ମୁକ୍ତିଲାଭ କରିବା ପୂର୍ବରୁ ଆୟୁଷ୍ମାନ ଖୁରାନା ଓ ‘ଶୁଭ ମଙ୍ଗଳ୍ ଜ୍ୟାଦା ସାବଧାନ’ ଚଳଚ୍ଚିତ୍ରକୁ ବଡ଼ ଧରଣର ଝଟ୍କା ଲାଗିଛି। ସମଲିଙ୍ଗୀ ଯୌନସମ୍ପର୍କ ବିଷୟବସ୍ତୁ ପାଇଁ ଦୁବାଇ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହି ଚଳଚ୍ଚିତ୍ରକୁ ବ୍ୟାନ୍ କରିଦିଆଯାଇଛି। ତେବେ ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାରଙ୍କ ଚୁମ୍ବନ ଦୃଶ୍ୟକୁ କାଟିଦେବା ପାଇଁ ନିର୍ମାତା ବିକଳ୍ପ ଦେଇଥିଲେ ମଧ୍ୟ ଉକ୍ତ ଦେଶଗୁଡ଼ିକ ଏଥିରେ ରାଜି ହୋଇନାହାନ୍ତି। କୌଶସି ଦୃଶ୍ୟ ସହ ନୁହେଁ, ବରଂ ଚଳଚ୍ଚିତ୍ରର କାହାଣୀକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି ବୋଲି ଦେଶଗୁଡ଼ିକ ପକ୍ଷରୁ କୁହାଯାଇଛି। ଚଳଚ୍ଚିତ୍ରରେ ସମଲିଙ୍ଗୀ ସମ୍ପର୍କକୁ ନେଇ ସମାଜରେ ଥିବା ବିଭିନ୍ନ ନକାରାତ୍ମକ ଧାରଣାକୁ କଟାକ୍ଷ କରାଯାଇଛି। ଚଳଚ୍ଚିତ୍ରଟିକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ମିଳିଥିବା ବେଳେ ଚଳଚ୍ଚିତ୍ରରେ ଥିବା ଚୁମ୍ବନ ଦୃଶ୍ୟକୁ ବି ସ୍ବୀକୃତି ମିଳିଛି।