ଫୋନ୍‌-ଇନ୍‌-ପ୍ଲିଜ୍‌: ଗରୁଡ଼ ସ୍ତମ୍ଭର ମୌଳିକତାକୁ ବିକୃତ କରାନଯାଉ

ଭୁବନେଶ୍ବର: ‌‌ଜଗନ୍ନାଥ ମନ୍ଦିର ତିଆରି ବେଳୁ ଗରୁଡ଼ ସ୍ତମ୍ଭର ଅସ୍ତିତ୍ବ ରହିଛି। ତା’ର ମହିମା କାହିଁରେ କେତେ ବୋଲି ସାଧାରଣରେ ବିଶ୍ବାସ ରହିଛି। ତା’ରି ପାଖରେ ଠିଆ ହୋଇ ଜଗା ଦର୍ଶନ କରିଦେଲେ, କୋଟିନିଧି ମିଳିଯାଏ ବୋଲି ଲୋକେ କହନ୍ତି। ତେଣୁ ଏଭଳି ମହତ୍ତ୍ବ ବହନ କରୁଥିବା ଏହି ସ୍ତମ୍ଭର ମୌଳିକତାକୁ କାହିଁକି ରୁପା ଛାଉଣୀ କରି ନଷ୍ଟ କରିବାକୁ ଚେଷ୍ଟା କରିବା। ଜଗନ୍ନାଥଙ୍କ ପାଖରେ ସୁନା ରୁପାର ଅଭାବ ନାହିଁ କି କେବେ ନଥିଲା। ମନ୍ଦିର ନିର୍ମାଣ ବେଳେ ଯଦି ନିର୍ମାତାମାନେ ଗରୁଡ଼ ସ୍ତମ୍ଭର ରୁପା ଛାଉଣୀ କଥା ଅନୁଭବ କରିନାହାନ୍ତି, ତେବେ ଆମେ କାହିଁକି ଅଯଥାରେ କରିବା। ତେଣୁ ଗରୁଡ଼ ସ୍ତମ୍ଭର ମୌଳିକତାକୁ ବିକୃତ କରାନଯାଉ। ଚଳିତଥରର ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଘୋଡ଼ାଇବା ଅନାବଶ୍ୟକ’‌‌ରେ ଭାଗ ନେଇ ଅଧିକାଂଶ ପାଠକ ଏପରି ମତ ବାଢ଼ିଛନ୍ତି।

ରତ୍ନସିଂହାସନଠାରୁ ଗରୁଡ଼ ସ୍ତମ୍ଭ ୭୫ଫୁଟ୍‌ ଦୂରରେ। ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି ଦର୍ଶନ କରିବାର କୌଣସି ନିୟମ ନାହିଁ। ତେଣୁ ଗରୁଡ଼ ସ୍ତମ୍ଭକୁ ଲୋକେ ଛୁଇଁବା ଉପରେ କଟକଣା କରାଯାଇପାରିବ। ଲୋକ ନ ଛୁଇଁଲେ ତାହା କ୍ଷୟ ହେବାର ଆଶଙ୍କା ବି ଟଳିଯିବ ବୋଲି ମୁଁ ଭାବୁଛି। ଯଦି ଭକ୍ତଙ୍କ ଭାବା‌ବେଗକୁ ସମ୍ମାନ ଜଣାଇ ତାହା କରାନଯିବ, ତେବେ ରୁପା ଛାଉଣୀ ଏକ ବିକଳ୍ପ ହୋଇପାରେ।
-କମଳାକାନ୍ତ ସେନାପତି, ନାଗେଶ୍ବର ଟାଙ୍ଗୀ, ଭୁବନେଶ୍ବର

ଗରୁଡ଼ ସ୍ତମ୍ଭକୁ ରୁପା ଆଚ୍ଛାଦିତ କରାଯିବାରେ କିଛି ଅସୁବିଧା ନାହିଁ। ଏଥିସହ ଏହାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ।
-ଅଚ୍ୟୁତାନନ୍ଦ ଦାସ, ରାଜକନିକା
-କେଦାର ସାହୁ, ଲିଙ୍ଗିପୁର

ଏ ମାମଲାରେ ଆଗ ମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ଗଜପତି ମହାରାଜାଙ୍କୁ ନେଇ ଏକ ବୈଠକ କରାଯାଉ। ସମସ୍ତଙ୍କ ମତ ଅନୁସାରେ ରୁପା ଚାଦର ଘୋଡ଼ାଯିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନିଆଯାଉ।
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ଶ୍ରଦ୍ଧାଳୁଙ୍କ ବିଶ୍ବାସ, ଗରୁଡ଼ ସ୍ତମ୍ଭରୁ ପାଣି ପଡ଼ିଲେ ଉପରେ ରୋଗ ଭଲ ହୁଏ। ମାତ୍ର ରୁପା ଚାଦରରେ ତାକୁ ଆଚ୍ଛାଦିତ କଲେ, ଏହାର ପ୍ରକୃତ ରୂପକୁ ଦେଖିହେବ ନାହିଁ। ଏହା ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିବ।
-ଆହ୍ବାନ କୁମାର ପାଇକରାୟ, ୟୁନିଟ୍‌-୩, ଭୁବନେଶ୍ବର
-ଦେବରାଜ ବାରିକ, ବାଲିପାଟଣା

ଜଗନ୍ନାଥ ମନ୍ଦିର ନିର୍ମାଣରେ ସାଧୁସନ୍ଥ, ମୁନିଋଷି, ପଣ୍ଡିତ ବିଦ୍ବାନଙ୍କୁ ଅବଦାନ ଥିଲା। ସେତେବେଳେ ଯଦି ଗରୁଡ଼ ସ୍ତମ୍ଭକୁ କୌଣସି ଅଳଙ୍କାରରେ ଆଚ୍ଛାଦିତ କରାଯିବା ପାଇଁ ସେମାନେ ଆବଶ୍ୟକ ମଣି ନଥିଲେ, ଏବେ କରିବାର କି ଆବଶ୍ୟକତା।
-ନୀଳମଣି ମିଶ୍ର, ସୁନ୍ଦରପଦା

ରୁପା ଚାଦର ଲଗାଇବା ଆଧ୍ୟାତ୍ମିକ ଦୃଷ୍ଟିରୁ ଠିକ୍‌ ଲାଗୁନି। ଗରୁଡ଼ ସ୍ତମ୍ଭ ଶକ୍ତିର ଉତ୍ସ। ଗରୁଡ଼ ସ୍ତମ୍ଭ‌‌ରେ ରୁପା ଚାଦର ଘୋଡ଼ାଇବା, ମହାପ୍ରଭୁଙ୍କ ଦେହରେ ରୁପା ଚାଦର ଘୋଡ଼ାଇବା ସହ ସମାନ।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

ଗରୁଡ଼ ସ୍ତମ୍ଭରେ ସ୍ପର୍ଶ କରିବା ଦ୍ୱାରା ଶରୀରରୁ ସମସ୍ତ ପ୍ରକାର ବ୍ୟାଧି ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଗରୁଡ଼ଙ୍କ ସ୍ତମ୍ଭକୁ ଯଦି ସମ୍ପୂର୍ଣ୍ଣ ଭାବରେ ରୁପା ବା କୌଣସି ଧାତୁ ଦ୍ୱାରା ଆସ୍ତରଣ କରାଯିବ, ତେବେ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି ନିଶ୍ଚୟ କୁଠାରଘାତ ହେବ।
-ସୁଧାକର ଦାସ, ପିଏନ କଲେଜ ଖୋର୍ଦ୍ଧା

ଗରୁଡ଼ ସ୍ତମ୍ଭକୁ ଏମିତି ଦେଖିଲେ ଯେଉଁ ଭକ୍ତିଭାବ ଆସୁଛି, ତାହା ରୁପା କିମ୍ବା ସୁନା ଛାଉଣୀ କଲେ ଆସିବ ନାହିଁ।
-ବରମୁଣ୍ଡା ହଉସିଂବୋର୍ଡ, ବାସୁଦେବ ନାୟକ,
-ଲକ୍ଷ୍ମୀଧର ରଥ, ୟୁନିଟ-୬

ଜଗନ୍ନାଥଙ୍କୁ କ’ଣ ଅଳଙ୍କାର ଅଭାବ। ତେଣୁ ଗରୁଡ଼ ସ୍ତମ୍ଭରେ ଯଦି କୌଣସି ଧାତୁ ଲାଗିବା ପାଇଁ ପ୍ରସ୍ତାବ ଉଠୁଛି, ସେଥିରେ ଆପତ୍ତି କ’ଣ?
-ସୁରେନ୍ଦ୍ର କୁମାର ନାୟକ, ନିଆଳି

ରୁପା ଚାଦର ଘୋଡେ଼ଇ ଲାଭ ନାହିଁ। ଲୋକଙ୍କୁ ସେହି ପଇସାରେ ଅବଢ଼ା ଖୁଆଇଲେ ଭଲ ହେବ।
-ଶ୍ରୀବତ୍ସ ମହାନ୍ତି, ଯାଁଳା

ସମ୍ବନ୍ଧିତ ଖବର