ଯୁକ୍ତଦୁଇ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

ବାଲିଅନ୍ତା: ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ବାତିଲ ଦାବିରେ ଆଜି ନବ ନିର୍ମାଣ ଛାତ୍ର ସଂଗଠନ ତରଫରୁ ଭୁବନେଶ୍ବର-କଟକ ଜାତୀୟ ରାଜପଥର ପାହାଳ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା। ଶତାଧିକ ଛାତ୍ର ପ୍ରତିନିଧି ଜାତୀୟ ରାଜପଥ ଅବରୋଧ କରିବା ଫଳରେ ଯାତାୟାତ ସମସ୍ୟା ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ଶହ ଶହ ଗାଡ଼ିମଟର ଅଟକି ରହିଥିଲା। ଖବର ପାଇ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳଙ୍କ ସହିତ ନଖରା ଟ୍ରାଫିକ ଥାନା ପୁଲିସ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ରାଜପଥରୁ ହଟିନଥିଲେ। ଚଳିତ ବର୍ଷ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଜିଦ୍‌ ଧରିଥିଲେ। ପୂର୍ବରୁ କଲେଜରେ ହୋଇଥିବା ତ୍ରୈମାସିକ ପରୀକ୍ଷା ମାର୍କ ଆଧାରରେ ବାର୍ଷିକ ପରୀକ୍ଷା ମୂଲ୍ୟାୟନ କରିବାକୁ କହିଥିଲେ। ବରିଷ୍ଠ ପୁଲିସ ଅଧିକାରୀ ୮ ଜଣ ଛାତ୍ର ପ୍ରତିନିଧିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହାର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅବରୋଧ ହଟିଥିଲା। ନବ ନିର୍ମାଣ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମଡି ମନୱର ଅଲ୍ଲୀଙ୍କ ନେତୃତ୍ବରେ ସତ୍ୟଜିତ ମହାନ୍ତି, ରାଜେନ୍ଦ୍ର ମଲ୍ଲିକ, ଶୁଭଶ୍ରୀ ମହାପାତ୍ର, ବିକାଶ ମହାପାତ୍ର, ବିଶ୍ବଜିତ ମହାରଣା ପ୍ରମୁଖ ଧାରଣାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର