ବିଦେଶ ଫେରନ୍ତାଙ୍କୁ ୧୫ ହଜାର ଲେଖାଏଁ ଦେଲେନି, ୪ ହଜାର ନାମ ପଞ୍ଜୀକରଣ କରିଥିଲେ

ଭୁବନେଶ୍ବର : ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ତାରିଖରେ ଭୁବନେଶ୍ବରରେ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଜଣକ ଇଟାଲି ଫେରନ୍ତା ହୋଇଥିବାରୁ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ। ଫଳରେ ମାର୍ଚ୍ଚ ୪ ପରଠାରୁ ବି‌ଦେଶରୁ ଓଡ଼ିଶା ଫେରିଥିବା ସମସ୍ତଙ୍କୁ ନାମ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏଥିପାଇଁ ୪୮ଘଣ୍ଟିଆ ମହଲତ ବି ଦେଲେ। ମାର୍ଚ୍ଚ ୧୭ତାରିଖ ସକାଳ ୬ଟାରୁ ମାର୍ଚ୍ଚ ୧୯ତାରିଖ ସକାଳ ୬ଟା ମଧ୍ୟରେ ‌ଟୋଲ୍‌ ଫ୍ରି ନମ୍ବର ୧୦୪ରେ ପଞ୍ଜୀକରଣ କରିପାରିବେ କିମ୍ବା ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଅନ୍‌ଲାଇନ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଲେ।

ଯିଏ ପଞ୍ଜୀକରଣ କରି ୧୪ଦିନ ଘରେ ସଙ୍ଗରୋଧ ରହିବେ ସେମାନଙ୍କୁ ସଙ୍ଗରୋଧ ସରିବା ପରେ ୧୫ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବେ‌ ବୋଲି ଘୋଷଣା କଲେ। ଯିଏ ସରକାରଙ୍କ ନିର୍ଦ୍ଦେଶ ନ ମାନିବେ ସେମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ ହେବ ବୋଲି କହିଲେ। ଏହି ଘୋଷଣାକୁ ଦୁଇ ମାସ ବିତିଗଲାଣି। ବିଦେଶ ଫେରନ୍ତାଙ୍କର ୧୪ଦିନିଆ ସଙ୍ଗରୋଧ ଦେଢ଼ ମାସ ତଳୁ ପୂରିଲାଣି। କିନ୍ତୁ କାହାକୁ ବି ଆଜି ଯାଏ ୧୫ହଜାର ଟଙ୍କା ସହାୟତା ମିଳିଲାନି।

ଆଶ୍ଚର୍ଯ୍ୟର ବିଷୟ ସରକାରଙ୍କର ଏହି ନିର୍ଦ୍ଦେଶନାମା ପରେ କେତେ ଲୋକ ନାମ ପଞ୍ଜୀକରଣ କଲେ, କେଉଁ ଜିଲ୍ଲାରୁ ‌କେ‌ତେ ଲୋକ କଲେ, କେଉଁ ଦେଶରୁ କେତେ ଲୋକ ଫେରିଥିଲେ ସେ ହିସାବ ସ୍ବାସ୍ଥ୍ୟ ବିଭାଗ ପାଖରେ ବି ନାହିଁ। କେବଳ ଏତିକି ନୁହେଁ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ବି ଏ ହିସାବ ନାହିଁ। ଆଉ ଯେଉଁ ୧୫ହଜାର ଟଙ୍କା ଲେଖାଏ ସହାୟତା ଦେବା ନେଇ ଘୋଷଣା କରାଗଲା ତାହା ଲୋକଙ୍କୁ ମିଳିଲା କି ନାହିଁ ତାର ମଧ୍ୟ କୌଣସି ସୂଚନା ନାହିଁ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଲେ ସ୍ବାସ୍ଥ୍ୟ ବିଭାଗ ସେ କଥା ବୁଝୁଛି।

ସ୍ବାସ୍ଥ୍ୟ ବିଭାଗକୁ ପଚାରିବାରୁ ଜାଣିବାକୁ ମିଳିଲା ଲକ୍‌ଡାଉନ୍‌ ସମୟରେ ୪୦୦୫ଜଣ ୧୦୪ ନମ୍ବରକୁ ଫୋନ୍‌ କରି ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ପୋର୍ଟାଲରେ କେତେ ଲୋକ ନାମ ପଞ୍ଜୀକରଣ କରିଛନ୍ତି ସେ ତଥ୍ୟ ନାହିଁ। ଖୋର୍ଦ୍ଧା ଜିଲ୍ଲା କି ଭୁବନେଶ୍ବରରେ କେତେ ଲୋକ ନାମ ପଞ୍ଜୀକରଣ କରିଛନ୍ତି ତା’ର ହିସାବ ବି ଜିଲ୍ଲାପାଳଙ୍କ ନିକଟରେ ନାହିଁ।

ବିଏମ୍‌ସିରେ ଯୋଗାଯୋଗ କରିବାରୁ ଉତ୍ତର ମିଳିଲା ଯେ, ଲକ୍‌ଡାଉନ୍‌ ପୂର୍ବରୁ ପ୍ରାୟ ୧ହଜାର ଲୋକ ବିଦେଶରୁ ଭୁବନେଶ୍ବର ଫେରିଥିବା ନେଇ ନାମ ପଞ୍ଜୀକରଣ କରିଥିଲେ। ଯେଉଁମାନେ ୧୪ଦିନିଆ ସଙ୍ଗରୋଧରେ ରହିଥିଲେ। ହେଲେ ସେମାନଙ୍କୁ ୧୫ହଜାର ଟଙ୍କା ଲେଖାଏ ସହାୟତା ମିଳିବ କି ନାହିଁ ଆମକୁ କିଛି ଜଣା ନାହିଁ। ଏପରିକି ଏନେଇ କିଛି ନିର୍ଦ୍ଦେଶନାମା ଆସିନି। ଏହି ସହାୟତା ବୋଧେ ରାଜ୍ୟ ସରକାର ଦେବେ। ନିକଟରେ ଦୁବାଇରୁ ଯେଉଁ ୧୫୧ଜଣ ଆସିଛନ୍ତି ସେମାନଙ୍କ ମଧ୍ୟରୁ ୨୦ଜଣ ଭୁବନେଶ୍ବରର ଅଛନ୍ତି।
ଅପରପକ୍ଷେ ବିଦେଶରୁ ଫେରିବା ପରେ ନାମ ପଞ୍ଜୀକରଣ କରି ୧୪ଦିନିଆ ସଙ୍ଗରୋଧରେ ରହିଥିବା ଜଣେ ବ୍ୟକ୍ତିଙ୍କୁ ୧୫ହଜାର ଟଙ୍କା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଆମେ ଏନେଇ ଗଣମାଧ୍ୟମରୁ ସୂଚନା ପାଇଥିଲୁ। କିନ୍ତୁ ନାମ ପଞ୍ଜୀକରଣ କରିବା ସମୟରେ ଆମର ବ୍ୟାଙ୍କ ଆକାଉଣ୍ଟ ନମ୍ବର ନିଆ ଯାଇନି କି ଆମକୁ ଫୋନ୍‌ କରି ଆକାଉଣ୍ଟ ନମ୍ବର ମଗାଯାଇନି। ଦେଢମାସ ହେଲା ଆମର ସଙ୍ଗରୋଧ ସରିଲାଣି। କିନ୍ତୁ ଆମକୁ ୧୫ହଜାର ଟଙ୍କା ମିଳିବା ବାବଦରେ କେହି କେବେ ଥରେ ପଚାରି ନାହାନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଯେଉଁ ୧୫ହଜାର ଟଙ୍କା ଘୋଷଣା କରିଥିଲେ ତାକୁ କେଉଁ ବିଭାଗ ‌କିପରି ଦେବ ତାହା କେବେ ସ୍ପଷ୍ଟ କରିବେ। ଯଦି କେହି ସଙ୍ଗରୋଧ ନିୟମ ମାନିନାହାନ୍ତି ସେମାନଙ୍କ ବିରୋଧରେ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି କି?

ସମ୍ବନ୍ଧିତ ଖବର