ ସାବାଡ୍‌ ହେବା ସହ ଆଗକୁ ଅନ୍ୟ ଗ୍ରାହକଙ୍କୁ ଠକିବାକୁ ଡରିବେ ବୋଲି ସମ୍ପୃକ୍ତ ଗ୍ରାହକ କହିଛନ୍ତି।

ସମ୍ବନ୍ଧିତ ଖବର