ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଆତ୍ମହତ୍ୟା ମାମଲା: ଆତ୍ମହତ୍ୟା ପଛର କାରଣ‌ ଖୋଜୁଛି ପୁଲିସ

ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଛି। ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ମୃତ୍ୟୁ ପଛର ପ୍ରକୃତ କାରଣ ପଦାକୁ ଆସିପାରିନାହିଁ। ମୃତ୍ୟୁ ପଛର ଗୁମର ଖୋଲିବା ପାଇଁ ପୁଲିସ ସମସ୍ତ ଦିଗକୁ ‌ନେଇ ତଦନ୍ତ କରୁଛି। ଅନ୍ୟପଟେ ଆଜି ସକାଳ ୧୦ଟାରେ ସାଇଣ୍ଟିଫିକ୍‌ ଟିମ୍‌ ଲକ୍ଷ୍ମୀସାଗରସ୍ଥିତ ଭଗବାନ ଟାୱାରର ୭ମହଲାରେ ଥିବା ଶ୍ରୀ ପୁରୋହିତଙ୍କ ଫ୍ଲାଟ ନଂ-୭୦୩ରେ ପହଞ୍ଚିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ଦିଗ ଉପରେ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ନମୁନା ସଂଗ୍ରହ ପରେ ପୁଲିସ ମୃତହେଦକୁ ଜବତ କରିଥିଲା। ସେଠାରୁ ଧନୁର୍ଜୟଙ୍କ ମୋବାଇଲ୍‌କୁ ଠାବ କରାଯାଇଥିଲା। ପରେ ବ୍ୟବଚ୍ଛେଦ ପାଇଁ ପୁଲିସ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାରଲୋଙ୍କୁ ହସ୍ତାନ୍ତର କରିଛି।

ଅନ୍ୟପଟେ ଧନୁର୍ଜୟଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ? ଏହାପଛରେ କାହାର ହାତ ରହିଛି? ସେଦିଗରେ ତଦନ୍ତ ପାଇଁ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଧନୁର୍ଜୟଙ୍କ ସାନ ଭାଇ ବିହାରୀ ପାଣ୍ଡେଙ୍କ ଅଭିଯୋଗକୁ ଭିତ୍ତିକରି ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଥାଉ କି, ମଙ୍ଗଳବାର ସକାଳ ସାଢ଼େ ୭ଟାରେ ଧନୁର୍ଜୟ ବିମାନବନ୍ଦରରୁ ପ୍ରଦୀପଙ୍କୁ ଆଣିବା କଥା। ସେ ନଆସିବାରୁ ପ୍ରଦୀପ ଜଣେ ସହଯୋଗୀଙ୍କ ଗାଡ଼ିରେ ବିମାନ ବନ୍ଦରରୁ ଆସି ଫ୍ଲାଟରେ ପହଞ୍ଚିବା ପରେ କବାଟ ଖୋଲିବା ପାଇଁ ଡାକିଥିଲେ ବି ଧନୁର୍ଜୟ କବାଟ ଖୋଲିନଥିଲେ।

ସନ୍ଦେହ ହେବାରୁ ସିକ୍ୟୁରିଟି ଗାର୍ଡ ଓ ଅପାର୍ଟମେଣ୍ଟ ସୋସାଇଟିକୁ ଜଣାଇଥିଲେ। ଏହାପରେ ପୁଲିକୁ ମଧ୍ୟ ଘଟଣା ବିଷୟରେ ଜଣାଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟର ମୁଖ୍ୟ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଧନୁର୍ଜୟଙ୍କ ରୁମ୍‌ କବାଟ ଭିତରୁ ବନ୍ଦଥିବାରୁ ପୁଲିସ ଝରକା ବାଟେ ଦେଖିଥିଲା। ସେ ଫ୍ୟାନ୍‌ରେ ଝୁଲିରହିଥିବାରୁ ପୁଲିସ ତାଙ୍କ ପରିବାର ଲୋକ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଥିଲା। ପରିବାର ଲୋକ ପହଞ୍ଚିବାରେ ବିଳମ୍ବ ହେବାରୁ ମୃତଦେହକୁ ଫ୍ଲାଟରେ ରଖାଯାଇଥିଲା। ଆଜି ପରିବାର ଲୋକ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ମୃତଦେହକୁ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର