ନୀଳାଦ୍ରିବିହାର କଲୋନୀରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର କଲୋନୀ ମଝିରେ ନିର୍ମାଣ ହେବାକୁ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଜି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ ବନ୍ଦ କରିବା ସହିତ ଆସନ୍ତାକାଲି ବିଏମ୍‌ସି କମିସନରଙ୍କୁ ଦସ୍ତଖତ ସମ୍ବଳିତ ଦରଖାସ୍ତ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ ସେକ୍ଟର–୧, ପ୍ଲଟ୍ ନଂ–୩୨୧ରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ନୀଳାଦ୍ରିବିହାରର ଜିଏ ଆବାସିକ ସଂଘ, ପ୍ରାଇଭେଟ୍ ପ୍ଲଟ୍ ଓନରସ୍‌ ଆସୋସିଏସନ୍ ଓ ଅନ୍ୟାନ୍ୟ ସଂଗଠନ ସହିତ କଲୋନୀ ବାସିନ୍ଦା ଦୃଢ ବିରୋଧ କରୁଛନ୍ତି। ଲୋକଙ୍କ କହିବା ଅନୁଯାୟୀ ନିର୍ମାଣ ହେଉଥିବା ସ୍ଥାନର ୨୦ରୁ ୫୦ ମିଟର ବ୍ୟବଧାନରେ କେନ୍ଦ୍ରୀୟ ବିଦ୍ୟାଳୟ, ଘରୋଇ ଡାକ୍ତରଖାନା, ଆପାର୍ଟମେଣ୍ଟ ଓ ଜନବସତି ରହିଛି। ଏହି ପ୍ଲାଣ୍ଟ ନିର୍ମାଣ ହେଲେ, ଏଠାରୁ ଦୁର୍ଗନ୍ଧ ବାହାରିବା ସହିତ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବ। ଫଳରେ ଲୋକମାନେ ରୋଗାକ୍ରାନ୍ତ ହେବାର ଆଶଙ୍କା ରହିଛି। ଲୋକଙ୍କ ସୁବିଧା ପାଇଁ ତିଆରି ହେବାକୁ ଥିବା ଏହି ପ୍ଲାଣ୍ଟ ଯଦି ଲୋକଙ୍କୁ ଅସୁବିଧାରେ ପକାଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ଅଧିବାସୀମାନେ ପ୍ରଶ୍ନ କରିଛନ୍ତି। ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯିବା ଦରକାର ବୋଲି ସେମାନେ ଦାବି କରିଛନ୍ତି। ନଚେତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉ ବୋଲି କଲୋନୀବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଆଜି ବିରୋଧ ବେଳେ ପ୍ରାଇଭେଟ୍ ଓନରସ୍‌ ଆସୋସିଏସନର ସଭାପତି ଦିଲ୍ଲୀପ କୁମାର ମିଶ୍ର, ଜିଏ ଆବାସିକ ସଂଘର ସଭାପତି ପ୍ରବୋଧ କୁମାର ପାଲ, ସଂପାଦକ ଶ୍ରୀଚରଣ ନାୟକ, ଅନମୋଲ୍ ପ୍ଲାଜାର ସଭାପତି ସନାତନ ଖିଲାର ଏବଂ ବିକାଶ ସାମନ୍ତରାୟ, ପାର୍ଥସାରଥୀ ମିଶ୍ର, ରବି ରାୟଙ୍କ ସହିତ ଅନେକ କଲୋନୀବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର