ଫେଲ୍‌ ମାରିଲା ପୁଲିସ, ଚୋରକୁ ଧରିଲେ ସ୍କୁଟି ମାଲିକ

ଚାଲାଣ କଟିବାରୁ ଖିଅ ମିଳିଲା, ନାଲିଆଖି ଦେଖାଇଲା ଚୋର

ଭୁବନେଶ୍ୱର : ସ୍କୁଟି ଚୋରି ହେଲା। ପୁଲିସରେ ଅଭିଯୋଗ କଲେ। ପୁଲିସ ଗାଡ଼ିକୁ ଠାବ କରିବା କି ଚୋରକୁ ଧରିବା ତ ଦୂରର କଥା; ଘଟଣାକୁ ଗୁରୁତ୍ବର ସହ ନ ନେଇ ଅଭିଯୋଗକୁ ବି ଗ୍ରହଣ କଲାନାହିଁ। ହେଲେ ଏଥିରେ ଚୁପ୍‌ ବସିନଥିଲେ ସ୍କୁଟି ମାଲିକ କୁନା ବାରିକ୍‌। ନିଜେ ତଦନ୍ତ କରି ଗାଡ଼ିକୁ ଠାବ କରିବା ସହ ଚୋରକୁ ଧରି ପୁଲିସରେ ଦେଲେ। ଏଭଳି ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ।

ସୂଚନା ମୁତାବକ, ଗତ ଡିସେମ୍ବର ୧୨ ତାରିଖରରେ କୁନାଙ୍କ ସ୍କୁଟିକୁ କେହି ଦୁର୍ବୃତ୍ତ ଚୋରିକରି ନେଇଥିଲା। ଏନେଇ ସେ ସଦହିଦନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା। ବାରମ୍ବାର ଥାନାକୁ ଦୌଡ଼ିଦୌଡ଼ି ହତାଶ ହୋଇ ପଡ଼ିଥିଲେ। ହେଲେ କିଛିଦିନ ପରେ ହଠାତ୍‌ ମୋବାଇଲ୍‌କୁ ଜରିମାନାର ମେସେଜ୍‌ ଆସିଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଯୋଗୁଁ ଜରିମାନା ଦେବାକୁ ପଡ଼ିବ ବୋଲି ଟ୍ରାଫିକ୍‌ ପୁଲିସର ନୋଟିସ୍‌ ପାଇବା ପରେ ଉତ୍ସାହିତ ହୋଇପଡ଼ିଥିଲେ କୁନା। କାରଣ ତାଙ୍କ ସ୍କୁଟି ଏବେବି ଭୁବନେଶ୍ବରରେ ଅଛି ବୋଲି ସେ ନିଶ୍ଚିତ ହୋଇ ଯାଇଥିଲେ। ତେଣୁ ସେ ନିଜ ଆଡୁ ଆରମ୍ଭ କରିଥିଲେ ତଦନ୍ତ। ପ୍ରଥମେ ଟ୍ରାଫିକ୍‌ ଥାନାକୁ ଯାଇ ଏ ସଂପର୍କରେ ବୁଝାବୁଝି କରିଥିଲେ। ପୁଣିଥରେ ସହିଦନଗର ଥାନାକୁ ଯାଇ ଘଟଣା ବିଷୟରେ ଜଣାଇଥିଲେ। ଏହା ସତ୍ତ୍ବେ ପୁଲିସ ଚୋର ଧରିବାକୁ କୌଣସି ପଦକ୍ଷେପ ନେଇନଥିଲା। ପୁଲିସଠାରୁ ବାରମ୍ବାର ନିରାଶ ପରେ ବି ଚୁପ୍ ବସି ନ ଥିଲେ କୁନା। ନିଜ ଉଦ୍ୟମରେ ଗାଡ଼ି ଖୋଜା ଅଭିଯାନ ଆରମ୍ଭ କରିଥିଲେ। ରାଜଧାନୀର ଗଳିକନ୍ଦି ବୁଲି ଖୋଜି ଚାଲିଥିଲେ। ଶେଷରେ ତାଙ୍କ ପରିଶ୍ରମ ଫଳ ଦେଲା। ବୁଧବାର ମଧ୍ୟାହ୍ନ ସମୟରେ କୁନା ସିଆର୍‌ପି ଛକରେ ନିଜ ସ୍କୁଟି ଛିଡ଼ା ହୋଇଥିବା ଦେଖି ମାଡ଼ି ଯାଇଥିଲେ। କିଛି ସମୟ ପରେ ଚୋର ସ୍କୁଟି ପାଖକୁ ଆସି ଚାବି ଖୋଲିବା ବେଳକୁ ସେ ତାକୁ କାବୁ କରି ନେଇଥିଲେ। ହେଲେ ଚୋର ତାଙ୍କୁ ପାଲଟା ନାଲିଆଖି ଦେଖାଇଥିଲା। ଏହା ମୋ ସ୍କୁଟି , ତମେ କିଏ? ବୋଲି ପ୍ରଶ୍ନ କରିଥିଲା। ଆଉ ସେମାନଙ୍କର ଏହି କଳି ଭିତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଚୋରକୁ କାବୁ କରିବା ସହ ସ୍କୁଟିକୁ ଜବତ କରି ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର