କେବେ ଚେତିବେ? : କ୍ୟାପିଟାଲ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତାର ବ୍ୟାପକ ସୁବିଧା

ଭୁବନେଶ୍ବର : ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲ ‘କ୍ୟାପିଟାଲ ହସ୍ପିଟାଲ’ରେ ମଧ୍ୟ ଅଗ୍ନି ନିରାପତ୍ତାର ବ୍ୟାପକ ସୁବିଧା ନାହିଁ। କେବଳ ନୂତନଭାବେ ନିର୍ମିତ ହୋଇଥିବା ଏମ୍‌ସିଏଚ୍‌ ବିଲ୍ଡିଂକୁ ବାଦ୍ ଦେଲେ ପୁରୁଣା ବିଲ୍ଡିଂରେ ନିଆଁର କିଭଳି ମୁକାବିଲା କରାଯିବ ତାହା ଆଜି ବି ପ୍ରମୁଖ ଚ୍ୟାଲେଞ୍ଜ ହୋଇଛି। ପୁରୁଣା ବିଲ୍ଡିଂରେ ଏକାଧିକ ବହିର୍ବିଭାଗ ସହିତ ଅସ୍ତ୍ରୋପଚାର ଗୃହ ଓ ୱାର୍ଡ ରହିଥିବା ବେଳେ ଯଦି ନିଆଁ ଲ‌ାଗେ ତେବେ ପୂର୍ବରୁ ଅଗ୍ନିକାଣ୍ଡ ଘଟିଥିବା ସମ୍‌ ହସ୍ପିଟାଲଠାରୁ ବି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ। କେବଳ ନିଆଁ ଲିଭା ଯନ୍ତ୍ରକୁ ଛାଡ଼ି ଦେଲେ ଅନ୍ୟ କୌଣସି ପ୍ରକାର ସୁବିଧା ନାହିଁ। ଅପରପକ୍ଷେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ହସ୍ପିଟାଲ କତୃର୍ପକ୍ଷ ୩/୪ବର୍ଷ ତଳୁ ପ୍ରସ୍ତାବ ଦେଇଥିଲେ ହେଁ, ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।

କଟକ ଶିଶୁ ଭବନରେ ନିଆଁ ଲାଗିବା ପରେ ୨୦୧୬, ଏପ୍ରିଲ ମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଅଗ୍ନି ନିରୋଧକ ବ୍ୟବସ୍ଥା ନେଇ ସମୀକ୍ଷା ହୋଇଥିଲା। ମେ ମାସ ସୁଦ୍ଧା ସମସ୍ତ ସ୍ବାସ୍ଥ୍ୟାନୁଷ୍ଠାନରେ ବିଦ୍ୟୁତ ବ୍ୟବସ୍ଥା ଯାଞ୍ଚ କାର୍ଯ୍ୟ ସ˚ପୂର୍ଣ୍ଣ କରିବା ସହିତ ଜୁନ୍‌ ମାସ ସୁଦ୍ଧା ଏହାକୁ ନିଶ୍ଚିତ କରିବାକୁ ନିର୍ଦେଶ ଦେଇଥିଲା ସ୍ବାସ୍ଥ୍ୟ ବିଭାଗ। ମାତ୍ର ଏହା ଭିତରେ ଅଢ଼େଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସେପରି କୌଣସି ପଦକ୍ଷେପ ନିଆଯାଇ ନାହିଁ।

କ୍ୟାପିଟାଲ ହସ୍ପିଟାଲରେ ମଧୢ ଅଗ୍ନି ନିର୍ବାପକ ସୁରକ୍ଷା ନେଇ ବିଶେଷ ସୁବିଧା ନାହିଁ। କେବଳ ଅଗ୍ନି ନିର୍ବାପକ ଯନ୍ତ୍ରକୁ ବାଦ୍‌ ଦେଲେ ଅନ୍ୟ କିଛି ବ୍ୟବସ୍ଥା ନାହିଁ। ହସ୍ପିଟାଲରେ ଅଗ୍ନି ନିର୍ବାପକ ସୁବିଧା କରିବା ପାଇଁ କର୍ତ୍ତୃପକ୍ଷ ୫ ବର୍ଷ ତଳୁ ପ୍ରସ୍ତାବ ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଏଥିପାଇଁ ୮୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ମାତ୍ର ଏହାର କିଛିଦିନ ପରେ ଏ ନେଇ ଗାଇଡ୍‌ଲାଇନ୍‌ରେ ପରିବର୍ତନ ହୋଇଯାଇଥିଲା। କ୍ୟାପିଟାଲ ହସ୍ପିଟାଲର ବିଲ୍ଡି˚ ଯଥେଷ୍ଟ ପୁରୁଣା ହୋଇଥିବାରୁ କିପରି ଭାବେ ଏହି ଅଗ୍ନି ସୁରକ୍ଷା ବ୍ୟବସ୍ଥା କରାଯିବ ତାହାକୁ ନେଇ ତର୍ଜମା ଜାରି ରହିଛି। ଏହାସହ ଯଦି ହସ୍ପିଟାଲରେ କୌଣସି ପ୍ରକାର ଅଘଟଣ ଘଟେ ଏହାର ମୁକାବିଲା କରିବା ପାଇଁ ହସ୍ପିଟାଲର କର୍ମଚାରୀମାନେ ପ୍ରଶିକ୍ଷଣ ନେଇ ନାହାନ୍ତି। ତେଣୁ ବିପଦ ସମୟରେ ଏହାର କିଭଳି ମୁକାବିଲା କରାଯିବ ତାହା ଚିନ୍ତାର ବିଷୟ ପାଲଟିଛି।

ହସ୍ପିଟାଲର ନିର୍ଦେଶକଙ୍କ ଡା. ଅଶୋକ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲରେ ଅଗ୍ନି ନିରାପତ୍ତା ନେଇ ଏକ ମକ୍‌ ଡ୍ରିଲ୍ କରିବା ପାଇଁ କୁହାଯାଇଛି। ହସ୍ପିଟାଲର କିଛି କର୍ମଚାରୀ ଅଗ୍ନି ନିରାପତ୍ତା ନେଇ ପ୍ରଶିକ୍ଷଣ ନେଇଛନ୍ତି। ଆଗାମୀ ଦିନରେ ଅନ୍ୟ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଯୋଜନା କରାଯାଉଛି। ତେବେ ଥାଲା‌ସେମିଆ, ଡିଆଇସି ନିକଟରେ ଥିବା ରୁମ୍‌ରେ ଯେଉଁ କେବୁଲ ଅସୁରକ୍ଷିତ ଅବସ୍ଥାରେ ରହିଛି ସେସବୁକୁ ଠିକ୍‌ରେ ସଜାଡ଼ିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଦିଆଯାଇଥିଲା ଓ ଆଜି ଏକ ରିମାଇଣ୍ଡର ଦିଆଯାଇଛି। ସଂପୂର୍ଣ୍ଣ ହସ୍ପିଟାଲରେ ବିଦ୍ୟୁତ ସଂଯୋଗ ନେଇ ଆଉଥରେ ଯାଞ୍ଚ କରିବାକୁ କୁହାଯାଇଛି। ଏହାସହ ପୁରୁଣା ବିଲ୍ଡିଂରେ ଯେତେ‌ସବୁ ନିଆଁଲିଭା ଯନ୍ତ୍ର ରହିଛି ସେସବୁର ଯଥେଷ୍ଟ ଦିନ ପାଇଁ ବୈଧତା ରହିଛି। ଏହାସହ ହସ୍ପିଟାଲରେ ରୢାମ୍ପ ରହିଥିବା ବେଳେ ଯଥେଷ୍ଟ ଖାଲି ସ୍ଥାନ ରହିଛି। ହସ୍ପିଟାଲରେ ଅଧିକାଂଶ କ୍ଲୋଜ୍‌ଡ ୱାର୍ଡ ନୁହେଁ। ଏପରିକି ଉପର ମହଲାରୁ ଅନେକ ୱାର୍ଡ ଏବେ ତଳେ କାର୍ଯ୍ୟ କରୁଛି ବୋଲି ଡା.ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର