ବିଏମ୍‌ସି କର୍ମଚାରୀଙ୍କ ପୂଜା ଛୁଟି ବାତିଲ

ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବିଏମ୍‌ସି କର୍ମଚାରୀଙ୍କ ଦୁର୍ଗାପୂଜା ଛୁଟି ବାତିଲ୍‌ କରାଯାଇଛି। ଯଦିଓ ଛୁଟି ବାତିଲ୍‌ ନେଇ ସିଧାସଳଖ ଆଦେଶ ହୋଇନାହିଁ, ପୂଜା ସମୟରେ କୌଣସି କର୍ମଚାରୀ କିମ୍ବା ଅଧିକାରୀ ମୁଖ୍ୟାଳୟ ଛାଡ଼ି ଯାଇ ପାରିବେ ନାହିଁ ବୋଲି ଡେପୁଟି କମିସନରଙ୍କ ଜରିଆରେ କମିସନର୍‌ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ କାରଣ ନ ଦର୍ଶାଇ ବିନା ସ୍ବୀକୃତିରେ କେହି ମୁଖ୍ୟାଳୟ ଛାଡ଼ିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କିଛି ଅଧିକାରୀ କିଛି କହୁ ନଥିଲେ ମଧ୍ୟ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି। ନାମ‌ ଗୋପନ ରଖିବା ସର୍ତ୍ତରେ କିଛି ଅଧିକାରୀ କହିଛନ୍ତି, ଏବେ କମିସନର୍‌ ଅଫିସ୍‌ ସମୟ ବଦଳରେ ସକାଳ ୭ଟା, ସନ୍ଧ୍ୟା ୬ଟା ଓ ଏପରିକି ଛୁଟି ଦିନ‌ରେ ମଧ୍ୟ ବୈଠକ କରୁଛନ୍ତି। କମ୍‌ ସମୟ ପୂର୍ବରୁ ସୂଚନା ଦିଆଯାଉଛି। ଅନେକ ସମୟରେ ଆଭାସୀ ବୈଠକ ମଧ୍ୟ ବସୁଛି। ଗୋଟିଏ ଗୋଟିଏ ଦିନରେ ତିନିଥର ବୈଠକ ବସୁଛି। ଏବେ ୪ଦିନିଆ ଦୁର୍ଗାପୂଜା ଛୁଟିକୁ ବାତିଲ୍‌ କରିଦିଆଯାଇଛି। ଏହା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବୋଲି ସେମାନେ କହିଛନ୍ତି।

ଅନ୍ୟ ଜଣେ ଅଧିକାରୀଙ୍କ କହିବା କଥା, ଫନି ଓ ଅନ୍ୟାନ୍ୟ ଜରୁରୀକାଳୀନ ସମୟରେ ଆମେ ସ୍ବତଃପ୍ରବୃତ୍ତ ଭାବରେ ଛୁଟି ନନେଇ କାମ କରିଥିଲୁ। ଛୁଟି ବାତିଲ୍‌ର ବିଜ୍ଞପ୍ତି କୌଣସି ପ୍ରଭାବ ପକାଏ ନାହିଁ। କିନ୍ତୁ ଦୁର୍ଗାପୂଜା ପାଇଁ ପରିବାରବର୍ଗ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ରଖିଥା’ନ୍ତି। ତା’ ଛଡ଼ା ଛୁଟିର ଯଥେଷ୍ଟ ପୂର୍ବରୁ ଏଭଳି ଆଦେଶ ହୋଇଥିଲେ, ପରିବାରଲୋକଙ୍କୁ ବୁଝାଇବା ସହଜ ହୋଇଥା’ନ୍ତା। କିନ୍ତୁ ୨୪ଘଣ୍ଟା ପୂର୍ବରୁ ଏଭଳି ଆଦେଶ ଯୋଗୁଁ ବହୁ କର୍ମଚାରୀଙ୍କ ପରିବାରରେ ଅସନ୍ତୋଷ ଦେଖାଦେଇଛି।

ବିଏମ୍‌ସି କହିଛି କି ଦୁଇବର୍ଷ ହେବ କଟକଣା ଭିତରେ ପୂଜା ହେଉଥିଲା। ଦୀର୍ଘ ଦିନ ପରେ ଭକ୍ତମାନେ ପୂଜାରେ ସାମିଲ ହେବାର ସୁଯୋଗ ପାଇଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏଣୁ ମଣ୍ଡପମାନଙ୍କରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବ। ସେଥିପାଇଁ ପରିମଳ ବ୍ୟବସ୍ଥା ସହ ଅନ୍ୟ ସମସ୍ତ କାର୍ଯ୍ୟରେ ଶୃଙ୍ଖଳା ରକ୍ଷା କରିବାକୁ ହେ‌ଲେ ଅଧିକାରୀମାନଙ୍କୁ ଦାୟିତ୍ବ ନେବାକୁ ହେବ। ପରିମଳ ମଧ୍ୟ ଏକ ଜରୁରୀକାଳୀନ ବ୍ୟବସ୍ଥା ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ୨ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର