ପରିଚୟ ଖୋଜୁଛି ପଦ୍ମପାଦ ମୁଣ୍ଡିଆ

ଭୁବନେଶ୍ବର: ଚଢ଼େଇଙ୍କ କିଚିରି ମିଚିରି କଳରବରେ ଝରୁଛି ସଂଗୀତର ରାଗିଣୀ। ନିସ୍ତବ୍ଧ ଇଲାକାରେ ନକହି ବି ନିରବରେ କଥା ହେଉଛି ଜଙ୍ଗଲ। ବରଗଛର ବହଳ ଜଙ୍ଗଲ, ପୁଣି କାଜୁ ବଣର ସବୁଜ ବଳୟ। ଅଖଣ୍ଡ ବତୀ ମନ୍ଦିର ସାଙ୍ଗକୁ ପ୍ରଭୁ ଶ୍ରୀରାମଙ୍କ ପାଦ ସ୍ପର୍ଶରେ ସୃଷ୍ଟି ହୋଇଥିବା ପଦଯୁଗଳର ଚିହ୍ନ। ପ୍ରକୃତି କୋଳରେ ପ୍ରାଚୁର୍ଯ୍ୟର ଏହି ମହକ ଭେଟି ଦେଉଛି ପଦ୍ମପାଦ ମୁଣ୍ଡିଆ। ସହରଠୁ ଚନ୍ଦକା ରୁଟ୍‌ରେ ମାତ୍ର ୮ କିଲୋମିଟର ଦୂରରେ ରହିଛି ପଦ୍ମପାଦ ମୁଣ୍ଡିଆର ଏହି ସ୍ନିଗ୍ଧ ପରିବେଶ। ଏହା ସହ କେଉଁ କାଳରୁ ଏହି ମୁଣ୍ଡିଆ ଐତିହ୍ୟର ମୁକସାକ୍ଷୀ ପଦ୍ମପାଦକୁ ବି ସାଇତି ରଖିଛି। ଅଥଚ ଏହା ଉପରେ ପର୍ଯ୍ୟଟନ ବିଭାଗର ନଜର ପଡ଼ୁନାହିଁ। ପ୍ରାଚୁର୍ଯ୍ୟକୁ ସାଇତି ଥିଲେ ହେଁ ଏବେ ବି ପରିଚୟ ଖୋଜୁଛି ପଦ୍ମପାଦ ମୁଣ୍ଡିଆ। ମୁଣ୍ଡିଆର ଶିଖରରେ ରହିଛି ମହିମା ମନ୍ଦିର। ଅଖଣ୍ଡ ବତୀ ମନ୍ଦିରରେ ବର୍ଷବର୍ଷ ଧରି ଜଳି ଆସୁଛି ଅଖଣ୍ଡ ଦୀପ। ଏଥିସହ ମହିମା ମନ୍ଦିରର ତଳ ପାର୍ଶ୍ବରେ ମୁକ୍ତାକାଶ ତଳେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ। ଏଠାରେ ଥିବା ପଦ୍ମପାଦ ହିଁ ଏହି ମୁଣ୍ଡିଆ ପାଇଁ ଐତିହ୍ୟର ମୁକସାକ୍ଷୀ ଭାବେ ବିବେଚିତ ହେଉଛି। ଜନଶ୍ରୁତି ମୁତାବକ ଏକ ପଥର ଉପରେ ଥିବା ପଦ ଯୁଗଳ ପ୍ରଭୁ ଶ୍ରୀରାମଙ୍କର। ଶ୍ରୀରାମ ବନବାସ ଆସିଥିବା ସମୟରେ ଏଠାରେ କିଛିଦିନ କଟାଇଥିବା ବିଶ୍ବାସ ରହି ଆସିଛି। ‌ତେଣୁ ଆଖପାଖର ଗ୍ରାମବାସୀମାନେ ଏହି ପାଦକୁ ପୂଜା କରିବା ପାଇଁ ମୁଣ୍ଡିଆକୁ ଛୁଟି ଆସନ୍ତି। ରାମ ନବମୀରେ ମଧ୍ୟ ଏଠାରେ ବଡ଼ ଧରଣର ଉତ୍ସବ ପାଳନ କରାଯାଏ। ମହିମା ଧର୍ମର ସାଧୁସନ୍ଥମାନେ ସକାଳୁ ଉଠି ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ପ୍ରଣତି ଜଣାଇବାର ଦୃଶ୍ୟ ଦେଖିବାକୁ ମିଳେ। ବଣଭୋଜିଠୁ ଆରମ୍ଭ କରି ନିରୋଳାରେ ସମୟ କାଟିବା ପାଇଁ ଏହା ପ୍ରକୃଷ୍ଟ ପରିବେଶ। ମାଙ୍କଡ଼ଙ୍କ ଉପସ୍ଥିତି ଥିଲେ ମଧ୍ୟ ସେମାନେ କାହାର କ୍ଷତି ପହଞ୍ଚାନ୍ତି ନାହିଁ ବୋଲି ପୂଜକ ଲିଙ୍ଗରାଜ ସ୍ବୀକାର କରନ୍ତି। ଏଠାରେ ନିରାମିଷ ଭୋଜି ପାଇଁ ବ୍ୟବସ୍ଥା ରହିଥିବା ବେଳେ ବରାଦ ମୁତାବକ ରୋଷେଇ ପ୍ରସ୍ତୁତ କରାଯାଏ। ସହରର କୋଳାହଳଠୁ ଦୂରେଇ ରହି କିଛି ସମୟ ନିରୋଳାରେ ବିତାଇବାକୁ ଚାହୁଁଥିବା ମଣିଷ ପାଇଁ ଏହି ମନୋରମ ପରିବେଶର ବେଶ୍‌ ମହତ୍ତ୍ବ ରହିଛି। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହା ଜନସାଧାରଣଙ୍କ ଦୃଷ୍ଟିକୁ ଆସିପାରି ନାହିଁ। ଐତିହ୍ୟ ପୃଷ୍ଠଭୂମି ଲୁଚି ରହିଥିଲେ ହେଁ ଏହା ଉପରେ ଏପର୍ଯ୍ୟନ୍ତ ଗବେଷଣା ହୋଇନାହିଁ। ପର୍ଯ୍ୟଟନ ବିଭାଗ ନୂଆ ପର୍ଯ୍ୟଟନସ୍ଥଳୀକୁ ଚିହ୍ନଟ କରୁଥିବା ବେଳେ ଏହି ପର୍ଯ୍ୟଟନ ସ୍ଥଳୀକୁ ଗୁରୁତ୍ବ ଦେବା ସହ ଏଠାରେ ଆନୁଷଙ୍ଗିକ ସୁବିଧା କରିପାରିଲେ ବଣଭୋଜି ସହ ଏହା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା ବୋଲି ‌ଗବେଷକ ଅନିଲ୍‌ ଧୀର୍‌ କହିଛନ୍ତି।

ସମ୍ବନ୍ଧିତ ଖବର