ଘରୋଇ ସ୍କୁଲ୍‌ ଫି’କୁ ଲଗାମ୍‌ ନାହିଁ

ନାଲିଫିତା ତଳେ ପ୍ରସ୍ତାବିତ ରିପୋର୍ଟ

ଭୁବନେଶ୍ବର : ଛତୁ ଫୁଟିଲା ପରି ସହରରେ ଖୋଲୁଛି ଘରୋଇ ସ୍କୁଲ। ନାମଲେଖା ବି ହେଉଛି। କିଏ କମ୍‌ ଫି’ ନେଉଥିବା କହି ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଉତ୍ସାହିତ କରୁଛନ୍ତି ତ ଆଉ କିଏ ବିଶାଳ କୋଠା ସାଙ୍ଗକୁ ଶୀତତାପ ନିୟନ୍ତ୍ରିତ କୋଠରି ସମ୍ପର୍କରେ ଅଭିଭାବକଙ୍କୁ ବୁଝାଉଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବା ବେଳେ ଏବେଠାରୁ ସ୍କୁଲଗୁଡ଼ିକ ଆରମ୍ଭ କରିଦେଲେଣି ନାମଲେଖା। କେତେକ ସ୍କୁଲ କର୍ତୃପକ୍ଷ ଏବେ ପ୍ରବେଶିକା ପରୀକ୍ଷା କରାଇ ପିଲା ଚୟନ କରୁଛନ୍ତି। ଆଉ କିଛି ସ୍କୁଲ ଆଗୁଆ ନାମଲେଖା ଫି’ ନେବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକ ଶିକ୍ଷା ଅଧିକାର ଆଇନକୁ ଖୁଲାମଖୁଲା ଉଲ˚ଘନ କରୁଥିଲେ ମଧ୍ୟ କେହି ବି ମୁହଁ ଖୋଲୁନାହାନ୍ତି। ଏହାର ସୁଯୋଗ ନେଇ ସ୍କୁଲ କର୍ତୃପକ୍ଷ ମନଇଚ୍ଛା ଫି’ ବୃଦ୍ଧି କରି ଚାଲିଛନ୍ତି। ସେପଟେ ପ୍ରତିବର୍ଷ ନାମଲେଖା ସମୟରେ ଶୋଷଣର ଶିକାର ହେଉଛନ୍ତି ଅଭିଭାବକ। ଆଉ ନାଲିଫିତା ତଳେ ରହିଯାଇଛି ଫି’ ଷ୍ଟ୍ରକଚର୍‌ ଫାଇଲ୍‌। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମଙ୍ଗଳବାର ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏନେଇ ନ’ତାଲା ନିକଟରେ ଅନଶନ କରାଯାଉଛି।

ଘରୋଇ ସ୍କୁଲଗୁଡ଼ିକ ଉପରେ ଲଗାମ ଲାଗିବା ପାଇଁ ୪ ବର୍ଷ ହେଲା ରାଜ୍ୟ ସରକାର କହି ଆସୁଛନ୍ତି। ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ ବି ବାରମ୍ବାର କହୁଛନ୍ତି। ହେଲେ କିଛି ବି ସୁଫଳ ମିଳୁନି। ଘରୋଇ ସ୍କୁଲଗୁଡ଼ିକରେ ଅଧିକ ଫି’ ଆଦାୟ ହେଉଥିବା ଅଭିଯୋଗ ହେବା ପରେ କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ଫି’ ରହିବ ସେ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇ ଗଣଶିକ୍ଷା ବିଭାଗକୁ ଦିଆଯାଇଥିଲା। ଫି’ ରେଗୁଲେସନ୍ କମିଟି ଗତବର୍ଷ ସେପ୍ଟେମ୍ବର ୭ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବା ପରେ ନଭେମ୍ବର ୧୪ରୁ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦିଆଯାଇଛି। ହେଲେ ତିନି ମାସ ହେଲା ଏହାକୁ ଲାଗୁ କରିଯାଇପାରି ନାହିଁ। ଯାହାର ସୁଯୋଗ ନେଇ ମନଇଚ୍ଛା ଫି’ ଆଦାୟ କରିବାକୁ ମସୁଧା ଚଲାଇଛନ୍ତି ସ୍କୁଲ କର୍ତୃପକ୍ଷ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ଫି’ ଷ୍ଟ୍ରକଚର୍ ୨୦୧୭-୧୮ ମସିହାରୁ ପିଛିଲା ଭାବେ ଲାଗୁ କରିବାକୁ ସୁପାରିସ ହୋଇଥିଲା। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ଫି’ ଆଦାୟ କରିନେଇଛନ୍ତି ସେମାନେ ଯଦି ଅଧିକ ଫି’ ନେଇଥିବେ ତାହାକୁ ତୁରନ୍ତ ଫେରାଇବାକୁ କୁହାଯାଇଥିଲା। ଇତି ମଧ୍ୟରେ ୨୦୧୮-୧୯ ଶିକ୍ଷାବର୍ଷ ଶେଷ ହେବାକୁ ବସିଲାଣି। ଦିନ କେଇଟା ପରେ ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେବ। ହେଲେ ଫି’ ଷ୍ଟ୍ରକଚର୍‌ ଲାଗୁ ହୋଇପାରୁ ନାହିଁ। ଏହି ଫି’ ଷ୍ଟ୍ରକଚର୍‌ ରେ ରେଜିଷ୍ଟ୍ରେସନ୍ ଫି’, ନାମ ଲେଖା ଫି’, ପରୀକ୍ଷା ଫି’ ଆଦି ରହିଥିଲା। ଏହାବ୍ୟତୀତ ସ୍କୁଲ କର୍ତ୍ତୃପକ୍ଷ ପରିବହନ, ବୋର୍ଡିଂ, ଡେ ବୋର୍ଡିଂ, ମେସ୍ କିମ୍ବା ଡାଇନିଂ, ବଣଭୋଜି ଓ ଏହି ସମ୍ବନ୍ଧୀୟ ଫି’ ଆଦାୟ କରିପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା।

କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି?

ଛାତ୍ରଛାତ୍ରୀ ବିଦ୍ୟାଳୟରେ ଶୋଷଣର ଶିକାର ହୋଇ ଅଭିଯୋଗ କଲେ ମଧ୍ୟ ନ୍ୟାୟ ମିଳୁନି। ବିଦ୍ୟାଳୟ କର୍ତୃପକ୍ଷ ନ୍ୟାୟ ଦେବେ କ’ଣ ବରଂ ଆକ୍ରୋଶମୂଳକ ଭାବେ ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଛନ୍ତି। ଏନେଇ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ବାରମ୍ବାର ଅଭିଯୋଗ ଆସୁଛି। ଏପରିକି ଏନ୍‌ସିପିସିଆର ପକ୍ଷରୁ ଗୋଟିଏ/ଦୁଇଟି ବିଦ୍ୟାଳୟକୁ ଇତି ମଧ୍ୟରେ ନୋଟିସ୍‌ ଜାରି ହୋଇ ସାରିଲାଣି। ଯେଉଁ ଅଭିଭାବକମାନେ ଫି’ ବୃଦ୍ଧି ନେଇ ମୁହଁ ଖୋଲୁଛନ୍ତି ସେମାନଙ୍କୁ ଧମକ ଦିଆଯାଉଛି। ଗତବର୍ଷ ଖଣ୍ଡଗିରି ଅଞ୍ଚଳର ଏକ ସ୍କୁଲରେ ଏଭଳି ସମସ୍ୟା ହୋଇଥିଲା। ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ମାଡ଼ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଉନି। ସେପଟେ ଫି’ ରେଗୁଲେସନ୍‌ କମିଟି ସୁପାରିସ୍ କରିଛି ଯେ, ଯଦି କୌଣସି ସ୍କୁଲ ଅଧିକ ଫି’ ଆଦାୟ କରୁଥିବ ତେବେ ଛାତ୍ରଛାତ୍ରୀ ବା ଅଭିଭାବକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ‌ ନିକଟରେ ଅଭିଯୋଗ କରିପାରିବେ। ଆବଶ୍ୟକୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମ ଅଭିଯୋଗ ଆସିଲେ ସ୍କୁଲ ବିରୋଧରେ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ସହ ଅଭିଯୋଗକାରୀଙ୍କୁ ବର୍ଦ୍ଧିତ ଫି’ ଫେରାଯିବ। ଦ୍ବିତୀୟ ଅଭିଯୋଗ ଆସିଲେ ୫ଲକ୍ଷ ଟଙ୍କା ଜରିମାନା ସହ ବର୍ଦ୍ଧିତ ଫି’ ଫେରାଯିବ। ତୃତୀୟ ଥର ଅଭିଯୋଗ ଆସିଲେ ସ୍କୁଲର ସ୍ବୀକୃତି ପ୍ରତ୍ୟାହାର କରାଯିବ। ହେଲେ ଆଜି ପର୍ଯ୍ୟନ୍ତ ନିୟମ ଲାଗୁ ହୋଇପାରୁନି।

ସମ୍ବନ୍ଧିତ ଖବର